ପୁଣି ତେଜିଲା ବିଷ୍ଣୁ-ରାଜଶ୍ରୀ ବିବାଦ : ସାଂସଦଙ୍କୁ ବିରୋଧ କରି ରାସ୍ତା‌ରେ ଶୋଇଲେ ବିଧାୟକଙ୍କ ସମର୍ଥକ

ତିର୍ତ୍ତୋଲ : ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ମଧ୍ୟରେ ଥିବା ପୂର୍ବର ବିବାଦ ଆଜି ପୁଣି ତାଜା ହୋଇଛି। ସାଂସଦ ରାଜଶ୍ରୀ ତିର୍ତ୍ତୋଲର ଏକ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ବିଧାୟକଙ୍କ ସମର୍ଥକମାନେ ତାଙ୍କୁ ତୀବ୍ର ବିରୋଧ କରିଛନ୍ତି। ଏପରିକି, ଗାଡ଼ି ଆଗରେ ଶୋଇଥିବା ଦେଖିବାକୁ ମିଳିଛି। ଫଳରେ, ଗାଡ଼ିରୁ ଓହ୍ଲାଇ ବାଇକ୍‌ରେ ବସି ସାଂସଦଙ୍କୁ କାର୍ଯ୍ୟକ୍ରମସ୍ଥଳକୁ ଯିବାକୁ ପଡ଼ିଛି।

ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତରେ ହେଉଥିବା ଏକ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବାକୁ ସାଂସଦ ରାଜଶ୍ରୀ ମଲ୍ଲିକ ନିଜ ସମର୍ଥକମାନଙ୍କ ସହ ଯାଉଥିଲେ। ଏ ଖବର ପାଇ ବିଷ୍ଣୁଙ୍କ ସମର୍ଥକମାନେ ପୂର୍ବରୁ କଟକ-ପାରାଦୀପ ରାସ୍ତାର ସାରଳାରୋଡ଼ ଛକଠାରେ ଅପେକ୍ଷା କରି ରହିଥିଲେ। ରାଜଶ୍ରୀ ସେଠାରେ ପହଞ୍ଚିବା କ୍ଷଣି ବିଷ୍ଣୁଙ୍କ ସମର୍ଥକ ପୂର୍ବତନ ତିର୍ତ୍ତୋଲ ବ୍ଲକ ସଭାପତି ଅଶୋକ ରାଉତ, ପୂର୍ବତନ ଯୁବ ସଭାପତି ବିମଳ ମହାପାତ୍ର, ଛାତ୍ର ଜନତା ସଭାପତି ଦେବୀପ୍ରସାଦ ମହାପାତ୍ର, ରବୀନ୍ଦ୍ର ସେଠୀ, ସୁରେନ୍ଦ୍ର ମହାନ୍ତି, ଭାସ୍କର ନାୟକ, ଧ୍ରୁବ ଖଟୁଆ ପ୍ରମୁଖ ତାଙ୍କ ଗାଡ଼ିକୁ ଅଟକାଇଥିଲେ। କେତେଜଣ ବିଷ୍ଣୁ ସମର୍ଥକ ସାଂସଦଙ୍କ ଗାଡ଼ି ଆଗରେ ଶୋଇ ଯାଇଥିଲେ। ଆଗକୁ ଯାଇ ନ ପାରିବାରୁ ବାଧ୍ୟହୋଇ ସାଂସଦ ରାଜଶ୍ରୀ ଗାଡ଼ିରୁ ଓହ୍ଲାଇ ନିଜର ଜଣେ ସମର୍ଥକଙ୍କ ବାଇକ୍‌ରେ ବସି ବନ ମହୋତ୍ସବ ସ୍ଥଳକୁ ଯାଇଥିଲେ।

ଆଜିର ଘଟଣାକୁ ନେଇ ଉଭୟ ପକ୍ଷ ପରସ୍ପରକୁ ଦୋଷାରୋପ କରିଛନ୍ତି। ବିଧାୟକଙ୍କୁ ନ ଜଣାଇ ସାଂସଦ ତାଙ୍କ ଅଞ୍ଚଳକୁ ଆସିଥିବାରୁ ଏଭଳି ବିରୋଧ କରାଯାଇଥିବା ବିଷ୍ଣୁଙ୍କ ସମର୍ଥକମାନେ କହିଛନ୍ତି। ଅପରପକ୍ଷରେ, କୌଣସି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ଆସିଲେ ସବୁ ବାଧା ସତ୍ତ୍ବେ ସେଥିରେ ଯୋଗ ଦେବେ ବୋଲି ସାଂସଦ ରାଜଶ୍ରୀ କହିଛନ୍ତି।

ଗତ ସରକାର ଅମଳରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାକୁ ନେଇ ଘଟୁଥିବା ଘଟଣା ଜଗତ୍‌ସିଂହପୁର ରାଜନୀତିକୁ ସରଗରମ କରି ରଖୁଥିଲା। ଏହାର ଯେ ଅବସାନ ଘଟିନାହିଁ, ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର