ମେକ୍‌ ଇନ୍ ଓଡ଼ିଶା ବିଜ୍ଞାପନରେ ‘ଜଗରନଉଟ୍‌’ ଶବ୍ଦ ବ୍ୟବହାର ନେଇ ବିବାଦ

ଗତକାଲି ନାପସନ୍ଦ କରିଥିଲେ ଗଜପତି, ଏପରି ଶବ୍ଦ ବ୍ୟବହାର ଅପମାନଜନକ: ବିଶ୍ବଭୂଷଣ

ଭୁବ‌େନଶ୍ବର : ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ‘ଜଗରନଉଟ୍’ ଶବ୍ଦର ବ୍ୟବହାର ନେଇ ବିବାଦ ଦେଖାଦେଇଛି। ଗତକାଲି ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଶବ୍ଦର ବ୍ୟବହାର ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ ଏହାକୁ ସମାଲୋଚନା କରି ଓଡ଼ିଶା ମାଟିରେ ‘ଜଗରନଉଟ୍‌’ ଶବ୍ଦ ବ୍ୟବହାର କରି ଓଡ଼ିଆ ଜାତିର ଭାବାବେଗକୁ ରାଜ୍ୟ ସରକାର ଆଘାତ ଦେଇଛନ୍ତି ବୋଲି କହିଛନ୍ତି।

ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଦେଇଥିବା ବିଜ୍ଞାପନରେ ଲେଖାଯାଇଥିଲା ‘କମ୍, ଜଏନ୍‌ ଦ ଜଗରନଉଟ୍‌’। ଏହାର ଅର୍ଥ କ’ଣ ଓ ଏହି ଶବ୍ଦକୁ କାହିଁକି ବ୍ୟବହାର କରାଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ଜଗରନଉଟ୍‌’ ଶବ୍ଦ ଓଡ଼ିଶାରେ କେହି ବ୍ୟବହାର କରନ୍ତି ନାହିଁ। ଜଗନ୍ନାଥଙ୍କୁ ଏପରି ବିକୃତ କରି ଦର୍ଶାଇବା ଅତ୍ୟନ୍ତ ହୀନ ଓ ଓଡ଼ିଆ ସଂସ୍କୃତି ବିରୋଧୀ ମାନସିକତା। ଜଗନ୍ନାଥ ସଂସ୍କୃତି ବିଷୟରେ ଅଜ୍ଞ ଓ ମହାନ ସଂସ୍କୃତିର ବିରୋଧୀ କିଛି ବିଦେଶୀ ବ୍ୟକ୍ତି ଜଗନ୍ନାଥଙ୍କୁ ଏପରି ବିକୃତ କରି ‘ଜଗରନଉଟ୍‌’ କହୁଛନ୍ତି। କିଛି ଅସହିଷ୍ଣୁ ବ୍ୟକ୍ତି ଜଗନ୍ନାଥଙ୍କୁ ବ୍ୟଙ୍ଗ କରି ଏପରି ଶବ୍ଦ ପ୍ରୟୋଗ କରୁଛନ୍ତି। ରାଜ୍ୟ ସରକାର ପ୍ରଭୁ ଜଗନ୍ନାଥ ଓ ଓଡ଼ିଆ ଜାତିକୁ ଅପମାନିତ କରିଥିବାରୁ ମୁଖ୍ୟମନ୍ତ୍ରୀ ନିଜ ଦୋଷକୁ ସ୍ବୀକାର କରି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର