ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲା ଜଜ୍‌ : ଭକ୍ତଙ୍କୁ ଶୋଷଣ ନେଇ ଆଲୋଚନା, ସୁପ୍ରିମକୋର୍ଟଙ୍କୁ ୩୦ ସୁଦ୍ଧା ରିପୋର୍ଟ

ପୁରୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ଦୌରା ଜଜ୍‌ ଅମ୍ବୁଜ ମୋହନ ଦାସ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିରରେ ଭକ୍ତଙ୍କୁ ଶୋଷଣ, ଦର୍ଶନରେ ଶୃଙ୍ଖଳା ଓ ପରିଚାଳନା ସମସ୍ୟା ଆଦି ପ୍ରସଙ୍ଗରେ ଜିଲ୍ଲା ଜଜ୍‌ ଶ୍ରୀ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ପି ସାର୍ଥକ ଷଡଙ୍ଗୀ, ନୀତି ପ୍ରଶାସକ ପ୍ରଦୀପ ଦାଶଙ୍କ ସହିତ ପ୍ରାୟ ଦୁଇ ଘଣ୍ଟା କାଳ ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ଶୋଷଣ ମୁକ୍ତ କରିବା ସହିତ ବ୍ୟବସ୍ଥିତ ଦର୍ଶନ ନେଇ କିଛି ସମୟ ଆଲୋଚାନ କରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ଜୁନ୍‌ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ। ଜିଲ୍ଲା ଜଜ୍‌ ଏ ନେଇ ପୁଣିଥରେ ଆଲୋଚନା କରିବା ସହିତ ଶ୍ରୀମନ୍ଦିର ପରିସରରେ ମଧ୍ୟ ପ୍ରତ୍ୟକ୍ଷ ଭାବେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ବିଶ୍ୱସ୍ତସୂତ୍ରରୁ ଜଣାପଡୁଛି।

ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ଶ୍ରୀମନ୍ଦିର ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଥିଲେ। ଶ୍ରୀମନ୍ଦିରରେ ଭକ୍ତମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ଦେଉଥିବା ଦାନକୁ ଭାଗ କରିବାର ଅଧିକାର ଶ୍ରୀମନ୍ଦିରର ସେବକ ଓ କର୍ମଚାରୀ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ। ଏପରିକି ଦାନ କେବଳ ହୁଣ୍ଡିରେ ପକାଯିବ ବୋଲି ମଧ୍ୟ ମାନ୍ୟବର କୋର୍ଟ କହିଥିଲେ। ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଯେଉଁଭଳି ଶୋଷଣ କରାଯାଉଛି ତାକୁ କିଭଳି ବନ୍ଦ କରାଯିବ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପରିଚାଳନାରେ ଅବ୍ୟବସ୍ଥା, ବିଶେଷ କରି ଦର୍ଶନ କରିବାକୁ ଯାଉଥିବା ଭକ୍ତମାନେ ଯେଉଁ ସବୁ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଭକ୍ତଙ୍କୁ ଯେଉଁଭଳି ଶୋଷଣ କରାଯାଉଛି ସେ ସବୁ ସଂକ୍ରାନ୍ତରେ ଅନୁଧ୍ୟାନ କରି ଆସନ୍ତା ୩୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ପୁରୀ ଜିଲ୍ଲା ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର