ଜିଲ୍ଲା ଖଣିଜ ଅର୍ଥ ‘ଆକାଂକ୍ଷୀ’ ପାଇଁ ଉପହାସ!

0 107

ଭୁବନେଶ୍ୱର : ୨୦୨୨ ସୁଦ୍ଧା ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶର ୧୧୫ଟି ଜିଲ୍ଲାର ନକ୍ସା ବଦଳିଯିବ। ପଛୁଆ, ଅନଗ୍ରସର ଜିଲ୍ଲାଗୁଡ଼ିକ ପାଲଟିବ ବିକଶିତ ଜିଲ୍ଲା। ସେହି ଜିଲ୍ଲାଗୁଡ଼ିକ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବେ। ମୋଦି ସରକାରଙ୍କ ‘ନୂଆ ଭାରତ’ର ଭିଜନ୍‌ ସେସବୁ ଜିଲ୍ଲାରେ ପ୍ରତିଫଳିତ ହେବ। ସାମାଜିକ-ଅର୍ଥନୈତିକ ବିକାଶର ଅଧୀନ ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା, କୌଶଳ ବିକାଶ, କୃଷି, ଜଳ ସଂପଦ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ମୌଳିକ ଭିିଭୂମିର ବିକାଶ ଆଦି ୬ଟି ମୁଖ୍ୟ ମାପକାଠି ଆଧାରରେ ଏହି ୧୧୫ଟି ଜିଲ୍ଲାଗୁଡ଼ିକୁ ଚୟନ କରାଯାଇଛି। ‘ସବ୍‌କା ସାଥ୍‌, ସବ୍‌କା ବିକାଶ’କୁ ବିକାଶର ମନ୍ତ୍ର ଭାବେ ବିବେଚନା କରାଯାଇଛି। ଏହି ମର୍ମରେ ଯୋଜନାରେ ଆକାଂକ୍ଷାର ଲମ୍ବାଚୌଡ଼ା ଆଭିମୁଖ୍ୟ ପୋଷଣ କରିଛି ନୀତି ଆୟୋଗ। କିନ୍ତୁ ଏହି ଯୋଜନାରେ ଅର୍ଥ ବରାଦ ନାହିଁ କି ନିର୍ଦିଷ୍ଟ ରୂପରେଖ ଦେଖିବାକୁ ମିଳୁନାହିଁ। ରାଜ୍ୟ ସରକାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଅର୍ଥରୁ ଯୋଜନା କାର୍ଯ୍ୟକାରୀ କରିବେ। କିନ୍ତୁ ବାହାବା ନେବ କେନ୍ଦ୍ର। ଏଥିରେ କେଉଁ ଅଣବିଜେପି ରାଜ୍ୟ ସରକାର ସହମତି ପ୍ରକାଶ କରିବେ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।

ବାସ୍ତବ ସମସ୍ୟା ସେତିକିରେ ସୀମିତ ନୁହେଁ। ଆକାଂକ୍ଷୀ ଯୋଜନା ଅନୁଯାୟୀ ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ବାବଦ ସମସ୍ତ ଖର୍ଚ ଡିଏମ୍‌ଏଫ୍‌ ବା ଖଣିଜ ପାଣ୍ଠିରୁ କରାଯିବ। କିନ୍ତୁ ରାଜ୍ୟର ୧୦ଟି ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲାରୁ ଖଣିଜ ପାଣ୍ଠି ଆଦାୟ ହାର ନଗଣ୍ୟ। ନମୁନା ସ୍ୱରୂପ ବଲାଙ୍ଗୀର ଜିଲ୍ଲାରେ ୨୦୧୭-୧୮ ଆର୍ଥିକ ବର୍ଷର ଫେବ୍ରୁଆରି ମାସ ଶେଷ ସୁଦ୍ଧା ଏ ବାବଦରେ ଆଦାୟ ହୋଇଛି ମାତ୍ର ୧୯ ଲକ୍ଷ ଟଙ୍କା। ସେହି ଅର୍ଥରେ କିପରି ‘ନୂଆ ଭାରତ’ ସ୍ୱପ୍ନ ସାକାର କରିବେ କେନ୍ଦ୍ର ସରକାର। ଏହା ଜିଲ୍ଲାବାସୀଙ୍କ ପାଇଁ ଉପହାସ ହେବ ନାହିଁ କି? ଏହି ଜିଲ୍ଲାରୁ ୨୦୧୫-୧୬ରେ ୨୯ ଲକ୍ଷ ଆଦାୟ ହୋଇଥିଲା। ୨୦୧୫-୧୬ ଓ ୨୦୧୭-୧୮ରେ ୧୯ ଲକ୍ଷ ଲେଖାଏଁ ଗତ ତିନିବର୍ଷରେ ମୋଟ ୬୭ ଲକ୍ଷ ଟଙ୍କା ଆଦାୟ ହୋଇଛି। କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ, ଗତ ତିନିବର୍ଷରେ ଦେବଗଡ଼ ଜିଲ୍ଲାରୁ ମାତ୍ର ୮ ଲକ୍ଷ, ଗଜପତି ଜିଲ୍ଲାରୁ ୪୪ ଲକ୍ଷ, କନ୍ଧମାଳ ଜିଲ୍ଲାରୁ ୪୧ ଲକ୍ଷ, ମାଲକାନଗିରି ଜିଲ୍ଲାରୁ ୧୬ ଲକ୍ଷ, ନୂଆପଡ଼ା ଜିଲ୍ଲାରୁ ୧୮ ଲକ୍ଷ, ନବରଙ୍ଗପୁର ଜିଲ୍ଲାରୁ ୯୮ ଲକ୍ଷ, କଳାହାଣ୍ଡି ଜିଲ୍ଲାରୁ ୮.୬୨ କୋଟି, କୋରାପୁଟ ଜିଲ୍ଲାରୁ ୮୧.୪୯ କୋଟି, ରାୟଗଡ଼ା ଜିଲ୍ଲାରୁ ୫୭.୩୨ କୋଟି ଟଙ୍କା ଆଦାୟ ହୋଇଛି।

ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ଵୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ସବୁ ପଛୁଆ ଜିଲ୍ଲାରେ ଗୁରୁ ଖଣିଜ ସଂପଦ ଗଚ୍ଛିତ ନାହିଁ। କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ମୟୂରଭଞ୍ଜ ଭଳି ଖଣିଜ ସଂପଦଭରା ଜିଲ୍ଲାଗୁଡ଼ିକୁ ଛାଡ଼ିଦେଲେ ଅଧିକାଂଶ ଜିଲ୍ଲାରୁ ଲଘୁ ଖଣିଜ ବାବଦରେ ଯେତିକି ଅର୍ଥ ଆଦାୟ ହେଉଛି, ସେତିକି ଅର୍ଥରେ ସେହି ଜିଲ୍ଲାଗୁଡ଼ିକୁ ଆକାଂକ୍ଷୀ ଯୋଜନାରେ ବିକଶିତ କରିବା ଅସମ୍ଭବ। ବିଶେଷ କରି କେବିକେ ଅନ୍ତର୍ଗତ ପଛୁଆ ଜିଲ୍ଲାଗୁଡ଼ିକରେ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ପଛୁଆ ଅଞ୍ଚଳ ଉନ୍ନୟନ ପାଣ୍ଠି(ବିଆରଜିଏଫ୍‌) ଯୋଜନାକୁ କେନ୍ଦ୍ର ସରକାର ଉଚ୍ଛେଦ କରିସାରିଛନ୍ତି। ଏଣୁ ଡିଏମ୍‌ଏଫ୍‌ ଛାଡ଼ି ଆକାଂକ୍ଷୀ ଯୋଜନାରେ କେନ୍ଦ୍ର ସରକାର ଅନ୍ୟ ସୂତ୍ରରୁ ସହାୟତା ଦେଲେ, ଯୋଜନା କାର୍ଯ୍ୟକାରୀ ହୋଇପାରିବ। ତେବେ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ କହିବାନୁସାରେ ଅନ୍ୟ ସୂତ୍ରରୁ ଅର୍ଥ ନ ଦେବାକୁ କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି। ବିଭାଗୀୟ ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଆକାଂକ୍ଷୀ ଯୋଜନାରେ ଜଣେ ଲେଖାଏଁ କେନ୍ଦ୍ରୀୟ ପ୍ରଭାରୀଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ୧୦ଟି ଜିଲ୍ଲା ନିମନ୍ତେ ୧୦ଜଣ ପ୍ରଭାରୀ ନିଯୁକ୍ତ ହେଲେ, ସେମାନଙ୍କ ନିୟମିତ ଯାତାୟାତ ଖର୍ଚ, ରହଣି, ଗସ୍ତ ବାବଦରେ ଯେତିକି ଖର୍ଚ ହେବ, କିଛି ଆକାଂକ୍ଷୀ ଜିଲ୍ଲା ଡିଏମ୍‌ଏଫ୍‌ ଅର୍ଥରେ ତାହା ତୁଲାଇବା ମଧ୍ୟ କଷ୍ଟକର ହୋଇପଡ଼ିବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆକାଂକ୍ଷା ଯୋଜନାରେ ରାଜ୍ୟର ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇ ନ ଦେଲେ, ଯୋଜନା କିପରି କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.