ଡିଏମ୍‌ଏଫ୍‌ ପାଣ୍ଠିରେ ବାବୁଙ୍କ ପ୍ରକୋଷ୍ଠ ନିର୍ମାଣ

୭୦ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ନୂଆ ଫନ୍ଦି

କୋରାପୁଟ : କୋରାପୁଟରେ ଜିଲ୍ଲା ଖଣିଜ ପାଣ୍ଠିକୁ (ଡିଏମଏଫ) ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଯେଉଁ ଉଦ୍ଦେଶ୍ୟରେ ଏହି ଅର୍ଥକୁ ବିନିଯୋଗ କରାଯିବା କଥା ତାହା ହେଉନାହିଁ। ବରଂ, ଏହି ଅର୍ଥକୁ ସରକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ମରାମତି ସାଂଗକୁ ଦାମୀ ଆସବାବପତ୍ର କିଣାରେ ବିନିଯୋଗ କରାଯାଉଛି। ଏଭଳି ଘଟଣା ଜଣାପଡ଼ିବା ପରେ କୋରାପୁଟ ଜିଲ୍ଲାରେ ଡିଏମ୍ଏଫ୍ ପାଣ୍ଠିକୁ କିଭଳି ଦୁରୁପଯୋଗ କରାଯାଇଛି ତାହା ପଦାରେ ପଡ଼ିଛି ।

କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) କାର୍ଯ୍ୟାଳୟକୁ ଗତ କିଛି ଦିନ ଧରି ନବୀକରଣ ଆରମ୍ଭ କରାଯାଇଛି। ନୂଆ ଟାଇଲ ପଡିବା ସହ କାଠରେ ଅଧିକାରୀଙ୍କ ପ୍ରକୋଷ୍ଠକୁ ସଜାହୋଇଛି। ନୂଆ କବାଟ, ଝରକା ପ୍ୟାନେଲ ଲଗାଯିବା, ସିଲିଂ ହେବା, ରଙ୍ଗ ଦିଆଯିବା ପରି କାମ କରାହୋଇଛି। ଦାମୀ ଚୌକି ଓ ଟେବୁଲ ବି ପଡ଼ିଛି । ବିଗତ ଦିନରେ କାର୍ଯ୍ୟାଳୟର ଅଧିକାରୀଙ୍କ ପ୍ରକୋଷ୍ଠ ଯାହା ଥିଲା, ଏବେ ଏହାର ଚେହେରା ସଂପୂର୍ଣ୍ଣ ବଦଳିଯାଇଛି।

ମିଳିଥିବା ସୂଚନା ଅନୁସାରେ, ନିଜ ପ୍ରକୋଷ୍ଠକୁ ସଜାଇବା ପାଇଁ ଅଧିକାରୀମାନେ ଡିଏମ୍‌ଏଫ୍ ପାଣ୍ଠିରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପାଖାପାଖି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିପାଇଁ ଟେଣ୍ଡର କରାଯାଇନାହିଁ କିମ୍ବା ଟେଣ୍ଡର ସଂପର୍କରେ ବିଜ୍ଞାପନ ପ୍ରକାଶ କରାଯାଇନାହିଁ । ଲୁଚାଛପାରେ ନୋଟିସ ବୋର୍ଡରେ ବିଜ୍ଞାପନ ଝୁଲାଇ ଦେଇ କାମ ବଢେଇ ଦିଆହୋଇଛି। ଏଥିପାଇଁ ଏକ ନୂଆ ଫନ୍ଦି ବାହାର କରାଯାଇଛି। ସରକାରୀ ନିୟମ ଅନୁସା‌ରେ, ୫ ଲକ୍ଷ ଟଙ୍କାରୁ କମ୍‌ ଟଙ୍କାର କାମ ପାଇଁ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିବା ବାଧ୍ୟତାମୂଳକ ନୁହଁ। ଏହା ବିନା ବିଜ୍ଞାପନରେ ବିଭାଗୀୟ ଭାବେ କିଭଳି କରାଯାଇପାରିବ, ସେଥିପାଇଁ ସମସ୍ତ କାମକୁ ଭାଗ ଭାଗ କରି ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏଥିପାଇଁ ଗୋଟିଏ ସଂସ୍ଥାକୁ ଠିକା ଦିଆଯାଇଛି।

ପୂର୍ବରୁ ଡିଏମ୍‌ଏଫ୍‌ ପାଣ୍ଠିର ଅପବ୍ୟବହାର ନେଇ ବହୁବାର ଅଭିଯୋଗ ଆସିଛି। ଖଣି ପ୍ରଭାବିତ ଅଂଚଳରେ ଟଙ୍କା ଖର୍ଚ୍ଚ କରା ନଯାଇ ଅଧିକାରୀଙ୍କ ମର୍ଜି‌ରେ ଏହାକୁ ବ୍ୟବହାର କରାଯାଉଥିବା ଏବେ ସ୍ପଷ୍ଟ ହୋଇଛି । ତେବେ, ଏ ସମ୍ପର୍କରେ ଡିଆରଡିଏ ପିଡିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଭିଜିଲାନ୍‌ସ ପକ୍ଷରୁ ତୁରନ୍ତ ଏହାର ତଦନ୍ତ କରାଯିବାକୁ ଦାବି ହୋଇଛି ।

ସମ୍ବନ୍ଧିତ ଖବର