ଜିଲ୍ଲା ସମୀକ୍ଷା ବୈଠକରେ ରାଜ୍ୟପାଳ

ଛୁଟିରେ ଜିଲ୍ଲାପାଳ; ସିଡିଏମ୍‌ଓଙ୍କୁ ଅଧଘଣ୍ଟା ପ୍ରଶ୍ନ

କଟକ : ୨୦୧୪ ପୁର୍ବର ସ୍ଥିତି ଆଉ ନାହିଁ। ୨୦୧୪ରୁ ୨୦୧୮ ମସିହା ଭିତରେ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳଠାରୁ ନେଇ ଅଫିସରଙ୍କ ଦକ୍ଷତା, କାର୍ଯ୍ୟଶୈଳୀ ପ୍ରତ୍ୟେକ କ୍ଷେତ୍ରରେ ଆମୂଳଚୂଳ ସୁଧାର ଆସିଛି। ଆଗାମୀ ଦିନରେ ରାଇଜିଙ୍ଗ, ଡିଭାଇନ୍, ସାଇନିଂ, ଲଭେବୁଲ ଓ ଗ୍ଲୋରିୟସ ଇଣ୍ଡିଆର ସ୍ବପ୍ନ ନିଶ୍ଚୟ ହେବ ‌ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଆଜି କଟକ ଗସ୍ତରେ ଆସି ରାଜ୍ୟପାଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ତାଙ୍କ ସହ ପ୍ରମୁଖ ଶାସନସଚିବ ମଧୁସୂଦନ ପାଢୀ ଯୋଗଦେଇ ଶିକ୍ଷା, ସ୍ବାସ୍ଥ୍ୟ, ଶିଶୁ ଓ ମାତୃ ମୃତ୍ୟୁହାର, ଗ୍ରାମୀଣ ଓ ସହରାଞ୍ଚଳ ଆବାସ, ସ୍ବଚ୍ଛ ମଳମୁକ୍ତ ଗାଁ, ସୌଭାଗ୍ୟ ତଥା ବିଭିନ୍ନ ଯୋଜନା ସଂପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଛୁଟିରେ ଥିବାରୁ ଏହି ବୈଠକରେ ଉପସ୍ଥିତ ନଥିବା ବେଳେ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। କୌଣସି ରାଜ୍ୟପାଳ ଏଭଳି ଜିଲ୍ଲାସ୍ତରୀୟ ବୈଠକରେ ଯୋଗ ଦେବାର ରେକର୍ଡ ଗଲା ଅନେକ ବର୍ଷ ଧରି ଉପଲବ୍ଧ ନ ଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏଭଳି ସମୀକ୍ଷା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଅନ୍ୟପକ୍ଷରେ, ସ୍ବାସ୍ଥ ସମସ୍ୟା ତଥା ଶିଶୁ ଓ ମାତୃମୃତ୍ୟୁହାରରୁ ଆରମ୍ଭ ହୋଇଥିଲା ସମୀକ୍ଷା ବୈଠକ। ଯେଉଁଠି ପ୍ରଥମେ ପ୍ରମୁଖ ଶାସନ ସଚିବ ଶ୍ରୀ ପାଢୀ ସିଡିଏମ୍‌ଓଙ୍କୁ ୨୦୧୭-୧୮ରେ କେତେ ଶିଶୁ ଜନ୍ମ ହୋଇଛନ୍ତି ତାର ରିପୋର୍ଟ ମାଗିଥିଲେ। ଶିଶୁ ମୃତ୍ୟୁ ହାର ତାଲିକା, ଜନ୍ମ ଓ ମୃତ୍ୟୁହାରର ତଥ୍ୟ ପିଲାଙ୍କ ଓଜନ କେତେ ରହୁଛି, ଅପପୁଷ୍ଟିର ଶିକାର ପାଇଁ କଣ ପଦକ୍ଷେପ ନିଆଯାଇଛି, ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ। କେବଳ ରିପୋର୍ଟ ତିଆରି କରି ଭଲ ବେଞ୍ଚ ମାର୍କ ରଖିଲେ ହେବନାହିଁ। ରିପୋର୍ଟର ସମୀକ୍ଷା କରି ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ପାଢୀ କହିବା ସହ ପ୍ରାୟ ଅଧଘଣ୍ଟା ଧରି ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ସିଡିଏମ୍‌ଓଙ୍କୁ ପଚାରିଥିଲେ। ପ୍ରତି ହଜାରେରେ ୪.୨୩ ଶିଶୁଙ୍କ ମୃତ୍ୟୁ ଘଟୁଥିବା ରିପୋର୍ଟକୁ ନେଇ ଶ୍ରୀ ପାଢୀ ସନ୍ଦେହ ପ୍ରକଟ କରିଥିଲେ।

ଏହି ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ହରିଶ ଚନ୍ଦ୍ର ନାୟକ, ଡ଼ିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ସଦର ଉପଜିଲ୍ଲାପାଳ ସୁକାନ୍ତ ପ୍ରଧାନ, ଜରୁରିକାଳୀନ ଅଧିକାରୀ ‌ପ୍ରବୋଧ ରାଉତ୍‌ଙ୍କ ସମେତ ବିଭିନ୍ନ ଜିଲ୍ଲାସରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର