ପ୍ରତି ଜିଲ୍ଲାରେ ଗଠନ ହେବ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ

ଭୁବନେଶ୍ୱର : ପର୍ଯ୍ୟଟନସ୍ଥଳୀକୁ ସୁଦୂରପ୍ରସାରୀ କରିବା ପାଇଁ ତୃଣମୂଳସ୍ତରରୁ ଗଢ଼ାଯିବ ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ତଥା ଡିଷ୍ଟ୍ରିକ୍ଟ୍‌ ଟୁରିଜିମ୍‌ ପ୍ରମୋସନ୍‌ କାଉନ୍‌ସିଲ୍‌ (ଡିଟିପିସି)। ଜିଲ୍ଲାସ୍ତରରେ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ରଖୁଥିବା ସ୍ଥାନ ଚିହ୍ନଟ କରିବା ସହ ଜିଲ୍ଲାସ୍ତରରେ ପର୍ଯ୍ୟଟନ ସମ୍ବନ୍ଧରେ ସୂଚନା ପ୍ରଚାର ପ୍ରସାରରେ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ ଡିଟିପିସି।

ଡିଟିପିସି ଜରିଆରେ ପର୍ଯ୍ୟଟନସ୍ଥଳୀରେ ଭିତ୍ତିଭୂମି ସଜଡ଼ାଯିବା ସହ ଅନ୍ୟ ସରକାରୀ ଏଜେନ୍ସିର ସହଯୋଗରେ ପର୍ଯ୍ୟଟନ ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯିବ। ଜିଲ୍ଲା େଓ୍ଵବ୍‌ସାଇଟ୍‌ରେ ପର୍ଯ୍ୟଟନ ସମ୍ବନ୍ଧରେ ଅପ୍‌ଡେଟ୍‌ ସୂଚନା ଅପ୍‌ଲୋଡ୍‌ କରାଯିବ। ପର୍ଯ୍ୟଟନସ୍ଥଳୀ ନିକଟବର୍ତୀ ଅଞ୍ଚଳର ଲୋକଙ୍କୁ ଗାଇଡ୍‌, ଫ୍ରିଲାନ୍‌ସର, ଫଟୋଗ୍ରାଫର ଭାବେ ନିୟୋଜିତ କରିବା ପାଇଁ ଦକ୍ଷତା ଭିତ୍ତିରେ ସୁଯୋଗ ଦିଆଯିବ। ପର୍ଯ୍ୟଟନସ୍ଥଳୀ ନିକଟରେ ଥିବା ସ୍ଥାନୀୟ ବାସିନ୍ଦାଙ୍କ ଘରେ ହୋମ୍‌ ଷ୍ଟେ ଭଳି ବ୍ୟବସ୍ଥା କରି ରୋଜଗାର ସୁଯୋଗ ସୃଷ୍ଟି କରାଯିବ। ପର୍ଯ୍ୟଟନକୁ ଆଧାର କରି ନିର୍ଦିଷ୍ଟ କାର୍ଯ୍ୟକ୍ରମ କ୍ୟାଲେଣ୍ଡର୍‌ ପ୍ରସ୍ତୁତ କରାଯିବ।

ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସମ୍ପୃକ୍ତି ସହ ସେହି ଅଞ୍ଚଳର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ‘ଟୁରିଜିମ୍‌ ଡେଷ୍ଟିନେସନ୍‌ ଡେଭଲପ୍‌ମେଣ୍ଟ୍‌ ବଡିଜ୍‌’ ଗଠନ କରାଯିବ। ଏହି ସଂଗଠନ ଜରିଆରେ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରାଯିବ। ସେଠିକାର ଇକୋ ଟୁରିଜିମ୍‌ ସୋସାଇଟିର ବିକାଶ ସହ ସମର୍ଥନ ଦିଆଯିବ। ସମସ୍ତ ପର୍ଯ୍ୟଟନ ପ୍ରକଳ୍ପ କିଭଳି ଅର୍ଥନୈତିକ ଦୃଷ୍ଟିରୁ ମଜଭୁତ ହୋଇପାରିବ ସେନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ। ଡିଟିପିସି ଅଧୀନରେ ଏକ କାର୍ଯ୍ୟକାରୀ ସମିତି ପରିଷଦର ବ୍ୟବସାୟିକ ଦିଗ ପ୍ରତି ଦୃଷ୍ଟି ଦେବ। ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଫ୍‌ଓ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ, ନଗରପାଳ/ମେୟର, ଏସ୍‌ପିଙ୍କ ସମେତ ଅନ୍ୟ ବିଭାଗରୁ ୧୭ଜଣଙ୍କୁ ନେଇ ପରିଷଦ ଗଠିତ ହେବ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପରିଷଦର ସମ୍ପାଦକ ରହିବେ ଏବଂ ରେଭେନ୍ୟୁ ଡିଭିଜନାଲ କମିସନର୍‌ ପୃଷ୍ଠପୋଷକତା କରିବେ।

ଏନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଏହି ପରିଷଦ ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବାରେ ଭୂମିକା ନେବ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେ କହିଛନ୍ତି।

ସମ୍ବନ୍ଧିତ ଖବର