ଭିମ୍‌ସାରରୁ ଭେଣ୍ଟିଲେଟର ଫେରିଯିବା ଘଟଣା, ତଦନ୍ତ କଲେ ଡିଏମ୍‌ଇଟି

ସମ୍ବଲପୁର : ବୁର୍ଲା ବଡ଼ ମେଡିକାଲରୁ ୪୦ଟି ଭେଣ୍ଟିଲେଟର ଫେରିଯିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ଏହି ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ ଯାଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ କରି ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ। ୨୪ ଘଣ୍ଟା ନପୂରୁଣୁ ରବିବାର ଡାକ୍ତରୀ ଶିକ୍ଷା ଓ ତାଲିମ୍‌ ନିର୍ଦେଶାଳୟ (ଡିଏମ୍‌ଇଟି)ନିର୍ଦେଶକ ପ୍ରଫେସର ସୋନାମାଳୀ ବାଗ ନିଜେ ତଦନ୍ତ ପାଇଁ ବୁର୍ଲା ମେଡିକାଲରେ ପହଞ୍ଚିଥିଲେ। ମେଡିକାଲରେ ପ୍ରକୃତରେ ଭେଣ୍ଟିଲେଟର ରଖାଯିବା ପାଇଁ ସ୍ଥାନ ଅଛି ନା ନାହିଁ ଯାଞ୍ଚ କରିବା ପରେ ଡିନ୍‌ ପ୍ରଫେସର ବି.ଏମ.ମିଶ୍ର ଓ ଭାରପ୍ରାପ୍ତ ନିର୍ଦେଶକ ପ୍ର.ବିଜୟ ଦତ୍ତଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ। ଭିମ୍‌ସାର ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ସରଜମିନ ଅନୁଧ୍ୟାନ କରିଥିଲେ।

ଏସମ୍ପର୍କରେ ଭିମ୍‌ସାର ଡିନ୍‌ ପ୍ରଫେସର ମିଶ୍ରଙ୍କୁ ପଚରାଯିବାରେ ସକାଳ ୧୧ଟାରେ ଡିଏମ୍‌ଇଟି ଆସି ଭେଣ୍ଟିଲେଟର ଫେରିଯିବା ଘଟଣାର ସମସ୍ତ ଦିଗ ଉପରେ ତଦନ୍ତ କରିଥିଲେ। ଶେଷରେ ମେଡିକାଲ କର୍ତ୍ତୃପକ୍ଷଙ୍କଠାରୁ ଏସମ୍ପର୍କୀତ ତଥ୍ୟ ଓ ଦସ୍ତାବିଜ୍‌ ସହ ଲିଖିତ ରିପୋର୍ଟ ନେଇ ଅପରାହ୍ଣରେ ଶ୍ରୀ ବାଗ ଭୁବନେଶ୍ବର ଫେରି ଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ତଦନ୍ତ ସମ୍ପର୍କରେ ଡିଏମ୍‌ଇଟି ପ୍ରଫେସର ବାଗଙ୍କୁ ପଚାରିବାରେ ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିବା କହିଥିଲେ। ତେବେ କୌଣସି ଡାକ୍ତରୀ ଯନ୍ତ୍ରପାତି ଲଗାଇବା ପୂର୍ବରୁ ଏକ ସ୍ଥାନ ପ୍ରସ୍ତୁତି ପ୍ରମାଣପତ୍ର ପ୍ରଦାନ କରିବାକୁ ହୋଇଥାଏ। କିନ୍ତୁ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ମେଡିକାଲ ଉକ୍ତ ପ୍ରମାଣପତ୍ର ପ୍ରସ୍ତୁତ କରିବା ସମ୍ଭବ ହୋଇନାହିଁ। ତେଣୁ ସେମାନେ ଆସିଥିବା ଭେଣ୍ଟିଲେଟର ଫେରାଇ ଦେଇଥିବା ସ୍ବୀକାର କରିଛନ୍ତି ବୋଲି ପ୍ରଫେସର ବାଗ ସମ୍ବାଦକୁ କହିଥିଲେ।

ତୁହାକୁ ତୁହା ବୈଠକ
ସମ୍ବଲପୁର : ଭିମ୍‌ସାରର ଭେଣ୍ଟିଲେଟର ଫେରିଯିବା ଘଟଣା ସମ୍ବାଦରେ ପ୍ରକାଶ ପାଇବା ପରଠାରୁ ମେଡିକାଲ କର୍ତ୍ତୃପକ୍ଷ ତୁହାକୁ ତୁହା ବୈଠକ କରି ଏସମ୍ପର୍କରେ ତର୍ଜମା କରୁଥିବା ଜଣାପଡ଼ିଛି। ଶନିବାର ଏନେଇ ଆଭ୍ୟନ୍ତରୀଣ କମିଟି ବୈଠକ ହୋଇଥିବା ବେଳେ ରବିବାର ଦିନତମ‌ାମ୍‌ ମେଡିକାଲ ପରିସରରେ ବିଭିନ୍ନ ଅଧିକାରୀଙ୍କ ସହ ଉକ୍ତ ଘଟଣା ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଡିନ୍‌ ପ୍ରଫେସର ବି.ଏମ୍‌.ମିଶ୍ର, ଭାରପ୍ରାପ୍ତ ନିର୍ଦେଶକ ପ୍ର.ବିଜୟ ଦତ୍ତ, ପ୍ରଶାସନିକ ଅଧିକାରୀ ଡା.ସଚ୍ଚିଦାନନ୍ଦ ପାଣ୍ଡେ, ସୁପରସ୍ପେସାଲିଟି ହସ୍ପିଟାଲ ନୋଡାଲ ଅଧିକାରୀ ଡା. ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବୈଠକ ସମ୍ପର୍କରେ ପଚାରିବାରେ କୌଣସି ଅଧିକାରୀ ମୁହଁ ଖୋଲୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର