ବିବାଦରେ ଡିଏମ୍‌ଏଫ୍ : ପରିଚାଳନା ସଂସ୍ଥାର କାର୍ଯ୍ୟକାଳ ବୃଦ୍ଧି ନେଇ ବିବାଦ

ଜଣେ ଜିଲ୍ଲାପାଳ ଅସନ୍ତୁଷ୍ଟ, ଅନ୍ୟ ଜଣେ ସନ୍ତୁଷ୍ଟ

କେନ୍ଦୁଝର : ଡିଏମ୍‌ଏଫ୍‌ ପ୍ରକଳ୍ପର ତଦାରଖ କରୁଥିବା ୟରନେଷ୍ଟ ଆଣ୍ଡ ୟଙ୍ଗ ସଂସ୍ଥାର ସମୟସୀମା ବୃଦ୍ଧି ନେଇ ବିବାଦ ଦେଖାଦେଇଛି। ଡିଏମ୍‌ଏଫ ଟ୍ରଷ୍ଟର ସଦସ୍ୟ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏହି ସଂସ୍ଥାର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇବା ସହିତ ସମୟ ସୀମା ବୃଦ୍ଧିକୁ ବିରୋଧ କରିଛନ୍ତି। ଖାଲି ସେତିକି ନୁ‌ହେଁ, ଏହି ସଂସ୍ଥାର କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ ବୋଲି ତତ୍‌କାଳୀନ ଜିଲ୍ଲାପାଳ ଏନ୍‌ ତିରୁମାଲା ନାଏକ ବାରମ୍ବାର ଚିଠି ଲେଖିଥିଲେ। ବର୍ତ୍ତମାନର ଜିଲ୍ଲାପାଳ ଆଶିଷ୍ ଠାକ୍‌ରେ ଏହି ସଂସ୍ଥାର କାର୍ଯ୍ୟକଳାପ ସନ୍ତୋଷଜନକ ବୋଲି ଦର୍ଶାଇ ସମୟ ସୀମା ବୃଦ୍ଧି କରିବା ପରେ ଏଭଳି ବିବାଦ ସୃଷ୍ଟି ହୋଇଛି।

କେନ୍ଦୁଝର ଜିଲ୍ଲାରେ ଥିବା ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ପରିଚାଳନା ପାଇଁ ୨୦୧୭ ଏପ୍ରିଲ ୭ ତାରିଖରେ ଗୁରୁଗାଓଁସ୍ଥିତ ୟରନେଷ୍ଟ ଆଣ୍ଡ ୟଙ୍ଗ ସଂସ୍ଥା ସହିତ ଡିଏମ୍‌ଏଫ୍‌ର ମ୍ୟାନେଜିଂ ଟ୍ରଷ୍ଟି ଭାବେ ଜିଲ୍ଲାପାଳ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହା ବିଶେଷକରି ପ୍ଲାନିଂ ଆଣ୍ଡ ମନିଟରିଂ ୟୁନିଟ୍‌(ପିଏମୟୁ) ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ଏହି ଅନୁଷ୍ଠାନର କାର୍ଯ୍ୟକଳାପ ନେଇ ତତ୍‌କାଳୀନ ଜିଲ୍ଲାପାଳ ଏନ୍‌ ତିରୁମାଲା ନାଏକ ସନ୍ତୁଷ୍ଟ ନ ଥିଲେ। ଏମିତିକି ୨୦୧୭ ଜୁନ୍ ୨୩ ରେ ଏହି ସଂସ୍ଥାକୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଚିଠି ନଂ-୨୦୭/ ତା-୨୩.୬.୨୦୧୭ରେ ସେ ଦର୍ଶାଇଥିଲେ ଯେ ବାରମ୍ବାର ଜଣାଇବା ସତ୍ତ୍ବେ କାର୍ଯ୍ୟଚାଲିବା ପାଇଁ ଯେତିକି କର୍ମଚାରୀ ଆବଶ୍ୟକ, ସେତିକି କର୍ମଚାରୀ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଇନାହିଁ। ସେହିପରି ‌କେତେକ କର୍ମଚାରୀ ପୂର୍ବରୁ ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ସତ୍ତ୍ବେ ସେମାନଙ୍କୁ ୟରନେଷ୍ଟ ଆଣ୍ଡ ୟଙ୍ଗ ସଂସ୍ଥା ନିଯୁକ୍ତି ଦେବା ନେଇ ମଧ୍ୟ ତତ୍‌କାଳୀନ ଜିଲ୍ଲାପାଳ ଆପତ୍ତି ଉଠାଇଥିଲେ। ସେତେବେଳେ ଏହି ସଂସ୍ଥା ଦ୍ବାରା ଯୋଗାଇ ଦିଆଯାଇଥିବା ଡାଟା ଏଣ୍ଟ୍ରି ଅପରେଟର ମଧ୍ୟ ଗୋଟିଏ ପାରାଗ୍ରାଫ ଟାଇପ୍‌ କରିବାକୁ ସମର୍ଥ ହେଉନାହିଁ ବୋଲି ସେ ଦର୍ଶାଇଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ନାଏକ ୨୦୧୭ ସେପ୍ଟେମ୍ବ ୧୮ ତାରିଖରେ ଚିଠି- ୩୩୩/ଡିଏମ୍‌ଏଫରେ ନିଜ ଅସନ୍ତୋଷ ଜଣାଇଥିଲେ। ଇତିମଧ୍ୟରେ ପ୍ରଥମ ଚୁକ୍ତିନାମା ଅନୁସାରେ ତିନିବର୍ଷ ବା ୩୬ ମାସ ପାଇଁ ଏହି ସଂସ୍ଥା କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଥିଲା। ଇତିମଧ୍ୟରେ ତାଙ୍କର ବଦଳି ହୋଇଯାଇଥିଲା।

ଏନ୍‌ ତିରୁମାଲା ନାଏକଙ୍କ ସ୍ଥାନରେ ଜିଲ୍ଲାପାଳ ଭାବେ ଆଶିଷ ଠାକ୍‌ରେ ୨୦୧୮ ରେ ଯୋଗଦେଇଥିଲେ। ତତ୍‌କାଳୀନ ଜିଲ୍ଲାପାଳ ଏହି ସଂସ୍ଥାର କାର୍ଯ୍ୟଧାରାରେ ବାରମ୍ବାର ଅସନ୍ତୋଷ ପ୍ରକାଶ କରୁଥି‌ଲାବେଳେ ବର୍ତ୍ତମାନର ଜିଲ୍ଲାପାଳ ଶ୍ରୀ ଠାକରେଙ୍କ ସମୟରେ ଏହାର ସମୟସୀମା ଦୁଇବର୍ଷ ବୃଦ୍ଧି ଘଟିଛି। ଗତ ୨ ତାରିଖରେ ଡିଏମ୍‌ଫ୍‌ ଟ୍ରଷ୍ଟ ବୋର୍ଡର ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ ହେବାବେଳେ ଖୋଦ୍‌ ଟ୍ରଷ୍ଟର ସଦସ୍ୟ ତଥା ସ୍ଥାନୀୟ ବିଧାୟକ ମୋହନ ଚରଣ ମାଝୀ ଏହାକୁ ବିରୋଧ କରିଥିଲେ। ମୋହନ ମାଝୀଙ୍କ କହିବା କଥା ଥିଲା, ଯଦି ତତ୍‌କାଳୀନ ଜିଲ୍ଲାପାଳ ଏହି ସଂସ୍ଥାର କାର୍ଯ୍ୟଧାରା ନେଇ ବାରମ୍ବାର କାରଣ ଦର୍ଶାଅ ନୋଟିସ କରୁଥିଲେ, ଏଭଳି ପରିସ୍ଥିତିରେ ଏହି ସଂସ୍ଥାର ସମୟସୀମା ବଢ଼ିବା ଉଚିତ ନୁ‌ହେଁ। ବରଂ ଅନ୍ୟକୌଣସି ନୂଆ ସଂସ୍ଥାକୁ ଦିଆଯିବା ଉଚିତ।

ଏ ସଂପର୍କରେ ମଧ୍ୟ ଆମେ ଜିଲ୍ଲାପାଳ ଆଶିଷ୍‌ ଠାକ୍‌ରେଙ୍କ ମତାମତ ନେଇଥିଲୁ। ସେ କହିଥିଲେ, ତତ୍‌କାଳୀନ ଜିଲ୍ଲାପାଳଙ୍କ ସମୟରେ ଉକ୍ତ ସଂସ୍ଥା କିଭଳି କାର୍ଯ୍ୟ କରୁଥିଲା ମୁଁ ଜାଣେ ନାହିଁ। ମାତ୍ର ମୁଁ ଡିଏମ୍‌ଏଫ୍‌ ମ୍ୟାନେଜିଂ ଟ୍ରଷ୍ଟି ଭାବେ ଦାୟିତ୍ବ ନେବା ‌ପରେ ଏହି ସଂସ୍ଥାର କାର୍ଯ୍ୟଧାରା ସନ୍ତୋଷଜନକ ଥିଲା। ସେଥିପାଇଁ ଏହାର କାର୍ଯ୍ୟକାଳ ଆଉ ଦୁଇବର୍ଷ ବୃଦ୍ଧି କରାଯାଇଛି। ବିଶେଷ କରି ଡିଏମ୍‌ଏଫର ବିଭିନ୍ନ ଯୋଜନା- ମଧ୍ୟାହ୍ନଭୋଜନରେ ଅଣ୍ଡା ଯୋଜନାଠୁ ଆରମ୍ଭ କରି କ୍ରେଚ୍‌ ଯୋଜନା ଓ ବିଭିନ୍ନ ଜୀବନଜୀବିକା କାର୍ଯ୍ୟକ୍ରମ ରାଜ୍ୟସ୍ତରରେ ପ୍ରଶଂସିତ ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ଠାକ୍‌ରେ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର