ପଞ୍ଜୀକରଣ ହେଲାନି ଡିଏମ୍‌ଏଫ୍‌ ଟ୍ରଷ୍ଟ, ୨୨ କୋଟି ବରବାଦ୍‌

କେନ୍ଦୁଝର : ଉଦ୍ଦେଶ୍ୟମୂଳକ ଭାବେ କେନ୍ଦୁଝର ଜିଲ୍ଲାର ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଟ୍ରଷ୍ଟ ବା ଡିଏମ୍‌ଏଫ୍‌ ଟ୍ରଷ୍ଟ ଏଯାଏ ପଞ୍ଜୀକରଣ ହେଉନାହିଁ। ଏହି ଟ୍ରଷ୍ଟ ପଞ୍ଜୀକରଣ ନ ହେବା କାରଣରୁ ଆୟକର ବାବଦରେ ୨୨ କୋଟି ବରବାଦ ହେଲାଣି। ଯଦି ଟ୍ରଷ୍ଟକୁ ପଞ୍ଜୀକରଣ କରାଯାଇଥାନ୍ତା, ତେବେ ଆୟକର ଦେବାରୁ ଟ୍ର‌ଷ୍ଟ ମୁକ୍ତ ରହିଥାନ୍ତା ଏବଂ ଆୟକର ଭାବେ ପଇଠ କରାଯାଇଥିବା ୨୨ କୋଟି ଟଙ୍କା କେନ୍ଦୁଝର ଜିଲ୍ଲାର ବିକାଶମୂଳକ କାର୍ଯ୍ୟରେ ଲାଗି ପାରିଥାନ୍ତା।

କେନ୍ଦୁଝର ଜିଲ୍ଲା ଏକ ଖଣିଜ ସଂପଦ ଭରା ଜିଲ୍ଲା। ଗତ ୨୦୧୫ ମାର୍ଚ୍ଚ ୨୬ ତାରିଖରେ ଡିଏମ୍‌ଏଫ୍‌ ଟ୍ରଷ୍ଟ ଗଠନ ପାଇଁ ନିୟମ ହେବା ପରେ କେନ୍ଦୁଝର ଜିଲ୍ଲାର ବିକାଶ ହେବ ବୋଲି ଜିଲ୍ଲାବାସୀ ବିଶ୍ବାସ କରୁଥିଲେ। ଡିଏମ୍‌ଏଫ୍‌ ଟ୍ରଷ୍ଟ ଗଠନ ସତ୍ତ୍ବେ ସରକାରୀ ଫନ୍ଦି ଫିକର ପାଇଁ କେନ୍ଦୁଝର ଜିଲ୍ଲାର ବିକାଶ ବଳି ପଡ଼ୁଛି। ନିୟମ ଅନୁସାରେ ଏହି ଟ୍ରଷ୍ଟ ପଞ୍ଜୀକରଣ ହେବାକୁ ଥିଲେ ହେଁ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ କରାଯାଉନାହିଁ। ଗତ ୪ ବର୍ଷ ମଧ୍ୟରେ ଏହି ଟ୍ରଷ୍ଟର ପାଖାପାଖି ୩୩୩୦ କୋଟି ଟଙ୍କା ବ୍ୟାଙ୍କରେ ଜମା ହେବା କାରଣରୁ ୨୨ କୋଟି ଆୟକର ପଇଠ କରିବାକୁ ପଡ଼ିଛି। ଡିଏମ୍‌ଏଫ୍‌ ଉପରେ ନିଜର ମତାମତ ଦେଇ କେନ୍ଦୁଝର ନାଗରିକ ସମାଜର ସଭାପତି ୱିଙ୍ଗ୍‌ କମାଣ୍ଡର କିରଣ ଶଙ୍କର ସାହୁ କହିଛନ୍ତି, ନିୟମ ଅନୁସାରେ ସୋସାଇଟି ଆକ୍ଟ ଅନୁସାରେ ଡିଏମ୍‌ଏଫ୍‌ ଟ୍ରଷ୍ଟ ପଞ୍ଜୀକରଣ ହେବା କଥା। ଏମିତିକି ୨୦୧୫ରୁ ଏହି ଟ୍ରଷ୍ଟ ଗଠନ ହୋଇଥିଲେ ବି ତାହା ଏଯାଏ ଉଦ୍ଦେଶ୍ୟମୂଳକ ଭାବେ କରୁ ନାହାନ୍ତି। ତଥାକଥିତ ବଡବାବୁଙ୍କ ଧାରଣା ଯେ ଯଦି ପଞ୍ଜୀକରଣ କରାଯିବ ତାହେଲେ ନିୟମ ଅନୁସାରେ ଯୋଜନା, ଖର୍ଚ୍ଚ ଅଟକଳ ଓ ବ୍ୟୟ ଆଦି କରାଯିବ। ତେଣୁ ଉଦ୍ଦେଶ୍ୟମୂଳକ ଭାବେ କରା ନଯାଇ ଏହାକୁ ହାତ ପାଣ୍ଠି ଭାବେ ଖର୍ଚ୍ଚ କରାଯାଉଛି।

ଏକ ଉଦାହରଣ ଦେଇ ସେ କହିଛନ୍ତି, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତ କରିବା ଦାୟିତ୍ବ ସରକାରଙ୍କର। ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ମଧ୍ୟ ସରକାରଙ୍କ ଦାୟିତ୍ବ। କିନ୍ତୁ ଡିଏମ୍‌ଏଫ ଟ୍ରଷ୍ଟରୁ ଟଙ୍କା ନେଇ ଡାକ୍ତର ନିଯୁକ୍ତି କରାଯାଉଛି। ସେହିପରି କେନ୍ଦୁଝର ମେଡିକାଲ କଲେଜ ନିର୍ମାଣ ପାଇଁ ରାଜ୍ୟ ସରକାର ପାଣ୍ଠି ଯୋଗାଇଦେବା‌ କଥା। ତାହା ନ କରି ଡିଏମ୍‌ଫ ଟ୍ରଷ୍ଟକୁ ହାତ ପାଣ୍ଠି ଭାବେ ବିଚାର କରି ଏଥିରୁ ୩ ଶହ କୋଟିରୁ ଅଧିକ ଟଙ୍କା ମେଡିକାଲ ନିର୍ମାଣ ପାଇଁ ଦିଆଯାଇଛି। ସବୁଠୁ ବଡ଼ ଅଭିଯୋଗଟି ହେଉଛି, ଯଦି ଟ୍ରଷ୍ଟ ଭାବେ ଏହା ପଞ୍ଜୀକରଣ ହୋଇଥାନ୍ତା, ତେବେ ଅନ୍ତତଃ ସରକାରଙ୍କ ନିୟମ ଅନୁସାରେ ଏହା ଆୟକରମୁକ୍ତ ହୋଇଥାନ୍ତା। ୨୨ କୋଟି ଟଙ୍କା ଅଯଥାରେ ଆୟକର ବିଭାଗକୁ ଯାଇ ନଥାନ୍ତା। ଏହି ଟ୍ରଷ୍ଟର କାର୍ଯ୍ୟକାରିତା ପାଇଁ ନିୟମ ଅନୁସାରେ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଯେକୌଣସି ସ୍ଥାନୀୟ ନାଗରିକ ମଧ୍ୟ ବିଭିନ୍ନ ବିକାଶମୂଳକ ଯୋଜନା ସଂପର୍କରେ ପ୍ରସ୍ତାବ ଦେଇ ପାରିବେ। ମାତ୍ର ନାଗରିକଙ୍କ ପକ୍ଷରୁ ବାରମ୍ବାର ଯେଉଁ ପ୍ରସ୍ତାବ ଦିଆଯାଉଛି ତାହା ଗ୍ରହଣ କରାଯାଉ ନାହିଁ। ଏ ସଂପର୍କରେ କେନ୍ଦୁଝର ନାଗରିକ ମଞ୍ଚ ସଭାପତି କିରଣ ଶଙ୍କର ସାହୁ ଅତ୍ୟନ୍ତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର