ସରକାରୀ ନାଲି ଫିତା ତଳେ ପଡ଼ି ରହିଛି ଡିଏମ୍‌ଏଲଟି/ଡିଏମ୍‌ଆରଟି ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟରେ ପାରାମେଡିକ କର୍ମଚାରୀଙ୍କ ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଘରୋଇ ଡିଏମ୍‌ଏଲଟି/ଡିଏମ୍‌ଆରଟି ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ରାଜ୍ୟର ୮ଜଣ ଉଦ୍ୟୋଗୀ ଏହି ଶିକ୍ଷାନୁଷ୍ଠାନ ଖୋଲିଥିଲେ ହେଁ, ସେମାନଙ୍କୁ ସରକାରୀ ସ୍ୱୀକୃତି ମିଳିପାରୁ ନାହିଁ। ଫଳରେ ଲକ୍ଷାଧିକ ଟଙ୍କା ଖର୍ଚ କରି ସରକାରଙ୍କ ଅନୁମୋଦନ ପାଇଁ ଅପେକ୍ଷା କରିଛନ୍ତି।

ଆଜି ଫାଇଟ ଫର ରାଇଟ୍‌ସ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ଶତପଥୀ କହିଲେ, ଶିକ୍ଷାନୁଷ୍ଠାନ ଖୋଲିବା ପରେ ଆବେଦନକାରୀଙ୍କୁ ୪୦ହଜାର ଟଙ୍କା ଦାଖଲ କରିବାକୁ କୁହାଯାଇଥିଲା। ଏଥିରେ ସରକାରୀ ଯାଞ୍ଚ ସମେତ ଅନୁଷ୍ଠାନ ଖୋଲିବା ପାଇଁ ଯୋଗ୍ୟତା, ପରିବେଶ, ଭିତ୍ତିଭୂମି ଓ ପରୀକ୍ଷାଗାର ଅଛି କି ନାହିଁ ତାହାର ଯାଞ୍ଚ କରାଯିବା କଥା। ଯେଉଁ ଅନୁଷ୍ଠାନମାନେ ଏହି ସର୍ତ ପୂରଣ କରିଛନ୍ତି ସେମାନଙ୍କୁ ସରକାରୀ ସ୍ୱୀକୃତି ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ସୁପାରିସ କରାଯାଇଥିଲା। ମାତ୍ର ମାସ ମାସ ଧରି ଏହି ଅନୁମୋଦନ ସରକାରୀ ନାଲି ଫିତା ତଳେ ପଡ଼ି ରହିଛି। ଆବେଦନକାରୀମାନେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ୨୦/୩୦ଲକ୍ଷ ଟଙ୍କା ଖର୍ଚ କରି ହତାଶ ହୋଇ ବସିଛନ୍ତି। ଏପରିକି ଚଳିତବର୍ଷ ମଧ୍ୟ ଆଡମିସନ୍‌ ସେସନ ଶେଷ ହେବାକୁ ବସିଲାଣି। ଫଳରେ ଚଳିତବର୍ଷ ଏସବୁ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନେ ଡିଏମ୍‌ଏଲଟି/ଡିଏମ୍‌ଆରଟି ଆଡମିସନ୍‌ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ଆବେଦନକାରୀ ସତ୍ୟ ସୁନ୍ଦର ପଣ୍ଡା କହିଲେ, ଗୋଟିଏ ଶିକ୍ଷାନୁଷ୍ଠାନରେ ୪୦ଟି ସିଟ୍‌ ପାଇଁ ଅନୁମତି ରହିଛି। ଫଳରେ ବର୍ଷକୁ ୮ଟି ଶିକ୍ଷାନୁଷ୍ଠାନରୁ ୩୨୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାର ସୁଯୋଗ ପାଇଥାନ୍ତେ। ଫଳରେ ରାଜ୍ୟରେ ଦେଖା ଦେଇଥିବା ପାରାମେଡିକ୍ସଙ୍କ ଅଭାବ ପୂରଣ ହୋଇପାରିଥାନ୍ତା। ଯଦି ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ ନ କରନ୍ତି ତେବେ ଆବେଦନକାରୀ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର