ହେଲ୍‌ମେଟ୍‌ ନଥିବାରୁ ଇଏ କିଦଣ୍ଡ? : ଡାକ୍ତରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ପୁଲିସ୍‌, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ : ଅନୁଗୁଳ ପୁଲିସ୍‌ର ବର୍ବରତା ପୁଣି ସୀମା ଲଂଘିଛି। ଗାଡ଼ି ଯାଞ୍ଚ ବେଳେ ଆଜି ପୁଲିସ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ଡା. କମଳାକାନ୍ତ ଜେନାଙ୍କୁ ମାଡ଼ମାରି ଲହୁଲୁହାଣ କରିିଛନ୍ତି। ୪ ଜଣ କନେଷ୍ଟବଳ ସର୍ବସମକ୍ଷରେ ଲାଠିରେ ଗୋଡ଼ାଇ ଗୋଡ଼ାଇ ପିଟିବା ଫଳରେ ମୁଣ୍ଡ ଫାଟି ଡାକ୍ତରଜଣକ ଗୁରୁତର ହୋଇଛନ୍ତିି। ତାଙ୍କ ଗୋଡ଼ରେ ମଧ୍ୟ ଗୁରୁତର ଆଘାତ ଲାଗିଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଡାକ୍ତର ଜେନାଙ୍କ ଅଭିଯୋଗ ଅନୁସାରେ, ଜଣେ ଗୁରୁତର ରୋଗୀଙ୍କୁ ଦେଖିବା ପାଇଁ ତରବରରେ ଡାକ୍ତରଖାନା ଯାଉଥିବା ବେଳେ ହେଲ୍‌ମେଟ ପିନ୍ଧି ନଥିଲେ। ଜରିମାନା ଦେବାକୁ ସେ ରାଜିଥିବା ବେଳେ ଚାରି କନେଷ୍ଟବଳ ତାଙ୍କର କିଛି କଥା ନ ଶୁଣି ଅତ୍ୟନ୍ତ ଅମାବନୀୟଭାବେ ପିଟିପିଟି ମୁଣ୍ଡ ଫଟାଇଦେଇଥିଲେ। ଏଥିପାଇଁ ଅନୁଗୁଳ ଥାନା ପୁଲିସ୍‌ ତାଙ୍କୁ ଏହି ଦଣ୍ଡ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ପୁଲିସ୍‌ର ଏଭଳି ବର୍ବରତାକୁ ବିରୋଧ କରି ଓମ୍‌ସା କଡ଼ା ଚେତାବନୀ ଦେଇଛି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ କର୍ମଚାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଜିଲ୍ଲାର ସମସ୍ତ ଡାକ୍ତର କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସଂଘର ଜିଲ୍ଲା ସଭାପତି ବିଶ୍ୱଜିତ୍‌ ସାମଲ ଚେତାଇ ଦେଇଛନ୍ତି। ଆହତ ଡାକ୍ତର ମଧ୍ୟ ସଂଘର ଜିଲ୍ଲା ସମ୍ପାଦକ ଅଛନ୍ତି। ଜିଲ୍ଲା ସଂଘ ତୁରନ୍ତ ଏକ ଜରୁରୀକାଳୀନ ବୈଠକ ଡାକି ରାଜ୍ୟ ସଂଘକୁ ଅବଗତ କରାଇଛି। କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ପୁଲିସ୍‌ର କୌଣସି କାମ ଡାକ୍ତରମାନେ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର