ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ

କଟକ: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଡାକ୍ତର ଜଣକ କଟକ ସିଟି ହସ୍ପିଟାଲରେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । କଟକ ଜିଲ୍ଲା ପ୍ରଶାସନ ତରଫରୁ ଏହି ସୂଚନା ଦିଆଯାଇଛି।

ଶିଶୁରୋଗ ବିଭାଗର ଏହି ଡାକ୍ତର କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ସନ୍ଦେହ ହେବାରୁ ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା । ଏବେ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହାପରେ ତାଙ୍କୁ ଚିକିତ୍ସା ଲାଗି କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସଂପୃକ୍ତ ଡାକ୍ତରଙ୍କ ସଂପର୍କରେ ଆସିଥିବା ହସ୍ପିଟାଲର ଅନ୍ୟ ୧୬ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା କଟକ ଜିଲ୍ଲାର ୧୬ ଜଣ ପଜିଟିଭଙ୍କ ମଧ୍ୟରୁ  ଜଣେ ତାମିଲନାଡ଼ୁ ଫେରନ୍ତା ଥିବା ବେଳେ ୩ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୫ଜଣ ମହାରାଷ୍ଟ୍ର ଓ ୩ଜଣ ଦୁବାଇ ଫେରନ୍ତା ଥିବା ବେଳେ ଜଣେ ସ୍ଥାନୀୟ ଲୋକ ଥିଲେ। ତେବେ, କରୋନା ପଜିଟିଭ୍‌  ଚିହ୍ନଟ ହୋଇଥିବା କଟକର ସ୍ଥାନୀୟ ବ୍ୟକ୍ତି ଜଣକ ହେଉଛନ୍ତି କଟକ ସିଟି ହସ୍ପିଟାଲ ଡାକ୍ତର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର