ମାଲକାନଗିରି: ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଗଁା ଲୋକ ବାହାରିଲେନି। ଅପହଞ୍ଚ ଇଲାକା, ରୋଗୀଙ୍କ ବାପା ଏକୁଟିଆ ବୋହି ନେବା ସମ୍ଭବପର ବି ନଥିଲା। ଏହି ସମୟରେ ସହାୟତାର ହାତ ବଢ଼ାଇଲେ ଡାକ୍ତର। ଆମ୍ବୁଲାନ୍ସ ଡ୍ରାଇଭର୍ଙ୍କ ସହାୟତାରେ ୫ କିଲୋମିଟର ରୋଗୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ନୂଆଗୁଡା ଗାଁର ଲଛମି କିର୍ସାନୀଙ୍କ ପୁଅ କମଳୁ କିର୍ସାନୀ (୧୬) କିଛି ମାସ ତଳେ ରୋଗରେ ପଡ଼ି ଆଉ ବିଛଣାରୁ ଉଠିପାରିଲେ ନାହିଁ। ଦିନକୁ ଦିନ ତାଙ୍କ ଶରୀର ଫୁଲିବାକୁ ଲାଗିବା ସହ ଯନ୍ତ୍ରଣା ବି ବଢ଼ିଥିଲା। ଏନେଇ ଗାଁର ଜଣେ ବ୍ୟକ୍ତି ଆରୋଗ୍ୟ ପ୍ଲସ୍ ଡାକ୍ତର ଶକ୍ତି ପ୍ରସାଦ ମିଶ୍ରଙ୍କୁ ଖବର ଦେଇଥିଲେ। ଦୁର୍ଗମ ଅଞ୍ଚଳ ହୋଇଥିବା ସତ୍ତ୍ବେ ଡାକ୍ତର ଜଣକ ବିଳମ୍ବ ନକରି ଆମ୍ବୁଲାନ୍ସରେ ବାରବାଡି ଗାଁ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ନୂଆଗୁଡ଼ା ପର୍ଯ୍ୟନ୍ତ ଚାଲି ଚାଲି ପୁଣି ୫ କିଲୋମିଟର ପଥୁରିଆ ତଥା ଜଙ୍ଗଲିଆ ରାସ୍ତା ଏବଂ କିଛି ନାଳ ପାର ହୋଇ ନୂଆଗୁଡାଠାରେ ପହଞ୍ଚିଥିଲେ। ଡାକ୍ତର ମିଶ୍ର ସେଠାରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମେଡିକାଲ ନେବାକୁ ବି ପରାମର୍ଶ ଦେଇଥିଲେ। କିନ୍ତୁ ଭାର କରି ରୋଗୀଙ୍କୁ ନେବା ପାଇଁ ଗାଁରୁ କେହି ବାହାରି ନଥିଲେ। ବାପା ଲଛମି ବି ନିଜ ଅକ୍ଷମତା ପ୍ରକାଶ କରିଥିଲେ। ଏମିତି ସ୍ଥିତିରେ ଡାକ୍ତର ଜଣକ ରୋଗୀଙ୍କୁ ଭାର କରି ନିଜ କାନ୍ଧରେ ବୋହିଲେ। ଏଥିରେ ତାଙ୍କୁ ସହାୟତା କରିଥିଲେ ଆମ୍ବୁଲାନ୍ସ ଡ୍ରାଇଭର। ୫ କିଲୋମିଟର ପଥୁରିଆ ରାସ୍ତା, ଜଙ୍ଗଲ, ଝରଣା ଏବଂ ନାଳ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ରୋଗୀଙ୍କୁ ଆଣିବା ସହିତ ପରେ ମେଡିକାଲରେ ନେଇ ଭର୍ତି କରିଛନ୍ତି। ଏହି ଘଟଣା ଜିଲ୍ଲାରେ ସରକାରୀ ଯୋଜନାର ବାସ୍ତବତା ଏବଂ ଜଣେ ଡାକ୍ତରଙ୍କ ନିଷ୍ଠା ତଥା କର୍ତ୍ତବ୍ୟର ଦୁଇଟି ପରସ୍ପର ବିରୋଧୀ ଚିତ୍ର ସାମ୍ନାକୁ ଆଣିଛି। ସେହିପରି, ଅସମୟରେ ଗାଁର ଜଣେ ରୋଗୀଙ୍କୁ ସହାୟତା କରିନଥିବା ଗ୍ରାମବାସୀଙ୍କ ମାନସିକତାକୁ ବି ପରିପ୍ରକାଶ କରୁଛି।