ଡାକ୍ତରଙ୍କ ମହାନତା : ଗର୍ଭବତୀଙ୍କୁ ବାଣ୍ଟୁଛନ୍ତି ପୁଷ୍ଟିକର ଖାଦ୍ୟ

ଗୁଡ଼ଭେଲା : ଜଣେ ଡାକ୍ତରଙ୍କ ମହାନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଡାକ୍ତର ଜଣଙ୍କ ନିଜ ଖର୍ଚ୍ଚରେ ୮ ମାସ ହେଲା ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ବାଣ୍ଟୁଛନ୍ତି।

ଏହି ଡାକ୍ତର ହେଉଛନ୍ତି ଲଲାଟେନ୍ଦୁ ନାୟକ, ଯିଏ କି ଗୁଡ଼ଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ବଲାଙ୍ଗୀର ଜିଲ୍ଲାର ନିହାତି ପଛୁଆ ବ୍ଲକ୍‌ ହେଉଛି ଗୁଡ଼ଭେଲା। କିଛି ମାସ ତଳେ ଏହି ବ୍ଲକ୍‌ ଅନ୍ତର୍ଗତ ଗଭାରସା ଗ୍ରାମର ଜଣେ ଶିଶୁ କୁପୋଷଣର ଶିକାର ହେବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଗର୍ଭାବସ୍ଥାରେ ସୁଷମ ଖାଦ୍ୟର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଜିଲ୍ଲାପାଳ ଏହି ଗ୍ରାମକୁ ଆସିିବା ସହ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ନିର୍ଦେଶ ଦେଇଥିଲେ। ଶ୍ରୀ ନାୟକ ଡାକ୍ତର ହିସାବରେ ନୁହେଁ, ଜଣେ ମଣିଷ ହିସାବରେ ଏହି ପରିସ୍ଥିତିକୁ ହୃଦୟଙ୍ଗମ କରିଛନ୍ତି। ନିଜ ଖର୍ଚ୍ଚରେ ଗର୍ଭବତୀ ମହିଳାଙ୍କୁ ହରଡ଼ ଡାଲି, ତିଆସି ଚଣା, ସୋୟାବିନ ବଢ଼ି ଆଦି ଯୋଗାଇ ଦେଉଛନ୍ତି।

ଡାକ୍ତର ନାୟକ କହିଛନ୍ତି ଯେ, ‘ଏଠାରେ ଆର୍ଥିକ ସ୍ୱଚ୍ଛଳ ନ ଥିବା ପରିବାରେ ଏହାର ହାର ଅଧିକ। ଗର୍ଭାବସ୍ଥାରେ ସୁଷମ ଖାଦ୍ୟ ହିଁ ଏସବୁ ସମସ୍ୟା ସମାଧାନର ଏକ ମାତ୍ର ଉପାୟ। ଏସବୁ ଘଟଣା ମୋତେ ବିବ୍ରତ କରିଥିଲା। ତେଣୁ ନିଜେ ଟଙ୍କା ଖର୍ଚ୍ଚ କରି ଗର୍ଭବତୀଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇ ଦେବାକୁ ମୁଁ ନିଷ୍ପତ୍ତି ନେଲି।’

ଗତ ଆଠ ମାସ ହେଲା ଏହି ପ୍ରକ୍ରିୟା ଚାଲିଛି। ଏହି ସମୟ ମଧ୍ୟରେ ଗୁଡ଼ଭେଲା ବ୍ଲକ ଅଞ୍ଚଳରେ ମାତୃ ଶିଶୁ ମୃତ୍ୟୁ ଘଟଣା ଘଟିନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ କେବଳ ଆଶ୍ୱସ୍ତ ନୁହନ୍ତି, ଡାକ୍ତର ନାୟକ ପ୍ରଶଂସାରେ ବି ସେମାନେ ଶତମୁଖ।

ସମ୍ବନ୍ଧିତ ଖବର