ଡାକ୍ତର ପଦବି ଖାଲି ନେଇ ବିରୋଧୀଙ୍କ ଉଦ୍‌ବେଗ

ସ୍ୱାସ୍ଥ୍ୟ ବିଭାଗର ୬୧୮୧.୪୧୨୦ କୋଟିର ଖର୍ଚଦାବି ପାରିତ

ଭୁବନେଶ୍ୱର : ରାଜ୍ୟରେ ପାଖାପାଖି ୫୦ ପ୍ରତିଶତ ଡାକ୍ତରୀ ପଦବି ଖାଲି। ବହୁସଂଖ୍ୟକ ସ୍ୱାସ୍ଥ୍ୟ ଅନୁଷ୍ଠାନ ବିନା ଡାକ୍ତରରେ ଚାଲିଛି। ଚଳିତ ଶିକ୍ଷାବର୍ଷରେ ବଲାଙ୍ଗୀର, ବାଲେଶ୍ୱର ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ କାର୍ଯ୍ୟାରମ୍ଭ କରିବ। ବିନା ଡାକ୍ତରରେ କିପରି ଡାକ୍ତରୀ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ? ରାଜ୍ୟରେ ଉଚ୍ଚଗୁଣ ସଂପନ୍ନ ଡାକ୍ତର ବାହାରି ପାରୁନାହାନ୍ତିି। ଦରମା ହାର ଭଲ ନ ହେଲେ କିପରି ଡାକ୍ତର ମିଳିବେ? ଏଭଳି ପ୍ରଶ୍ନବାଣରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଥିଲେ ବିରୋଧୀ।

ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚଦାବି ସଂପର୍କରେ ଆଲୋଚନା ପରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା ବିରୋଧୀଙ୍କ ପ୍ରଶ୍ନର ଜବାବରେ କହିଥିଲେ, ଡାକ୍ତର ଅଭାବ ପରିସ୍ଥିତିରେ ସୁଧାର ଆସୁଛି। ୨୦୧୭-୧୮ରେ ୫୮୧ ଏଲୋପ୍ୟାଥିକ, ୧୬୯ଟି ଆୟୂର୍ବେଦିକ ଏବଂ ହୋମିଓପ୍ୟାଥିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଆହୁରି ୨୧୭୩ଟି ଡାକ୍ତର ପଦବିରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ସହିତ ୧୯୮ଟି ଡେଣ୍ଟାଲ୍‌ ଡାକ୍ତର ପଦବି ପୂରଣ କରାଯାଉଛି। ଏହା ଫଳରେ ଡାକ୍ତର ଅଭାବ ଅନେକାଂଶରେ ଦୂର ହୋଇପାରିବ। ମେଡିକାଲ୍‌ କଲେଜଗୁଡ଼ିକରେ ସିଟ୍‌ ସଂଖ୍ୟା ୧୦୫୦କୁ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ରାଜ୍ୟରେ ଅଧିକ ସଂଖ୍ୟକ ଡାକ୍ତର ସୃଷ୍ଟି ହୋଇପାରିବେ ବୋଲି ମନ୍ତ୍ରୀ କହିଥିଲେ।

ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି କହିଲେ, ଓଡ଼ିଶାବାସୀଙ୍କ ଆୟୁଷ ଜାତୀୟ ହାର ତୁଳନାରେ କମ୍‌। ଦେଶର ପୁରୁଷଙ୍କ ହାରାହାରି ଆୟୁଷ ୬୮.୯ ଏବଂ ମହିଳାଙ୍କ ୭୨.୩ ବର୍ଷ ବୟସ। କିନ୍ତୁ ଓଡ଼ିଶାରେ ସେହି ହାର ଯଥାକ୍ରମେ ୬୨ ଏବଂ ୬୩ ବର୍ଷ ବୟସ। ମେଡିକାଲ୍‌ କଲେଜ ପ୍ରସଙ୍ଗରେ ସେ କହିଲେ, ଉପା ସରକାର ସମୟରେ ରାଜ୍ୟରେ ୫ଟି ମେଡିକାଲ୍‌ କଲେଜ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଥିଲା। ତେବେ ମେଡିକାଲ୍‌ କଲେଜ ପାଇଁ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଅପରିହାର୍ଯ୍ୟ ବୋଲି ସେ ଯୁକ୍ତି ବାଢ଼ିଥିଲେ। ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜନୀତି ନ କରିବାକୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପରାମର୍ଶ ଦେଇଥିଲେ। କେବିକେ ଅଞ୍ଚଳକୁ ଡାକ୍ତରଙ୍କୁ ଅଧିକ ଭତ୍ତା ଦେଇ ବଦଳି କରିବା ପରେ ସେମାନଙ୍କୁ ଡେପୁଟେସନରେ କଟକ ତଥା ଅନ୍ୟାନ୍ୟ ସ୍ଥାନକୁ ଅଣାଯାଉଥିବା ନେଇ ସେ ଗୁରୁତର ଅଭିଯୋଗ କରିଥିଲେ। ସରକାରୀ ଦଳର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ମନ୍ତ୍ରୀ କହିଲେ, ରୁବେଲା, ମିଳିମିଳା ଟିକାକରଣରେ ଜଣେ ହେଲେ ବି ଶିଶୁର ମୃତ୍ୟୁ ହୋଇନାହିଁ। ଚଳିତ ବର୍ଷରୁ ରାଜ୍ୟକୁ ଅନ୍ଧମୁକ୍ତ କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଗାମୀ ୫ ବର୍ଷରେ ଓଡ଼ିଶା ଅନ୍ଧମୁକ୍ତ ହୋଇପାରିବ। ଗର୍ଭବତୀ ମହିଳାଙ୍କୁ ଆନୁଷ୍ଠାନିକ ପ୍ରସବ ସୁବିଧା ପାଇଁ ମା’ ଘର,ଶିଶୁ, ମାତୃ ମୃତ୍ୟୁ ହାର ହ୍ରାସ ଆଦି ସରକାରଙ୍କ ବିଭିନ୍ନ ସଫଳତା ବିଷୟରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ତେବେ କେବିକେରୁ ଡାକ୍ତର ଡେପୁଟେସନରେ ଆସୁଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ କିଛି ଅତିରିକ୍ତ ପ୍ରଶ୍ନର ସ୍ପଷ୍ଟୀକରଣ ଦେଇଥିଲେ ମନ୍ତ୍ରୀ। ଶେଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୬୧୮୧ କୋଟି ୨୦ ଲକ୍ଷ ୯୪ ହଜାର ଟଙ୍କାର ବ୍ୟୟବରାଦ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର