ଭୁବନେଶ୍ୱର : ମାତ୍ର ବର୍ଷକ ବ୍ୟବଧାନରେ ରାଜ୍ୟ ସରକାର ଆଜି ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା (ଚୟନ ବ୍ୟବସ୍ଥା ଓ ସେବା ସର୍ତ୍ତ) ନିୟମାବଳୀ ପ୍ରଣୟନ ସଂକ୍ରାନ୍ତ ପ୍ରସ୍ତାବକୁ ସଂଶୋଧନ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଏହି ପ୍ରସ୍ତାବ ଆଜି କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି। ଏଥିରେ ସ୍ୱାସ୍ଥ୍ୟ ବିଭାଗର ପୁନର୍ବିନ୍ୟାସ କରିବାକୁ ଯାଇ ରାଜ୍ୟ ସରକାର ଚତୁରତାର ସହିତ ପଦକ୍ଷେପ ନେଇଛନ୍ତି। ପରୋକ୍ଷରେ ସୂଚାଇଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦବି ଆପଣାଇବାକୁ ହେଲେ କେବିକେ ଅଞ୍ଚଳରେ କାମ କରିବାକୁ ପଡିବ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା (ଚୟନ ପ୍ରବଧି ଓ ସେବା ସର୍ତ୍ତ) ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମୋହର ଲାଗିଛି। ଏ ସଂପର୍କରେ ସୂଚନା ଦେଇ ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ବର୍ତମାନ ରାଜ୍ୟରେ ଆବଶ୍ୟକ ହେଉଥିବା ବିଶେଷଜ୍ଞ ତଥା ଜନସ୍ୱାସ୍ଥ୍ୟ ଶିକ୍ଷା ଯୋଗ୍ୟତା ଡାକ୍ତରମାନଙ୍କର ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ୨୦୧୭ ନିୟମକୁ ସଂଶୋଧନ କରିଛନ୍ତି। ନୂଆ ବ୍ୟବସ୍ଥାରେ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ସମ୍ବର୍ଗର ଡାକ୍ତରଙ୍କୁ ତିନିଟି ବିଭିନ୍ନ ଶାଖାରେ ବିଭକ୍ତ କରାଯାଇଛି। ବିଶେଷଜ୍ଞ ଶାଖା, ଜନସ୍ୱାସ୍ଥ୍ୟ ଶାଖା, ସାଧାରଣ ସେବା ଶାଖା।
ସ୍ନାତକୋତ୍ତର ଓ ଅତି ସ୍ନାତକୋତ୍ତର ଶିକ୍ଷା ଯୋଗ୍ୟତା ଥିବା ଡାକ୍ତରମାନଙ୍କୁ ବିଶେଷଜ୍ଞ ଶାଖାରେ ଅନ୍ତର୍ଭୁକ୍ତ କରାଯିବ। ସେହିପରି ଜନସ୍ୱାସ୍ଥ୍ୟ ଶିକ୍ଷା ଯୋଗ୍ୟତା ଥିବା ଡାକ୍ତର ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶାଖାରେ ଓ ସ୍ନାତକ ଶିକ୍ଷା ଥିବା ଡାକ୍ତରଙ୍କୁ ସାଧାରଣ ସେବା କ୍ଷେତ୍ରରେ ରଖାଯିବ।
ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଥମିକ ଚୟନ ସମୟରେ ଏଣିକି କ୍ୟାରିଅର ମାର୍କିଂ ବ୍ୟବସ୍ଥା ଆଉ ରହିବ ନାହିଁ। ବରଂ ଲିଖିତ ବା ଅନ୍ଲାଇନ୍ ପରୀକ୍ଷା କରାଯିବ। ଏହି ପ୍ରକ୍ରିୟାରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିଥିବା ଡାକ୍ତରଙ୍କୁ ବର୍ଷକୁ ମୋଟ ଅଙ୍କର ୩% ଅତିରିକ୍ତ ଅଙ୍କ ହିସାବରେ ସର୍ବାଧିକ ୧୫% ପର୍ଯ୍ୟନ୍ତ ଅଙ୍କ ଅତିରିକ୍ତ ଭାବେ ପ୍ରଦାନ କରାଯିବ। ସେହିଭଳି ସ୍ନାତକୋତ୍ତର ଓ ଅତି ସ୍ନାତକୋତ୍ତର ଶିକ୍ଷା ଯୋଗ୍ୟତା ଥିବା ଡାକ୍ତରଙ୍କୁ ମୋଟ ଅଙ୍କର ଅତିରିକ୍ତ ୧୫% ପ୍ରଦାନ କରାଯିବ।
ସରକାର ବ୍ୟବସ୍ଥା କରିଛନ୍ତି ଯେ ସାଧାରଣ ସେବା ଅନ୍ତର୍ଭୁକ୍ତ କନିଷ୍ଠ-କ ବର୍ଗ ପାହ୍ୟାରେ ୬ ବର୍ଷ କାର୍ଯ୍ୟ କରିଥିବା ଡାକ୍ତରଙ୍କୁ ବରିଷ୍ଠ-କ ବର୍ଗ ପାହ୍ୟାକୁ ପଦୋନ୍ନତି ମିଳିପାରିବ। ସେହିପରି ବିଶେଷଜ୍ଞ ଶାଖା ଓ ଜନସ୍ୱାସ୍ଥ୍ୟ ଶାଖା ଅନ୍ତର୍ଭୁକ୍ତ କନିଷ୍ଠ-କ ବର୍ଗର ପାହ୍ୟା ଡାକ୍ତରଙ୍କୁ ବରିଷ୍ଠ-କ ବର୍ଗ ପାହ୍ୟାକୁ ପଦୋନ୍ନତି ପାଇଁ ଏହି ବର୍ଗରେ ଅନ୍ତତଃ ୫ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବା ଦରକାର।
ସେହିଭଳି କନିଷ୍ଠ ପ୍ରଶାସନିକ ପଦବି ଅର୍ଥାତ୍ ଯୁଗ୍ମ ନିର୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇଁ ଜଣେ ସାଧାରଣ ସେବା ଅନ୍ତର୍ଭୁକ୍ତ ବରିଷ୍ଠ-କ ବର୍ଗ ଡାକ୍ତର ଅନ୍ତତଃ ୧୦ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବେ। ସେଥିମଧ୍ୟରୁ ସର୍ବନିମ୍ନ ୪ବର୍ଷ କେବିକେ, କେବିକେ ପ୍ଲସ୍, ଟିଏସ୍ପି କ୍ଷେତ୍ରରେ କାର୍ଯ୍ୟ ସଂପାଦନ କରିଥିବେ। ସେହିପରି ବିଶେଷଜ୍ଞ ଓ ଜନସ୍ୱାସ୍ଥ୍ୟ ଶାଖା ଅନ୍ତର୍ଭୁକ୍ତ ବରିଷ୍ଠ କ ବର୍ଗ ଡାକ୍ତରଙ୍କ କ୍ଷେତ୍ରରେ ଏହି ସୀମା ଯଥାକ୍ରମେ ୮ବର୍ଷ ଓ ୪ବର୍ଷ ରହିଛି।
ପ୍ରବରଣ ପଦକ୍ରମ-୨ ପାହ୍ୟାକୁ ପଦୋନ୍ନତି ପାଇଁ ଜଣେ ସାଧାରଣ ସେବା ଶାଖା ଅନ୍ତର୍ଭୁକ୍ତ କନିଷ୍ଠ ପ୍ରଶାସନିକ ପଦବି (ଯୁଗ୍ମ ନିର୍ଦେଶକ) ପାହ୍ୟାର ଡାକ୍ତର ସେହି ପଦବିରେ ୫ ବର୍ଷ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଥିବେ। ସେହିପରି ଜଣେ ବିଶେଷଜ୍ଞ ଶାଖା ଓ ଜନସ୍ୱାସ୍ଥ୍ୟ ଶାଖା ଅନ୍ତର୍ଭୁକ୍ତ କନିଷ୍ଠ ପ୍ରଶାସନିକ ପଦକ୍ରମ ପାଗ୍ୟର ଡାକ୍ତରଙ୍କୁ ସେହି ପଦବିରେ ଅନ୍ତତଃ ୨ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସର୍ତ ରଖାଯାଇଛି।