ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କ ଉପରେ ଆକ୍ରମଣ, କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଲେ ରାଜ୍ୟ ସରକାରୀ ଡାକ୍ତର

ଭୁବନେଶ୍ବର : ପଶ୍ଚିମବଙ୍ଗର ବିଭିନ୍ନ ଡାକ୍ତରଖାନାରେ କନିଷ୍ଠ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାର ନିନ୍ଦା କରିଛି ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସା। ଏହାର ପ୍ରତିବାଦରେ ରାଜ୍ୟରେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନେ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବା ସହିତ କୋଲାକାତାରେ ଡାକ୍ତରମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ଓମ୍‌ସାର ରାଜ୍ୟ ସଂପାଦକ ଡା.ପୂଣ୍ୟଶ୍ଳୋକ ଦାସ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଦେଶରେ ଡାକ୍ତର ଓ ପାରାମେଡିକ କର୍ମଚାରୀଙ୍କ ଉପରେ ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ବାରା ଆକ୍ରମଣ ବଢ଼ିବାରେ ଲାଗିଛି। ପ୍ରଶାସନ ଏହାକୁ ଗତାନୁଗତିକ ଘଟଣା ବୋଲି ଧରି ନେଇଥିବା ବେଳେ ରାଜନୈତିକ ସମର୍ଥନ ଯୋଗୁଁ ଏହି ଘଟଣା ବଢ଼ିଚାଲିଛି। ପଶ୍ଚିମବଙ୍ଗର ଏନ୍‌ଆରଏସ୍ ମେଡିକାଲ କଲେଜର କନିଷ୍ଠ ଡାକ୍ତରଙ୍କ ଉପରେ ଆକ୍ରମଣ ହେବା ଓ ଏହି ଘଟଣାରେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମ୍‌ଏ ଓ ସର୍ବ ଭାରତୀୟ ସରକାରୀ ଡାକ୍ତରୀ ସଂଘ ବା ଏଆଇଇଜିଡିଏ ପକ୍ଷରୁ ଆଜି ଜାତୀୟ ପ୍ରତିବାଦ ଦିବସ ଓ କଳା ଦିବସ ଡାକରା ଦିଆଯାଇଥିଲା। ଏହାକୁ ସମର୍ଥନ ଜଣାଇ ରାଜ୍ୟର ସମସ୍ତ ସରକାରୀ ଡାକ୍ତର କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିଥିଲେ। ଆଗାମୀ ଦିନରେ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ଓମ୍‌ସା ପକ୍ଷରୁ ପ୍ରତିବାଦ; ପିନ୍ଧିଲେ କଳାବ୍ୟାଜ୍

କଟକ : ରୋଗୀ ମୃତ୍ୟୁ ଘଟଣାକୁ ନେଇ କୋଲକାତାର ଏନ୍‌ଆର୍‌ଏସ୍‌ଏମ୍‌ସିଏଚ୍‌ ମେଡିକାଲରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିବାଦ କରିଛି ଓମ୍‌ସା। ଶୁକ୍ରବାର କଟକରେ ସଂଘ ପକ୍ଷରୁ ପ୍ରତିବାଦ ଦିବସ ପାଳନ କରାଯାଇଛି। ଏହି ଅବସରରେ କଳାବ୍ୟାଜ ପିନ୍ଧି ବିରୋଧ ପ୍ରଦର୍ଶନ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ସମସ୍ତ ଡାକ୍ତର କଳାବ୍ୟାଜ ପିନ୍ଧି କାମ କରିଥିବା ଓମ୍‌ସା ରାଜ୍ୟ ସାଧାରଣ ସଂପାଦକ ପୂଣ୍ୟ‌ଶ୍ଲୋକ୍‌ ଦାସ ସୂଚନା ଦେଇଛନ୍ତି। ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ଉପରେ ଆକ୍ରମଣ ବର୍ତ୍ତମାନ ଏକପ୍ରକାର ଫ୍ୟାସନ୍‌ ହେଲାଣି ବୋଲି ସେ କହିବା ସହ ପ୍ରତିବାଦ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର