ମୃତ୍ୟୁବାହକ ପାଲଟିଛି ‘ପାରାକ୍ବେଟ’, ନିଷିଦ୍ଧ ଦାବିରେ ଅନଶନରେ ବସିଲେ ଡାକ୍ତର

ସମ୍ବଲପୁର : ପାରାକ୍ବେଟ ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ମୃତ୍ୟୁ ବାହକ ସାଜିଛି। ଡାକ୍ତରଖାନା ପହଞ୍ଚି ନପାରି ମଧ୍ୟ ଅନେକ ପ୍ରାଣ ହରାଉଛନ୍ତି। ପାରାକ୍ବେଟକୁ ନିଷିଦ୍ଧ ଦାବି ନେଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାର ୫ ଜଣ ଡାକ୍ତର ଦିନିକିଆ ଅନଶନ କରିଛନ୍ତି। ସାଧାରଣ ଦିନ ଭଳି ନିଜ ଡ୍ୟୁଟି କରିବା ସହିତ ସକାଳ ୬ଟାରୁ ଅନଶନରେ ବସିଛନ୍ତି। ଶନିବାର ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଜଣାପଡ଼ିଛି।

ଅନଶନରତ ଡାକ୍ତରମାନେ କହିଛନ୍ତି, ପାରାକ୍ବେଟ ଯୋଗୁଁ କେବଳ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୧୭୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ଯଥାଶୀଘ୍ର ଏହାକୁ ନିଷିଦ୍ଧ କରାନଗଲେ ଏହି କୀଟନାଶକ କେତେଯେ ଲୋକଙ୍କ ଜୀବନ ତାର ଠିକଣା ନାହିଁ। ହାତପାଆନ୍ତାରେ ଏଭଳି ଦ୍ରବ୍ୟ ମିଳିଯାଉଥିବାରୁ ବିଭିନ୍ନ କାରଣରୁ ମାନସିକ ଚାପ ଶିକାର ରୋଗୀ ପାରାକ୍ବେଟ ଖାଇ ଆତ୍ମହତ୍ୟା କରୁଛନ୍ତି। ଏହାର ପ୍ରଭାବରେ ମଧ୍ୟ ରୋଗୀଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି।

ଏହାକୁ ନିଷିଦ୍ଧ କରିବା ଦାବିରେ ପୂର୍ବ ଘୋଷଣା ଅନୁସାରେ ବରିଷ୍ଠ ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ, ମେଡିସିନ ବିଭାଗ ଡାକ୍ତର ବିତନ ମହାନ୍ତି, କନିଷ୍ଠ ଆବାସିକ ଡାକ୍ତର ଆର ମେହେର ଏବଂ ଡାକ୍ତର କିରଣ ପରାସର ଅନଶନ ଆରମ୍ଭ କରିଥିଲେ। ସେମାନଙ୍କ ସହିତ ଶୁକ୍ରବାର ଡ.ମୋଗେନ୍ଦ୍ର ସିଂହଦେଓ ଆଉ ଜଣେ ଡାକ୍ତର ସାମିଲ ହୋଇ ଅନଶନ କରିଥିଲେ। ୧୦ ମାସ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାର ଆବାସିକ ଡାକ୍ତର ଏବଂ ଅଧୀକ୍ଷକ ଏ ନେଇ ୨ ଥର ଦାବିପତ୍ର ଦେଇ ସାରିଛନ୍ତି। ମାତ୍ର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନାହିଁ। ଅନ୍ୟଦିଗରେ ଏହାର ନିଷିଦ୍ଧ ପାଇଁ କରାଯାଉଥିବା ଦସ୍ତଖତ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୫୧୧ ଜଣ ଦସ୍ତଖତ ଦେଇ ସାରିଛନ୍ତି। ଖୁବ୍‌ଶୀଘ୍ର ଏହା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଯିବ।

ସମ୍ବନ୍ଧିତ ଖବର