ଯଶିପୁର : ମୁଁ ମନା କରୁଥିଲି ଆଜି ସ୍କୁଲ ଯାଆନି। କିନ୍ତୁ ପାଠରେ ଥିବା ରିଙ୍କୁ ଆକଟ ମାନିଲାନି। ଘର ତିଆରି କାମରେ ବ୍ୟସ୍ତ ଥିବା ବେଳେ ପୁଅର ମୃତ୍ୟୁ ଖବର ମୋ ମୁଣ୍ଡରେ ଚଡ଼କ ପଡ଼ିଲା। ଆଜି ଦିନ ସାରା ୨ ବର୍ଷର ପୁଅ ବାହୁନି କାନ୍ଦି କାନ୍ଦି ଖୋଜୁଛି ଭାଇକୁ। ମାଆ ତାର ଭଗ୍ନ ହୃଦୟ ନେଇ ମାଟି କାମୁଡ଼ି ଘରର ନଡ଼ା କୁଟା ବିଛଣାରେ ଶଯ୍ୟାଶାୟୀ ହୋଇ ମର୍ମ ବେଦନାରେ ଜଳି ଯାଉଛି। ଏ ଥିଲା ରିଙ୍କୁର ହତଭାଗ୍ୟ ବାପା ଶର୍ମା ମହାରଣାର ଆକୁଳ ଅଭିବ୍ୟକ୍ତି। ଆଜି ଘର ସାହି ସବୁଆଡ଼େ ଦୁଃଖର କଳାବାଦଲ ଘୋଟି ଯାଇଥିବା ବେଳେ ଏ କଥା କହିଲା ବେଳକୁ ବାପର ପାଟି ଖନି ମାରି ଯାଉଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଯଶିପୁର ବଜାରଠାରୁ ୪ କିମି ଦୂର ବାଲିସୁଦୁରା ଗାଁର ଗତକାଲିର ୬ ବର୍ଷର ରିଙ୍କୁକୁ କୁକୁର ପଲ ଝୁଣି ମାରିଦେବା ଘଟଣା ଏ ଅଞ୍ଚଳବାସୀଙ୍କୁ ଶୋକ ସାଗରରେ ବୁଡାଇ ଦେଇଛି। ନିଛାଟିଆ ରାସ୍ତାରେ ଏକୁଟିଆ ଘର ଠାରୁ ୧-୨ କିମି ଦୂର ରାହାନ୍ଦା ସ୍କୁଲକୁ ବହି ବସ୍ତାନି ଧରି ଯାଉଥିବା ରିଙ୍କୁ ଅଜଣା ବନ୍ୟଜନ୍ତୁର ଆକ୍ରମଣ ହେଉ କି କୁକୁର ପଲଙ୍କ ଶିକାର ହୋଇ ତାହା କେହି ବିଶ୍ବାସ କରି ପାରୁନାହାନ୍ତି। ରିଙ୍କୁ ପାଇଁ ଆଜି ସମଗ୍ର ଅଞ୍ଚଳବାସୀଙ୍କ ଆଖିରୁ ଲୁହ ଝରୁଛି।
ଆଜି ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ, ସରପଞ୍ଚ ରମାକାନ୍ତ ନାଏକ ପ୍ରମୁଖ ଘରେ ପହଞ୍ଚିଥିବା ବେଳେ କାହାରି ମୁହଁରେ ଭାଷା ନ ଥିଲା। ଦୂର ଦୁରାନ୍ତର ସମ୍ପର୍କୀୟ ବନ୍ଧୁବାନ୍ଧବ ଆସି ଚୁପ୍ ଚାପ୍ ବସି ରହିଥିଲେ। କାଲିରୁ ଘରେ ଚୁଲି ଜଳିନି ବୋଲି ସମ୍ପର୍କୀୟ ମହିଳା ଚୁଲି ଜାଳି କିଛି ଖାଇବା ରାନ୍ଧି ୨ ବର୍ଷର ଶିଶୁପୁତ୍ର ଓ ୪ ବର୍ଷର ଶିଶୁକନ୍ୟାକୁ ଭୋକ ଦାଉରୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ।
ମୃତ ରିଙ୍କୁର କକା ସଚ୍ଚିନ୍ଦ୍ର ଘଟଣା ସମ୍ପର୍କରେ ଅନୁଭୂତି କଥା ବଖାଣି କହୁଥିଲେ- ଆମେ କେତେଜଣ ଘଟଣା ପାଖରୁ କିଛି ଦୂରରେ ରହି ଇଟା ଭାଟିରେ କାମ କରୁଥିଲୁ। ଗୋରୁ ବଗାଳିଆମାନେ ରିଙ୍କୁକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ପାଟି ହୁରି କରିବାରୁ ଆମେ ଦୌଡ଼ି ଯାଇଥିଲୁ। ସେଠି ପିଲାକୁ ଦେଖି ମୁଁ ଚିହ୍ନି ପାରିଲି ଓ ଭାଇ ପାଖକୁ ଖବର ପଠାଇଲି। ସେତେବେଳେ ମୃତ ରିଙ୍କୁ ପାଖରେ ଜଗି ରହିଥିଲେ ୨ଟି କୁକୁର ଓ ଅନ୍ୟ ୨ଟି ଆମକୁ ଦେଖି ଦୌଡ଼ି ପଳାଇଲେ। ଆମକୁ ମାଲୁମ୍ ନଥିଲା ଏ ଘଟଣା କୁକୁର ପଲର କାଣ୍ଡ କି ଅଜଣା ବନ୍ୟଜନ୍ତୁ ଏ ନିଛାଟିଆ କଣ୍ଟାବୁଦା ଭର୍ତି ଶ୍ମଶାନ ଇଲାକା ଥିବା ବିଲ ଗଭୀରର ନିଛାଟିଆ ପାଦଚଲା ରାସ୍ତାରେ ଯାଉଥିବା ଶିଶୁ ଉପରେ ବର୍ବର ଭାବେ ଆକ୍ରମଣ କରି ଖିନଭିନ୍ କରି ଦେଇଛନ୍ତି।
ଆଖାପାଖ ସାହିର ଜନସାଧାରଣଙ୍କ ମତ ଯେ ମଝିରେ ଛେଳିକୁ ଗୋଡାଇ ମାରୁଥିବା କୁକୁରଙ୍କ ଦୌରାତ୍ମ୍ୟକୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ। କିଛି ଦିନ ତଳେ ଏ ଅଞ୍ଚଳରେ ୧୪/୧୫ଟି ମୃତ ଗୋରୁଙ୍କ ମାଂସ ଖାଇ କୁକୁରମାନେ ଏକ ପ୍ରକାର ହିଂସ୍ର ଆକାର ଧାରଣ କରିଥିବାରୁ ଏକୁଟିଆ ରାସ୍ତାରେ ଯାଉଥିବା ଶିଶୁକୁ ଆକ୍ରମଣ କରି ଜୀବନ ନେବାକୁ ପଛାଇଲେ ନାହିଁ। ମର୍ମନ୍ତୁଦ ଆକ୍ରମଣର ଶିକାର ହୋଇଥିବା ନିଷ୍ପାପ ଶିଶୁ ପ୍ରତି ସବୁଠି ସମବେଦନା ଓ ଶୋକର ଛାୟା ଖେଳିଯାଇଛି।