ଡଲ୍‌ଫିନ୍‌ଙ୍କ ପାଇଁ ସୁରକ୍ଷିତ ନୁହେଁ ଓଡ଼ିଶା : ଗୋଟିଏ ବର୍ଷରେ କମିଲେ ୨୧୦

୨୦୧୯ ଡଲଫିନ୍‌ ଗଣନା ରିପୋର୍ଟ : ଗହିରମଥାରେ ୧୨୬, ଚିଲିକାରେ ୧୧୩

ଭୁବନେଶ୍ବର : ଓଡ଼ିଶାରେ କମିଲେ ଡଲଫିନ୍‌। ଗତବର୍ଷଠାରୁ ପ୍ରାୟ ୫୦ ପ୍ରତିଶତ କମ୍‌ ଡଲଫିନ୍‌ ଏଥର ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି। ୨୦୧୮ରେ ଓଡ଼ିଶାରେ ୪୬୯ଟି ଡଲଫିନ୍‌ ଥିବା ବେଳେ ଏଥର ତାହା ହ୍ରାସ ପାଇ ୨୫୯ରେ ପହଞ୍ଚିଛି। ଚିନ୍ତାର ବିଷୟ ହେଉଛି, ଡଲଫିନ୍‌ଙ୍କ ପ୍ରମୁଖ ବାସସ୍ଥଳୀ ଚିଲିକା ହ୍ରଦରୁ କମିଛନ୍ତି ଡଲ୍‌ଫିନ୍‌। ୨୦୧୩ରେ ଚିଲିକାରେ ୧୫୨ଟି ଡଲଫିନ୍‌ ଥିଲେ। ଧୀରେ ଧୀରେ ଏହି ସଂଖ୍ୟା ହ୍ରାସ ପାଇ ୨୦୧୯ରେ ୧୧୩କୁ ଖସି ଆସିଛି। ୨୦୧୮ରେ ଏଠାରେ ୧୫୫ ଡଲ୍‌ଫିନ୍‌ ରହିଥିଲେ। ଏଥର ୩୨ଟି ଡଲ୍‌ଫିନ୍‌ କମିଛନ୍ତି। ଏତେ ସଂଖ୍ୟାରେ ଡଲ୍‌ଫିନ୍‌ ହ୍ରାସ ପାଇବାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କେଉଁ କାରଣ ପାଇଁ ଡଲଫିନ୍‌ଙ୍କ ସଂଖ୍ୟା କମିଲା, ତାହା ଉପରେ ବ୍ୟାପକ ଆଲୋଚନା ଓ ତର୍ଜମା ହେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗତକାଲି ପ୍ରକାଶିତ ଡଲଫିନ୍‌ ଗଣନା ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୨୫୯ଟି ଡଲ୍‌ଫିନ୍‌ ରହିଛନ୍ତି। ଗହିରମଥାରେ ସର୍ବାଧିକ ୧୨୬ଟି ଡଲ୍‌ଫିନ୍‌ ଥିବା ବେଳେ ଚିଲିକାରେ ୧୧୩, ଗଞ୍ଜାମର ଋଷିକୂଲ୍ୟା ମୁହାଣରେ ୧୫ ଓ ବାଲେଶ୍ବରରେ ୫ଟି ଡଲ୍‌ଫିନ୍‌ ଚିହ୍ନଟ ହୋଇଛନ୍ତି। ପ୍ରଜାତି ଅନୁଯାୟୀ ବି ଡଲ୍‌ଫିନ୍‌ଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ୧୩୦ଟି ବିରଳ ପ୍ରଜାତିର ଏରୱାଡି ଡଲଫିନ୍‌ ରହିଛନ୍ତି। ହମ୍ପବ୍ୟାକ୍‌ ପ୍ରଜାତିର ୧୧୬ ଓ ବଟଲ୍‌ ନୋଜ୍‌ର ୧୬ଟି ଡଲ୍‌ଫିନ୍‌ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏରୱାର୍ଡ ଡଲ୍‌ଫିନ୍‌ ମୁଖ୍ୟତଃ ଚିଲିକା ଓ ନଦୀ ମୁହାଣରେ ଦେଖାଯାଇଥାନ୍ତି। ଏଥର ସେମାନଙ୍କ ସଂଖ୍ୟା ବହୁ ପରିମାଣରେ କମିଛି। ୨୦୧୩ରେ ଚିଲିକା‌ ହ୍ରଦରେ ୧୫୨ଟି ଡଲ୍‌ଫିନ୍‌ ଥିବା ବେଳେ ୨୦୧୪ରେ ୧୫୮ ଓ ୨୦୧୫ରେ ୧୬୦ଟି ଡଲଫିନ୍‌ ରହିଥି‌ଲେ। ୨୦୧୬ରେ ତାହା ପୁଣିଥରେ ହ୍ରାସ ପାଇ ୧୪୫ରେ ପହଞ୍ଚିଥିବା ବେଳେ ୨୦୧୭ରେ ୧୨୧ ଓ ୨୦୧୮ରେ ଏହି ସଂଖ୍ୟା ୧୫୫ରେ ପହଞ୍ଚିଥିଲା।

ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଚିଲିକା ଘେରିମୁକ୍ତ ହେବା ଦ୍ବାରା ଡଲ୍‌ଫିନ୍‌ମାନେ ନିରାପଦ ସ୍ଥାନକୁ ଚାଲି ଯାଉଛନ୍ତି। ସାତପଡ଼ା ନିକଟ ଚିଲିକାର ବାହ୍ୟ ଅଞ୍ଚଳରୁ ଡଲ୍‌ଫିନ୍‌ ବାହାରି ବାଲୁଗାଁ, ରମ୍ଭା ଆଦି ଦକ୍ଷିଣ ଓ‌ କେନ୍ଦ୍ରୀୟ ଚିଲିକାର ମୁଖ୍ୟ ଅଞ୍ଚଳକୁ ନିଜର ବସତି ଓ ବିଚରଣସ୍ଥଳୀରେ ପରିଣତ କରିଛନ୍ତି। ଫଳରେ ସାତପଡ଼ାରେ ପୂର୍ବଭଳି ଅଧିକ ସଂଖ୍ୟକ ଡଲ୍‌ଫିନ୍‌ ଦେଖିବାକୁ ମିଳୁ ନାହିଁ। ପର୍ଯ୍ୟଟକମାନଙ୍କ ଗହଳି ଓ ଶବ୍ଦ ପ୍ରଦୂଷଣ ମଧ୍ୟ ଏହାର ପ୍ରମୁଖ କାରଣ ହୋଇପା‌‌ରେ।

ଚିଲିକା ହ୍ରଦର ସ୍ଥିତିକୁ ନେଇ ଜାନୁଆରିରେ ପ୍ରକାଶିତ ବାର୍ଷିକ ରିପୋର୍ଟ‌ରେ କୁହାଯାଇଥିଲା ଯେ ଚିଲିକାରେ ସମୁଦ୍ର ଘାସ ବା ସି-ଗ୍ରାସ ପରିମାଣ ବୃଦ୍ଧି ସାଙ୍ଗକୁ ଏହା ୫ଟି ପ୍ରଜାତିକୁ ବୃଦ୍ଧି ପାଇବା ସମଗ୍ର ଦେଶରେ ସର୍ବାଧିକ। ଦେଶର ୨୦ ପ୍ରତିଶତ ଏହି ପ୍ରଜାତିର ଘାସ ଚିଲିକାରେ ହିଁ ଉପଲବ୍ଧ। ଗତବର୍ଷ ୧୩୫ ବର୍ଗ କି.ମି. କ୍ଷେତ୍ରଫଳ ବିଶିଷ୍ଟ ହ୍ରଦରେ ଏହା ଦେଖାଯାଉଥିଲା। ଏଥର ଏହା ୧୫୨ ବର୍ଗ କି.ମି.କୁ ବୃଦ୍ଧି ପାଇଛି। ଚିଲିକାରେ ଜଳର ଗୁଣମାନ କ୍ରମଶଃ ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର