ଦାନ ସୂତ୍ରରେ ମିଳିଥିବା ରତ୍ନଅଳଙ୍କାର ରକ୍ଷଣାବେକ୍ଷଣ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର : ଶ୍ରୀମନ୍ଦିରକୁ ଦାନସୂତ୍ରରେ ମିଳିଥିବା ରତ୍ନ ଅଳଙ୍କାରଗୁଡ଼ିକର ରକ୍ଷଣାବେକ୍ଷଣ ସ୍ଥାନ ନାଜିର ଖାନା କିମ୍ବା ଷ୍ଟେଟ୍‌ ବ୍ୟାଙ୍କ ନୁହେଁ। ଏଥି ପାଇଁ ପ୍ରକୃଷ୍ଟ ଓ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି। ଏ ସମସ୍ତ ଅଳଙ୍କାରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଏକ ଫାଉଣ୍ଡେସନ୍‌ ଫଣ୍ଡ୍‌ କମିଟି ଅଛି ଓ ଏହାର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ। ଦୀର୍ଘ ୧୮ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଫାଉଣ୍ଡେସନ୍‌ ଫଣ୍ଡ୍‌ କମିଟିର ବୈଠକ କେତେ ଥର ହୋଇଛି ଓ କେଉଁ ପରିସ୍ଥିତିରେ ଅଳଙ୍କାରଗୁଡ଼ିକ ନାଜିର ଖାନାରେ ଥିଲା, ତାହା ମୁଖ୍ୟମନ୍ତ୍ରୀ ତୁରନ୍ତ ସ୍ପଷ୍ଟ କରିବାକୁ ବିଜେପି ଦାବି କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଲେ, ଗୋଟିଏ ପଟେ ରତ୍ନଭଣ୍ଡାର ଚାବି ହଜିବା ଓ ଅନ୍ୟ ପଟେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଫାଉଣ୍ଡେସନ୍‌ ଫଣ୍ଡ୍‌ କମିଟିର ଅଧ୍ୟକ୍ଷ ଥାଇ ମଧ୍ୟ ନିଜ କର୍ତ୍ତବ୍ୟରୁ ଦୂରେଇ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦୋଷୀ। ତେଣୁ ମୁଖ୍ୟମନ୍ତ୍ରୀ ଏଥିରୁ ବର୍ତ୍ତିପାରିବେ ନାହିଁ।

ଶ୍ରୀ ଆଚାର୍ଯ୍ୟ କହିଲେ, ଗତ ୧୩ ତାରିଖରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପି ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଷଲ। କିନ୍ତୁ ପୁଲିସ୍‌ ମାମଲା ରୁଜୁ କଲା ନାହିଁ। ଏପରିକି ପୁଲିସ୍‌ ଡିଜିଙ୍କୁ ଭେଟିଲା ପରେ ବି ଏତଲା ରୁଜୁ ନ ହେବା ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟଙ୍କର ସ୍ପଷ୍ଟ ରାୟ ରହିଛି ଯେ ଯଦି ଦୁର୍ନୀତି ନିବାରଣ ଆଇନ୍‌ରେ ଧର୍ତ୍ତବ୍ୟ ଅପରାଧ ହୁଏ, ତେବେ କୌଣସି ନାଗରିକ ସିଧାସଳଖ ଯାଇ ଭିଜିଲାନ୍ସ କୋର୍ଟରେ ମାମଲା ଦାୟର କରିପାରିବେ। ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ଆଇନ୍‌ ପରିସରଭୁକ୍ତ ହୋଇସାରିଲେଣି। ତେଣୁ ଅପରାଧିକ ଷଡ଼ଯନ୍ତ୍ରରେ ମୁଖ୍ୟମନ୍ତ୍ରୀ କାହିଁକି ନ ପଡ଼ିବେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର