ଉଦ୍ଧାର ହୋଇପାରିଲେନି ଜେସିବି ଅପରେଟର୍‌

ପଥର କୁଆଁରି ଧସିବା ଘଟଣାକୁ ୨୪ ଘଣ୍ଟା ପୂରିଲା

ଜୟପୁର: କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଗୁମ୍ମା ପଥର କୁଆଁରି ଧସିବା ଘଟଣାର ୨୪ ଘଣ୍ଟା ପୂରଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜେସିବି ଅପରେଟର୍‌ଙ୍କୁ ଉଦ୍ଧାର କରାଯାଇନାହିଁ। ଗତକାଲି ୪ ଜଣ ଅପରେଟର୍‌ ପଥର ତଳେ ରହିଥିବା କୁହାଯାଉଥିଲା। ଏବେ ଜଣାପଡ଼ିଛି ଯେ ଏହି ସଂଖ୍ୟା ୪ ନୁହେଁ ୫। ଅନ୍ୟ ଏକ ସୂତ୍ର ଅନୁସାରେ ପଥର ତଳେ ରହିଥିବା ମୃତ ଅପରେଟର୍‌ଙ୍କୁ ତୁରନ୍ତ ବାହାର କରିବା ପାଇଁ ମୁଖ୍ୟ ସଚିବ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ପରେ ରାତିସାରା ଉଦ୍ଧାରକାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ଡିଡି କନଷ୍ଟ୍ରକ୍ସନ ନାମକ ଏକ ଠିକାସଂସ୍ଥା ବେଆଇନ୍‌ ଭାବେ ବିସ୍ଫୋରକ ଖଞ୍ଜି ପଥର ଖସାଇଥିଲା। ଗତକାଲି ଏହି ପଥର ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ଜେସିବି ଅପରେଟର୍‌ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କ ଉପରେ ଖଣ୍ଡବିଖଣ୍ଡିତ ପଥର ଖସି ପଡ଼ିଥିଲା।ଅନ୍ୟପକ୍ଷରେ, ଏହି ଘଟଣା ପରେ ନୂଆନୂଆ ତଥ୍ୟ ସାମ୍‌ନାକୁ ଆସିଛି। ପଥର ଧସିବା ସମୟରେ ଜଣେ ଜେସିବି ଅପରେଟର ମୋବାଇଲରେ ଗୀତ ଶୁଣୁଥିଲେ। ତେଣୁ ପଥର ଖସିବା ସଂପର୍କରେ କିଛି ଜାଣିପାରି ନଥିଲେ। ତାଙ୍କୁ ଡାକିବାକୁ ଯାଇ ଅନ୍ୟ ଜଣେ ଜେସିବି ଅପରେଟର ପଥର ତଳେ ଫସିଯାଇଥିଲେ। ତେବେ ଘଟଣାକୁ ୨୪ଘଣ୍ଟାରୁ ଊର୍ଧ୍ୱ ସମୟ ବିତି ଯାଇଥିବା ବେଳେ ପଥରକୁ ହଟାଇ ଚାପି ହୋଇ ରହିଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ନାହିଁ। ବିଭିନ୍ନ କାରଣରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେବାରେ ଲାଗିଥିବାରୁ ନାନା ଆଶଙ୍କା ପ୍ରକାଶ ପାଇଛି। ଆଜି ସକାଳେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ୍‌ ଟିମ୍‌ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜେସିବି ଲଗାଇ ପଥର ଗୁଡିକୁ ହଟାଇଥିଲେ। କ୍ରେନ ସାହଯ୍ୟରେ ପଥର ଗୁଡିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିସ୍ଫୋରଣ ପରେ ବି ପାହାଡ଼ ଚଟାଣରେ ଲାଗି ରହିଥିବା କିଛି ପଥର ପୁଣି ଖସିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ଶହ ଶହ ଟନ୍‌ ଓଜନ ବିଶିଷ୍ଟ ପଥରକୁ ହଟାଇବା ପାଇଁ ଦିନ ତମାମ ପରିଶ୍ରମ ପରେ ବି ବିଶେଷ ସଫଳତା ମିଳିନାହିଁ। ମୃତ ଜେସିବି ଅପରେଟର୍‌ଙ୍କ ମଧ୍ୟରୁ ଦୁଇ ଜଣ କଟକ ଜିଲ୍ଲା ଆଠଗଡର ସଞ୍ଜୟ ଦାଶ (୩୦) ଓ ଦେବଗଡର ଘନଶ୍ୟାମ ଗୁରୁ (୨୭)ବୋଲି ଜଣାପଡ଼ିଥିବାବେଳେ ଅନ୍ୟମାନଙ୍କ ସମ୍ପର୍କରେ ଠିକା ସଂସ୍ଥା କିଛି କହିନାହିଁ।

ସମ୍ବନ୍ଧିତ ଖବର