ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ବି ଦାମ ବିଦା: ୨୪ ଘଣ୍ଟାରେ ଡବଲ୍‌ ଝଟ୍‌କା

ଭୁବନେଶ୍ୱର: ୨୪ ଘଣ୍ଟା ଭିତରେ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଡବଲ୍‌ ଝଟ୍‌କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଯେଉଁ ସମୟରେ ତାଙ୍କୁ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରିଥିଲେ, ଆଜି ଠିକ୍‌ ସେହି ସମୟରେ ତାଙ୍କ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଡାକ୍ତର ରାଉତଙ୍କୁ ବିଜେଡି ଉପସଭାପତି ପଦ ଓ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ବିଦା କରାଯାଇଛି। ଆଜି ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ମାତ୍ର ୨୪ ଘଣ୍ଟା ଅନ୍ତରରେ ଦାମ ବାବୁଙ୍କ ବିରୋଧରେ ଦୁଇ ଦୁଇଟି ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ତାଙ୍କର ଅସନ୍ତୋଷ ପରିମାଣ କେତେ, ତାହାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ଓ ତୃତୀୟ ଇଂନିସରେ ଦୁଇଥର ଦାମ ବାବୁ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ। ସେଥିପାଇଁ ତତ୍କାଳୀନ ବିଜେଡି କାର୍ପଟଦାର ପ୍ୟାରୀମୋହନ ମହାପାତ୍ରଙ୍କୁ ଦାୟୀ କରାଯାଇଥିଲା। ଏଥର କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ଅଧିକ ପ୍ରଭାବୀ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ନେଇ ଦାମ ବାବୁଙ୍କ ପ୍ରତି ତାଙ୍କ କଠୋରତା ପ୍ରକଟ କରିଛନ୍ତି।

ଅବଶ୍ୟ ଏ ସଂପର୍କରେ ଡାକ୍ତର ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି, ଉଭୟ ମନ୍ତ୍ରୀ ଓ ଦଳୀୟ ପଦବି ହେଉଛି ମନୋନୀତ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ଚାହିଁଲେ ମନ୍ତ୍ରୀ ପଦରୁ ବିଦା କରିପାରିବେ, ଦଳର ସଭାପତି ଚାହିଁଲେ, ଦଳୀୟ ପଦବି କାଢ଼ି ନେଇପାରିବେ। ଏଥିରେ ବିସ୍ମିତ ବା ଚିନ୍ତା କରିବା ଅଥବା ବ୍ୟସ୍ତ ହେବାର କଥା କିଛି ନାହିଁ। ହଠାତ୍‌ ଦାମ ବାବୁଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ପଛର ରହସ୍ୟ କିନ୍ତୁ କେହି ଠଉରାଇ ପାରୁନାହାନ୍ତି। ଜାତିଆଣ ପ୍ରସଙ୍ଗରେ ତାଙ୍କର ମନ୍ତବ୍ୟ ମହଙ୍ଗା ପଡିଲା, ନା ଏହା ପଛରେ ଆଉ କିଛି କାରଣ ଥାଇପାରେ? ଏମିତି ଆଉ କିଛି ଘଟିଛି କି ଯାହା ମୁଖ୍ୟମନ୍ତ୍ରୀଙ୍କୁ କ୍ଷୁବ୍ଧ କରିଛି? ଜନ୍ମଦିନରେ ପାରାଦୀପରେ ବିଜେପି ନେତା ବିଜୟ ମହାପାତ୍ରଙ୍କ ସହିତ ଗୋଟିଏ ମଞ୍ଚରେ ବସିବା ଓ ପରସ୍ପରକୁ କୋଳାଗ୍ରତ କରିବା କଥାକୁ ମୁଖ୍ୟମନ୍ତ୍ରୀ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି କି? ନା ବିଜୁ ବିଚାର ମଞ୍ଚ ପ୍ରସଙ୍ଗ ଉଠାଇ ଦାମବାବୁ ଯେଉଁ ଚାପ କୌଶଳର ସଙ୍କେତ ଦେଇଥିଲେ, ତାହା ମୁଖିଆଙ୍କୁ ବିଗାଡିଦେଲା? ଅନ୍ୟଥା ବିଜେଡିର ୨୦ ତମ ପ୍ରତିଷ୍ଠା ଦିବସ ପୂର୍ବରୁ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ଅନୁଗତ ଡାକ୍ତର ରାଉତଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ଲାଗି କାହିଁକି ଆଗ୍ରହ ରଖିଲେ ମୁଖ୍ୟମନ୍ତ୍ରୀ? ଏମିତି ଅନେକ ପ୍ରଶ୍ନ ଏବେ ଉଭୟ ରାଜନୈତିକ ନେତା ଓ ପର୍ଯ୍ୟବେକ୍ଷକ ମହଲରେ ଉଙ୍କି ମାରୁଛି। ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କିନ୍ତୁ ‘ସମ୍ବାଦ’ କହିଛନ୍ତି, ଦାମ ବାବୁଙ୍କ ବିବାଦୀୟ ଓ ଜାତିଆଣ ମନ୍ତବ୍ୟ ପରିପ୍ରେକ୍ଷୀରେ ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା, ହେଉଛି, ଦାମବାବୁଙ୍କ ଜାତିଆଣ ମନ୍ତବ୍ୟ ସମ୍ଭବତଃ ମୁଖ୍ୟମନ୍ତ୍ରୀଙ୍କୁ କ୍ଷୁବ୍ଧ କରିଥାଇପାରେ। କାରଣ ଗତକାଲି ସେ ଏ ନେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ଭାବେ ଜଣାଇଥିଲେ। କହିଥିଲେ, କୌଣସି ଜାତି, ଧର୍ମ, ବର୍ଣ୍ଣ ସଂପର୍କରେ ଅସମ୍ମାନ ସୂଚକ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ପୂର୍ବରୁ ମଧ୍ୟ ବିଜେପି ସହିତ ସଂପର୍କ ଛିନ୍ନ କରିବା ପଛରେ ଏହାକୁ ବଡ଼ କାରଣ ବୋଲି କୁହାଯାଉଥିଲା। ଏହି ପ୍ରକ୍ରିୟା ଆହୁରି ତୀବ୍ର ହେଲା, ଯେତେବେଳେ ବିଜେପି ‘ଜାତିଆଣ’ ଜାଲରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଧରିବାକୁ ଚେଷ୍ଟା କରିଥିଲା।

ଏଠାରେ ଉଲ୍ଲେଖଥାଉକି, ଗତକାଲି ମନ୍ତ୍ରିମଣ୍ଡଳରୁ ବିଦା କରାଯିବା ପରେ ଆଜି ଡାକ୍ତର ରାଉତ ସକାଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଇଛାରେ ମନ୍ତ୍ରୀ ହୋଇଥିଲି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ଦୁଃଖ କରିବାର ନାହିଁ। ଏମିତିରେ ବି ମୁଖ୍ୟମନ୍ତ୍ରୀଙ୍କ ଯିଏ ଆସ୍ଥା ହରାଏ ସେ ମନ୍ତ୍ରୀ ପଦବିରେ ରହେ ନାହିଁ। ବିଧାୟକ ହୋଇ ରହିବାରେ କୌଣସି ଅସୁବିଧା ନାହିଁ। ଲୋକେ ତ ମନ୍ତ୍ରୀ ଭାବେ ନିର୍ବାଚିତ କରିନଥିଲେ? ବରଂ ମନ୍ତ୍ରୀ ଭାବେ ନିର୍ବାଚନମଣ୍ଡଳୀ ଲୋକଙ୍କ ପାଇଁ ସମୟ ଦେଇ ହେଉନଥିଲା। ଏବେ ମୁଁ ଲୋକଙ୍କ ପାଇଁ ସମୟ ଦେବି। ବର୍ତମାନ ୨୬ ତାରିଖରେ ପୁରୀରେ ହେବାକୁ ଥିବା ସମାବେଶ ପାଇଁ ବ୍ୟସ୍ତ ଥିବା ସୂଚାଇଥିଲେ ଡାକ୍ତର ରାଉତ। ବିଜୁ ବିଚାର ମଞ୍ଚ ସଂପର୍କରେ ଗଣମାଧ୍ୟମ ପ୍ରଶ୍ନ ଉପରେ ଦାମ କହିଛନ୍ତି, ଏହା କୌଣସି ରାଜନୈତିକ ମଞ୍ଚ ନୁହେଁ ବା ନଥିଲା। ବରଂ ଏହି ମଞ୍ଚ ଲୋକଙ୍କ ସମସ୍ୟା ପାଇଁ କାମ କରେ ଓ ନୂଆ ପିଢିକୁ ବିଜୁ ବାବୁଙ୍କ ସଂପର୍କରେ ଜଣାଇବା ଏହାର ଉଦ୍ଦେଶ୍ୟ। ତେବେ ଦାମ ବାବୁଙ୍କ ବିରୋଧରେ ନବୀନଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ କେଉଁ ମୋଡ଼ ନେବ, ଦାମ ବାବୁ ନିରବ ରହିବେ, ନା ପରିପକ୍ୱତାର ପ୍ରଦର୍ଶନ କରି ବିଜେଡି ପାଇଁ ଅଡୁଆ ଜାଲ ବିଞ୍ଝିବେ- ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର