ଯୌତୁକ ଜୁଇରେ ଦୁଇ ମହିଳା : ଲିଲିଙ୍କୁ ପିଟି ମାରିଲା ସ୍ୱାମୀ, ଲିପିକାଙ୍କୁ ଜାଳିଦେଲେ

ହିଞ୍ଜିଳିକାଟୁ/ପୁରୁଷୋତ୍ତମପୁର : ନାନା ସଚେତନତା, କଡ଼ା ଆଇନ ସତ୍ତ୍ବେ ଚେତୁ ନାହାନ୍ତି ଯୌତୁକଲୋଭୀ ରାକ୍ଷସ । ଫଳରେ ବହୁ ନିରୀହ ଝିଅଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାରୁ ଦୁଇଟି ଯୌତୁକଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି।

ହିଞ୍ଜିଳି ଥାନା ଓ ପୁରୁଷୋତ୍ତମୁର ଥାନା ଅଧୀନ କୋଳିଦାସପୁର ଗ୍ରାମରେ ଗତକାଲି ଲିଲି ଦାସ (୨୧) ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ମାମଲା ରୁଜୁ ସହ ପୁଲିସ ଅଭିଯୁକ୍ତ ସ୍ବାମୀ କୁମରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁସାରେ, ୨୦୧୭ ରେ ଚାନ୍ଦୁଲି ଗ୍ରାମର କବିରାଜ ଦାସଙ୍କ ଝିଅ ଲିଲି କୋଳିଦାସପୁରର ଗୁରୁ ଦାସଙ୍କ ପୁଅ କୁମରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କ ଏକ ପୁଅ ଅଛି। ତେବେ ଅଧିକ ଯୌତୁକ ପାଇଁ କୁମର ସବୁବେଳେ ଲିଲିଙ୍କୁ ମାନସିକ ନିର୍ଯାତନା ଦେବା ସହ ମାରପିଟ୍ କରୁଥିଲେ। ଗତକାଲି ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ଲିଲିଙ୍କୁ କୁମର ପିଟି ପିଟି ମାରିଦେବା ସହ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଶବକୁ ଝୁଲାଇ ଦେଇଥିଲେ। ହିଞ୍ଜିଳି ପୁଲିସ ଆଜି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଲିଲିଙ୍କୁ ହତ୍ୟା କରା ଯାଇଥିବା ନେଇ ବାପଘର ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି କୁମରଙ୍କୁ ଅଟକ ରଖିଛି। ତେବ‌େ ଲିଲି ଆତ୍ମହତ୍ୟା କରିଥିବା କୁମରଙ୍କ ପରିବାରବର୍ଗ କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

ସେହିପରି ଏହି ଥାନା ଅଧୀନ ମହୁଲପଲ୍ଲୀ ଗ୍ରାମରେ ମଧ୍ୟ ‌ଅଧିକ ‌ଯୌତୁକ ପାଇଁ ଲିପିକା ପାଣିଗ୍ରାହୀ ନାମକ ଜଣେ ମହିଳାଙ୍କୁ କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ମାମଲା ରୁଜୁ ସହ ସ୍ବାମୀ ବାବୁଲି ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଯୋଗିଆପଲ୍ଲୀ ଗ୍ରାମର ରମାକାନ୍ତ ପଣ୍ଡାଙ୍କ ଦ୍ୱିତୀୟ ଝିଅ ଲିପିକା ମହୁଲପଲ୍ଲୀ ଗ୍ରାମର ଅରୁଣ ପାଣିଗ୍ରାହୀଙ୍କ ସାନପୁଅ ବାବୁଲି ସହ ୨୦୧୭ ଜୁନ୍ ୨୬ ତାରିଖରେ ବିବାହ କରିଥିଲେ। କିନ୍ତୁ ବାହାଘରର ମାତ୍ର ୧୦ ଦିନ ପରେ ଅଧିକ ‌ଯୌତୁକ ପାଇଁ ଲିପିକାଙ୍କ ଉପରେ ଅକଥନୀୟ ନିର୍ଯାତନା ଆରମ୍ଭ ହୋଇ ଯାଇଥିଲା। ଏପରିକି ଶ୍ବଶୁର ଘର ଲୋକେ ଲିପିକାଙ୍କ ବାପଘରକୁ ଫୋନ୍ କରି ଅଧିକ ‌‌ଯୌତୁକ ଦାବି କରୁଥିଲେ। ଗତ ୧୨ ତାରିଖରେ ଲିପିକାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦିଆଯାଇଥିଲା। ସେ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗତ ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଲିପିକାଙ୍କୁ ହତ୍ୟା କରା ଯାଇଥିବା ନେଇ ଥାନାରେ ଏତଲା ଦିଆଯିବା ପରେ ପୁଲିସ ସ୍ବାମୀ ବାବୁଲିଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର