ଡକ୍ଟର ଧନେଶ୍ୱର ମହାପାତ୍ରଙ୍କ ପରଲୋକ

0 45

କଟକ : ବିଶିଷ୍ଟ ଭାଷାତତ୍ତ୍ୱବିତ୍‌, ବୈୟାକରଣିକ, ଅନୁବାଦକ ତଥା ସ୍ତମ୍ଭକାର ଡକ୍ଟର ଧନେଶ୍ୱର ମହାପାତ୍ର ଆଉ ନାହାନ୍ତି। ଆଜି ଅପରାହ୍‌ଣ ୧ଟା ୫୦ ମିନିଟ୍‌ରେ କଟକର ଏକ ଘରୋଇ ନର୍ସିଂହୋମ୍‌ରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୫ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।

ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଏକମାତ୍ର ପୁତ୍ର ଧର୍ମବ୍ରତ ମହାପାତ୍ର ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜୀବନ କୁମାରୀ ମହାପାତ୍ର, ପୁଅ ଧର୍ମବ୍ରତ ମହାପାତ୍ର, ବୋହୂ ସଂଯୁକ୍ତା ମହାପାତ୍ର, ଝିଅ କବିତା, ବିନୀତା, ଅନୀତା, ମମତା, ଜ୍ୱାଇଁ ପ୍ରଫେସର ଡକ୍ଟର ବିଜୟ ଶତପଥୀ, ପ୍ରଫୁଲ ନନ୍ଦ, ମାନସ କବି, ଡାକ୍ତର ଅଜିତ ତ୍ରିପାଠୀ, ପୁତୁରା ସତ୍ୟବ୍ରତ ମହାପାତ୍ର, ଦେବବ୍ରତ ମହାପାତ୍ର, ଶୁଭବ୍ରତ ମହାପାତ୍ର, ସୁଧାବ୍ରତ ମହାପାତ୍ର, ଝିଆରୀ ସବିତା, ସୁନୀତା, ନାତି ଶୌର୍ଯ୍ୟବ୍ରତଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।

ତାଙ୍କ ମରଶରୀରକୁ କଲ୍ୟାଣୀନଗରସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଡାକ୍ତର ସୁବୋଧ ପ୍ରହରାଜ, ପ୍ରଫେସର ବୈଷ୍ଣବ ଚରଣ ସାମଲ, ଡକ୍ଟର ବିଜୟାନନ୍ଦ ସିଂହ, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଡକ୍ଟର ସୁଦର୍ଶନ ପଟ୍ଟନାୟକ, ଡକ୍ଟର ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ଗୋବିନ୍ଦ ଭୂୟାଁ, ପ୍ରଫେସର ଶ୍ୟାମା କାନୁନ୍‌ଗୋ, ଡକ୍ଟର ସୁଲୋଚନା ଦାସ, ରୁମ୍‌ଝୁମ୍‌ ନାୟକ, ଡକ୍ଟର ବୈଜୟନ୍ତୀ ମିଶ୍ର, ସରୋଜିନୀ ମିଶ୍ର(ପଣ୍ଡା), ବାବାଜୀ ଚରଣ ଲେଙ୍କା, ରବୀନ୍ଦ୍ର କୁମାର ସେଠୀ, ସୁଧୀର କୁମାର ନାୟକ, ଡକ୍ଟର ନବକିଶୋର ମିଶ୍ର, ଡକ୍ଟର ନବକିଶୋର ଷଡଙ୍ଗୀ, ବ୍ରହ୍ମାନନ୍ଦ ମହାନ୍ତି, ଗୌରହରି ମହାନ୍ତି, ଇଞ୍ଜିନିୟର ଶ୍ୟାମ ସୁନ୍ଦର ସୂତାର, ଅଧ୍ୟାପିକା ବିଜୟିନୀ ସିଂହଦେଓ ପ୍ରମୁଖ ସ୍ୱର୍ଗତ ମହାପାତ୍ରଙ୍କ ବହୁ ଛାତ୍ରଛାତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ପୁରୀ ନିଆଯାଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ଧନେଶ୍ୱର ମହାପାତ୍ର ୧୯୩୨ ଅଗଷ୍ଟ ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଆୟତନ ଗାଁରେ ଜନ୍ମଗ୍ରହଣ କରିଥିଲେ। ଗାଁରେ ପ୍ରାଥମିିକ ଶିକ୍ଷା ପରେ ଚାକିରି ଅନେ୍ଵଷଣରେ ସ୍ୱର୍ଗତ ମହାପାତ୍ର କଟକ ଚାଲିଆସିଥିଲେ। କଟକ ରହଣି ମଧ୍ୟରେ ସଂସ୍କୃତରେ ସାହିତ୍ୟ ଆଚାର୍ଯ୍ୟ ଓ ବ୍ୟାଚ୍‌ଲୋର ଅଫ୍‌ ଓରିଏଣ୍ଟାଲ୍‌ ଲର୍ଣ୍ଣିଂ(ବିଓଏଲ୍‌) ଡିଗ୍ରି ହାସଲ କରିବା ପରେ ସେ ରେଭେନ୍‌ସା କଲିଜିଏଟ୍‌ ସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ଶିକ୍ଷକତା ସମୟରେ କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ(ଆର୍‌ଏନ୍‌ଟି)ରେ ବିଏଡ୍‌ କରି ସେଇଠି ଶିକ୍ଷକତା କରିଥିଲେ। ପରେ ସଂସ୍କୃତ ଓ ଓଡ଼ିଆ ଭାଷାରେ ଘରୋଇ ଭାବେ ଏମ୍‌ଏ ପାସ୍‌ କରି ସୁନ୍ଦରଗଡ଼ କଲେଜରୁ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ୧୯୮୪ ମସିହାରେ ରେଭେନ୍‌ସା ଓଡ଼ିଆ ବିଭାଗରୁ ପ୍ରାଧ୍ୟାପକ ଭାବେ ଅଗ୍ରସର ଗ୍ରହଣ କରିଥିଲେ। ଡକ୍ଟର ମହାପାତ୍ର ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ୩୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ସୃଷ୍ଟି ‘ଓଡ଼ିଆ ଧ୍ୱନିତତ୍ତ୍ୱ ଓ ଶବ୍ଦସମ୍ଭାର, ‘ଓଡ଼ିଆ ଭାଷାତତ୍ତ୍ୱ ବିଚାର ଓ ବିଶ୍ଲେଷଣ’, ଆଧୁନିକ ଓଡ଼ିଆ ବ୍ୟାକରଣ, ରମ୍ୟ ଅରମ୍ୟ, ‘ଆମ ଓଡ଼ିିଶା’ ପକ୍ଷରୁ ପ୍ରକାଶିତ ‘ସରଳ ଓଡ଼ିଆ ଅଭିଧାନ, ‘ଆମ ଓଡ଼ିଆ ବ୍ୟାକରଣ (ଭାଗ ୧ ଓ ୨)’, ଆତ୍ମଜୀବନୀ ପୁସ୍ତକ ‘ମୋ ଜୀବନ ମୋ କାହାଣୀ, କବିତା ସଂକଳନ ସେଦିନ ସକାଳ, ନାଟକ ‘ସନ୍ଥ ତୁଳସୀ ଦାସ’ ଓ ‘ବେଣୀ ବନ୍ଧନ’, ଅନୁବାଦ ପୁସ୍ତକ ’କାଳୀଦାସ ଗ୍ରନ୍ଥାବଳୀ, ଅଶ୍ୱଘୋଷ ରଚନାବଳୀ ଆଦି ପୁସ୍ତକ ସ୍ୱତନ୍ତ୍ର ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଅର୍ଜନ କରିଛି। ଉଲ୍ଲେଖନୀୟ ସାହିତ୍ୟ ସୃଷ୍ଟି ପାଇଁ ଡକ୍ଟର ମହାପାତ୍ର ସୋଭିଏତ୍‌ ଦେଶ ନେହେରୁ ପୁରସ୍କାର (ଲିଓ ଟଲଷ୍ଟଏଙ୍କ ଉପନ୍ୟାସ ପୁର୍ନଜୀବନର ଅନୁବାଦ ପାଇଁ), ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାରଳା ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସମ୍ମାନ, ନୀଳଚକ୍ର ସମ୍ମାନ, କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସମାଜ ପକ୍ଷରୁ ଶ୍ରୀବଳଦେବ ଜୀଉ ସମ୍ମାନ, ପଦ୍ମଭୂଷଣ ରାଧାନାଥ ରଥ ସ୍ମାରକୀ ସମ୍ମାନ, ସାମ୍ବାଦିକ ଗୌରବ ଉଦୟନାଥ ଷଡଙ୍ଗୀ ସମ୍ମାନ, ଖରସ୍ରୋତା ସମ୍ମାନ ଭଳିି ୫୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିଲେ।

ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗରେ ‘ସମ୍ବାଦ’ର ସଂପାଦକ (ଫିଚର) କଥାକାର ଡକ୍ଟର ଗୌରହରି ଦାସ, ପୌରୁଷର ସଂପାଦକ ତଥା ବିଶିଷ୍ଟ ଗବେଷକ ଅସିତ ମହାନ୍ତି, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂଜିନିୟର ପ୍ରଭାକର ସ୍ୱାଇଁ ପ୍ରମୁଖ ଶୋକପ୍ରକାଶ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.