ପ୍ରଫେସର ସିବିକେ ମହାନ୍ତି ହେଲେ ଏସ୍‌ସିବି ଅଧୀକ୍ଷକ

ପ୍ରଥମ ମହିଳା ଡିନ୍‌ ଭାବେ ଦାୟିତ୍ବ ନେଲେ ପ୍ରଫେସର ଜୟଶ୍ରୀ ମହାନ୍ତି

କଟକ : ଗୋଟିଏ ଦିନରେ ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ଓ ପ୍ରିନ୍‌ସିପାଲ ଏବଂ ଅଧୀକ୍ଷକ ନେଇଛନ୍ତି ଅବସର। କିନ୍ତୁ ଏଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ସରକାର କାହାରିକୁ ସ୍ଥାୟୀ ନିଯୁକ୍ତି ଦେଇନାହାନ୍ତି। ଫଳରେ ଭାରପ୍ରାପ୍ତ ଡିନ୍‌ ଓ ପ୍ରିନ୍‌ସିପାଲ ଭାବେ ରେଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ରୂପେ ଦାୟିତ୍ବ ନେଇଥିବା ବେଳେ ଅଧୀକ୍ଷକ ଭାବେ ମେଡିସିନ୍‌ ବିଭାଗ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି। ଏସ୍‌ସିବିର ପ୍ରଥମ ମହିଳା ଭାବେ ଡିନ୍‌ ଓ ପ୍ରିନ୍‌ସିପାଲ ଭାବେ ପ୍ରଫେସର ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି।

ଆଜି ‌ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ତଥା ପ୍ରିନିସିପାଲ ପ୍ରଫେସର ଡାକ୍ତର ସିଦ୍ଧ‌ାର୍ଥ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ତା’ ସହିତ ନୂତନ ଦାୟିତ୍ବ ନେଇଥିବା ପ୍ରଫେସର ଜୟଶ୍ରୀ ମହାନ୍ତିଙ୍କୁ ସ୍ବାଗତ କରାଯାଇଛି। ସମସ୍ତ ବିଭାଗର ପ୍ରଫେସର, ଛାତ୍ରସଂସଦ, କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତାଙ୍କୁ ମଧ୍ୟ ସମସ୍ତ ବିଭାଗର ପ୍ରଫେସର, ଡାକ୍ତର, ମେଡିକାଲ କର୍ମଚାରୀ ସଂଘ, ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ପ୍ରଫେସର ଡାକ୍ତର ଇନ୍ଦୁଭୂଷଣ କର, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି, ବିରଞ୍ଚି ଭୂଷଣ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ୨୦୧୮, ଏପ୍ରିଲରେ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋଙ୍କ ଅବସର ଗ୍ରହଣ ପରେ ଅଧୀକ୍ଷକ ଦାୟିତ୍ବରେ ରହିଥିଲେ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା । ଅନ୍ୟପଟେ ଡିନ୍‌ ଓ ପ୍ରିନ୍‌ସିପାଲ ପ୍ରଫେସର ସିଦ୍ଧ‌ାର୍ଥ ଦାସଙ୍କ ସ୍ବେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିଥିଲେ। ସରକାର ତାହାକୁ ଗ୍ରହଣ କରି ନେଇଥିଲେ।

ସମ୍ବନ୍ଧିତ ଖବର