ଧରାପଡ଼ିଲେ ଡାକ୍ତର ରବୀନ୍ଦ୍ର ଜେନା

କଟକ/ବାଲେଶ୍ୱର : ଏସ୍‌ସିବି କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର କୁମାର ଜେନାଙ୍କୁ ଭିଜିଲାନ୍ସ ଗିରଫ କରିଛି। ବାଲେଶ୍ୱର ଜିଲ୍ଲାର ସୀମା ଲକ୍ଷ୍ମଣନାଥ ନିକଟରୁ ତାଙ୍କୁ ଗିରଫ କରାଯାଇଛି। ଗତକାଲି ରାତିରେ ତାଙ୍କୁ କଟକସ୍ଥିତ ଭିଜିଲାନ୍ସ ମୁଖ୍ୟାଳୟକୁ ଆଣି ଜେରା କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ସହ ଅଦାଲତ ୨୦୧୮, ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପକ୍ଷରେ ଡାକ୍ତର ଜେନାଙ୍କୁ ଜେରା ପାଇଁ ୫ ଦିନ ରିମାଣ୍ଡରେ ନେବା ଲାଗି ଭିଜିଲାନ୍ସ ପକ୍ଷରୁ ଅଦାଲତରେ ଆବେଦନ କରାଯାଇଛି। ଭିଜିଲାନ୍ସର ରିମାଣ୍ଡ ଆବେଦନ ଉପରେ ଡିସେମ୍ବର ୨୨ରେ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଗିରଫଦାରୀ ପରେ ଡାକ୍ତର ଜେନାଙ୍କ ପକ୍ଷରୁ ଦାୟର ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ଡିସେମ୍ବର ୨୭ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ସମୟରେ କେସ୍‌ ଡାଏରି ଦାଖଲ ଏବଂ ତଦନ୍ତର ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଡାକ୍ତର ଜେନାଙ୍କ ବିରୋଧରେ ସରକାରୀ ପଦବିର ଅପବ୍ୟବହାର, ନିର୍ଦ୍ଦିଷ୍ଟ ଔଷଧ କଂପାନି ପ୍ରତି ଅହେତୁକ ଅନୁକଂପା ପ୍ରଦର୍ଶନ ଓ ଆର୍ଥିକ ଅନୁଗ୍ରହ, ସରକାରଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇବା, ଠକେଇ, ଅର୍ଥ ତୋଷରପାତ ଏବଂ ବିଭିନ୍ନ ଔଷଧ କଂପାନି ତଥା ଅନ୍ୟମାନଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର ରଚିବା ଭଳି ଅଭିଯୋଗ ରହିଛି। ଡିସେମ୍ବର ୫ ତାରିଖରେ ଡାକ୍ତର ଜେନାଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ (ନଂ ୧୮/୨୦୧୭) ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା। ଏଭଳି ସ୍ଥିତିରେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଡାକ୍ତର ଜେନା ଆତ୍ମଗୋପନ କରିବା ସହ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିଲେ। କିନ୍ତୁ ତାହା ହାଇକୋର୍ଟରେ ଖାରଜ ହୋଇଯାଇଥିଲା। ଡାକ୍ତର ଜେନାଙ୍କ ପତ୍ତା ନମିଳିବାରୁ ଡିସମ୍ବେର ୧୬ରେ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ଗତକାଲି ଡାକ୍ତର ଜେନା କଳିକତାରୁ ଦିନ ପ୍ରାୟ ସାଢେ ବାରଟା ବେଳେ ଏକ ଇନୋଭା ଗାଡ଼ିରେ ଓଡ଼ିଶା ଫେରୁଥିବା ସଂପର୍କରେ ଖବର ମିଳିବା ପରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ସହାୟତାରେ ତାଙ୍କୁ ବାଲେଶ୍ୱର ସୀମା ଲକ୍ଷ୍ମଣନାଥ ନିକଟରୁ ଧରା ଯାଇଥିଲା।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗିରଫଦାରୀ ଏଡାଇବାକୁ ଡିସେମ୍ବର ୪ ତାରିଖରୁ ଡାକ୍ତର ଜେନା ଓଡ଼ିଶା ଛାଡି କୋଲକାତା ପଳାଇଥିଲେ। ଡିସେମ୍ବର ୧୭ ତାରିଖ ଦିନ ସେ କୋଲକାତାର କସବା ସ୍ଥିତ ରୁବି ଜେନେରାଲ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଗତକାଲି ମଧ୍ୟାହ୍ନରେ ସେଠାରୁ ଡିସଚାର୍ଜ ହୋଇଥିଲେ।

ସମ୍ବନ୍ଧିତ ଖବର