ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ପାଇଲେ ଶାରଳା ପୁରସ୍କାର; ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର ଓ ଚିତ୍ରଶିଳ୍ପୀ ବିନୋଦ ମହାରଣା ସମ୍ମାନିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ଶୁକ୍ରବାର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି  । ତାଙ୍କ ରଚିତ କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ପାଇଁ ସେ ୩୯ତମ ଶାରଳା ପୁରସ୍କାର ପାଇଛନ୍ତି। ଇଣ୍ଡିଆନ୍‌ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ୍‍ (ଇମ୍ପାକ୍ଟ) ପକ୍ଷରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି। ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ତାଙ୍କୁ ଏକ ବିଶେଷ କାର୍ଯ୍ୟକ୍ରମରେ ସମ୍ବର୍ଧିତ କରାଯାଇଛି।

ଏହା ସହିତ ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ୨ କୃତୀ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଧିତ କରାଯାଇଛି। ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ଇଲା ପଣ୍ଡା ସଂଗୀତ ସମ୍ମାନ ଏବଂ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ପ୍ରଦାନ କରାଯାଇଛି। ଉଭୟଙ୍କୁ ୧ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯାଇଛି। ମେ ଫେୟାର ହୋଟେଲ୍‌ରେ ଏକ ସ୍ୱତନ୍ତ୍ର ଉତ୍ସବରେ ଶାରଳା ପୁରସ୍କାର ସହ ଉପାୟନ ପ୍ରଦାନ କରାଯାଇଛି। ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଇମ୍ଫା’ ଦ୍ୱାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ୧୯୭୯ ମସିହାରୁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି।

ଏନେଇ ପ୍ରତିକ୍ରିୟା ରଖି ଶ୍ରୀ ପାଣ୍ଡବ କହିଛନ୍ତି, ଶାରଳା ପୁରସ୍କାର ଏକ ବଡ଼ ସ୍ୱୀକୃତି। ସେ ସ୍ୱୀକୃତିର ପ୍ରବାହରେ ଯୋଡ଼ି ହୋଇଥିବାରୁ ମୁଁ ଆନନ୍ଦିତ। ତେବେ ସୃଜନଶୀଳତା ପୁରସ୍କାର ଦ୍ୱାରା ପ୍ରଭାବିତ ହୁଏ ନାହିଁ। ପୁରସ୍କାର ପ୍ରୋତ୍ସାହନ ଦେଇପାରେ କିନ୍ତୁ ସୃଜନଶୀଳତା ତାକୁ ଅପେକ୍ଷା ରଖେନି। ପୁରସ୍କୃତ ହୋଇଥିବା ତାଙ୍କର ପୁସ୍ତକ ‘ମିଶ୍ର ଧ୍ରୁପଦ’ କବିତା ସଂକଳନ ସମ୍ପର୍କରେ ସେ କହିଛନ୍ତି ଯେ, ଏଥିରେ ଭାବଗତ ବିବିଧତା ରହିଛି। ୧୯୯୫ରୁ ୨୦୧୫ ମଧ୍ୟରେ ଲେଖାଯାଇଥିବା କବିତାକୁ ନେଇ ୨୦୧୬ରେ ପୁସ୍ତକ ଆକାରରେ ଏହା ପ୍ରକାଶ ପାଇଛି। ଏଥିରେ ଆଧ୍ୟାତ୍ମିକ ଚିନ୍ତନ, ପ୍ରେମ, ବୈରାଗ୍ୟ, ମାଟି ଓ ମଣିଷ ପାଇଁ ଅନୁରାଗ ଭଳି ବିବିଧ ବିଷୟବସ୍ତୁ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର