୪୫୦ କି.ମି. ଉପକୂଳ ରାଜପଥ ନିର୍ମାଣ ପ୍ରସ୍ତାବ

ଅର୍ଥନୈତିକ-ପର୍ଯ୍ୟଟନ କରିଡର ପାଲଟିବ
ଜାତୀୟ ରାଜପଥରେ ଓଡ଼ିଆ ନାମଫଳକ ଲାଗିବ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ୪୫୦ କି.ମି. ଉପକୂଳ ରାଜପଥ ନିର୍ମାଣ କରାଯିବ। ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ରାଜପଥ ଅର୍ଥନୈତିକ-ପର୍ଯ୍ୟଟନ କରିଡର ପାଲଟିବ। ଏହି ଉପକୂଳ ରାଜପଥ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଚିଠା ପ୍ରସ୍ତାବ ଉପସ୍ଥାପନ କରିଛି। ଏଭଳି ବିଶାଳ ପ୍ରସ୍ତାବ କିପରି ପ୍ରକଳ୍ପର ରୂପ ନେଇପାରିବ ସେ ନେଇ ଆଜି ସଚିବାଳୟରେ ରାଜ୍ୟ ପ୍ରଶାସନ ଏବଂ ଏନ୍‌ଏଚ୍‌ଏଆଇ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏନ୍‌ଏଚ୍‌ଏଆଇ ସଦସ୍ୟ ଆନନ୍ଦ କୁମାର ସିଂହ ଏହାର ଚିଠା ପ୍ରସ୍ତାବ ଉପସ୍ଥାପନ କରିଥିଲେ। ପରେ ଗଣମାଧ୍ୟମକୁ ସେ କହିଲେ, କେନ୍ଦ୍ର ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପ୍ରସ୍ତାବ। ଏହି ପ୍ରକଳ୍ପରେ ଓଡ଼ିଶା ଏକ ବଡ଼ ଅଂଶୀଦାର ହୋଇଥିବାରୁ ପ୍ରସ୍ତାବିତ ରାଜପଥର ବିଭିନ୍ନ ପ୍ରସଙ୍ଗ ସଂପର୍କରେ ବୈଠକରେ ଆଲୋଚନା ହୋଇଥିବା ସେ ପ୍ରକାଶ କରିଥିଲେ।

ଏହି ଉପକୂଳ ରାଜପଥ ପ୍ରସ୍ତାବରେ ଗଞ୍ଜାମ ଜିଲ୍ଲାର ୨୯ କି.ମି., ପୁରୀ ଜିଲ୍ଲାର ୧୫୩ କି.ମି., ଜଗତ୍‌ସିଂହପୁର ଜିଲ୍ଲାର ୫୪ କି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ୪୯ କି.ମି., ଭଦ୍ରକ ଜିଲ୍ଲାର ୬୧ କି.ମି. ଏବଂ ବାଲେଶ୍ୱର ଜିଲ୍ଲାର ୯୯ କି.ମି. ଅନ୍ତର୍ଭୁକ୍ତ। ଏହା ସହିତ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାର ୬ କି.ମି. ସାମିଲ କରାଯିବ। ଏଥିରେ ୧୭୮ ଗ୍ରାମକୁ ସଂଯୋଗ ପାଇଁ ରାସ୍ତା, ସେତୁ ନିର୍ମାଣ କରାଯିବ। ଋଷିକୂଲ୍ୟା ନଦୀ, ପାଲୁର ସାହିବ କେନାଲ, ଚିଲିକା ହ୍ରଦ, କୁଶଭଦ୍ରା ନଦୀ, କାଦୁଆ, ଦେବୀ, ହଂସୁଆ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ମନ୍ତେଇ, ସୁବର୍ଣ୍ଣରେଖା ନଦୀ ପ୍ରଭୃତି ଉପରେ ସେତୁ ନିର୍ମାଣ ପ୍ରସ୍ତାବ ରହିଛି। ସେହିପରି ମାଲୁଦ, ବ୍ରହ୍ମଗିରି, ରେବଣା, କୋର୍ଣାକ, ଜରିମୂଳ, ଗୋପାଳପୁର ଆଦି ସ୍ଥାନକୁ ବାଇପାସ୍‌ ରାସ୍ତା ନିର୍ମାଣ କରାଯିବ। ଏହି ରାଜପଥ ପର୍ଯ୍ୟଟନର ବିକାଶ କରିବା ସହିତ ଶିଳ୍ପାୟନ ଅଭିବୃଦ୍ଧି କରିପାରିବ। ବିଶେଷ କରି ଉପକୂଳ ରାଜପଥ ବନ୍ଦରଗୁଡ଼ିକୁ ସଂଯୋଗୀକରଣ ଦିଗରେ ସହାୟକ ହେବ। ଏ ନେଇ ପ୍ରାଥମିକ ସର୍ଭେ ସରିଛି। ଏହା ଭିତ୍ତିରେ ସମ୍ଭାବ୍ୟ ପ୍ରସ୍ତାବ ରିପୋର୍ଟ ପ୍ରସ୍ତୁତି ମଧ୍ୟ ହୋଇଛି। ତେବେ ଉପକୂଳ ରାଜପଥ ପ୍ରସ୍ତାବ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ(ଡିପିଆର) ପ୍ରସ୍ତୁତି ଚୂଡ଼ାନ୍ତ ବାକି ରହିଛି। ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ରାଜ୍ୟରେ ଥିବା ଜାତୀୟ ରାଜପଥ ଫଳକଗୁଡ଼ିକରେ ଓଡ଼ିଆ ଭାଷାରେ ଲେଖିବାକୁ ପରାମର୍ଶ ଦେଇଥିଲେ। ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଜାତୀୟ ରାଜପଥକୁ ଦୁର୍ଘଟଣାମୁକ୍ତ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଉନ୍ନୟନ କମିସନର ଆର.ବାଳକ୍ରିଷ୍ଣନ, ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ, ଏନ୍‌ଏଚ୍‌ଏଆଇ, ସିଜିଏମ୍‌ ଧର୍ମାନନ୍ଦ ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ଅଧିକାାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର