ଶୁଣୁନି ସିଏମ୍‌ସି : ଡ୍ରେନ୍‌ ସଫା କଲେନି; ତାଡ଼ିଦେଲେ ସ୍କୁଲ ପାଚେରି, ହନ୍ତସନ୍ତ ହେଉଛନ୍ତି ହଷ୍ଟେଲ ଛାତ୍ରୀ

କଟକ : ‌ଡ୍ରେନ୍‌ ସାଂଘାତିକ ଜାମ୍‌। ସଫା କଲେନି; ପଙ୍କ କାଢ଼ିଲେନି। ବର୍ଷାରେ ନର୍ଦମା ପାଣି ସହିତ ବର୍ଷା ଜଳ ଏକାକାର ହେଇ ଜଳବନ୍ଦୀ ସମସ୍ୟା ସୃଷ୍ଟି କରିବାରୁ ବିକଳ୍ପ ପଦକ୍ଷେପ ସ୍ବରୂପ ହାଇସ୍କୁଲ ପାଚେରି ତାଡ଼ି ବାଟ ଖୋଲିଦେଲେ। ପରିଣାମ ହେଲା ଏୟା ଯେ, ଯାବତୀୟ ନର୍ଦମା ଓ ବର୍ଷା ପାଣି ସ୍କୁଲ ଭିତରେ ଜମି ରହିଲା। ଅସ୍ବାସ୍ଥ୍ୟକର ପରିବେଶ ସାଂଗକୁ ମଶା, ମାଛିଙ୍କ ଉତ୍ପାତ୍‌ରେ ଏବେ ଛାତ୍ରୀ ଅତିଷ୍ଠ। ତ୍ରାହି ତ୍ରାହି ଡାକୁଛନ୍ତି। ଅଥଚ ସିଏମ୍‌ସି କର୍ତୃପକ୍ଷ ହାତବାନ୍ଧି ବସିଛନ୍ତି। ଏଭଳି ଘଟଣା ରେଭେନ୍ସା ବାଳିକା ହାଇସ୍କୁଲ୍‌ରେ ଦେଖିବାକୁ ମିଳିଛି। ସିଏମ୍‌ସିର ବେପରୁଆ କାମ ଯୋଗୁ ଏବେ ଛାତ୍ରୀମାନେ ନର୍ଦମା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

ଉଲ୍ଲେଖଯୋଗ୍ୟ, କଟକ ସହରର ସବୁଠୁ ବଡ଼ ସମସ୍ୟା ହେଉଛି ବର୍ଷାରେ ଜଳବନ୍ଦୀ। ବିପର୍ଯ୍ୟସ୍ତ ଡ୍ରେନ୍‌ ବ୍ୟବସ୍ଥା ପାଇଁ ଏଭଳି ପରିସ୍ଥିତି ଉତ୍ପନ୍ନ ହେଉଛି। ଅଥଚ କର୍ତୃପକ୍ଷ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ପରିବର୍ତେ ହାତବାନ୍ଧି ବସି ରହୁଛନ୍ତି। ପରିଣାମ ସ୍ବରୂପ, ଚୌଧୁରୀ ବଜାର ବାପ-ପୁଅ ‌କପଡା ଦୋକାନରୁ ପଢିହାରୀ ପାଠାଗାର ପର୍ଯ୍ୟନ୍ତ ଲମ୍ବିଥିବା ‌ଡ୍ରେନ ସଂପୂର୍ଣ୍ଣ ପୋତି ହୋଇଯାଇଛି। ପାଣି ନିସ୍କାସିତ ହୋଇପାରୁ ନଥିବାରୁ ସାମାନ୍ୟ ବର୍ଷା ହେଲେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ନର୍ଦ୍ଦମା ପାଣି ଦୋକାନରେ ପଶୁଛି। ପୁଣି ଜବରଦଖଲ ଡ୍ରେନ୍‌ ପୋତି‌ ହେବାର ଅନ୍ୟତମ କାରଣ ହୋଇଛି। ଅନେକ ଉଠା ଦୋକାନୀ ଡ୍ରେନ୍‌ କବ୍‌ଜା କରି ବେପାର କରୁଥିବାରୁ ୫୦୦ ମିଟର ଡ୍ରେନ ପୋତି ହେଇ ଜଳ ନିଷ୍କାସନ ହେଉନାହିଁ। ମୁଖ୍ୟତଃ ଏହି ‌‌ଡ୍ରେନ୍‌ରେ ଆଲମଚାନ୍ଦ ବଜାର, କବିରାଜ ବଜାର, ଦୁର୍ଗା ବାଡି, ସାମଲିଆ ପଡିଆ, ବାଙ୍କା ବଜାର, ମୁସ୍‌ଲିମ୍‌ ସାହିରୁ ଆସୁଥିବା ନର୍ଦମା ପାଣି ମିଶେ। ଏହି ଡ୍ରେନ୍‌ ପଢିହାରୀ ପାଠାଗାର ଦେଇ ରେଭେନ୍ସ‌ା ବାଳିକା ଉଚ୍ଚ ବିଦ୍ୟାଳୟ ବ‌ାଟେ କାଠଗଡା ସାହି ବଡନାଳରେ ମିଶେ। କିନ୍ତୁ ଚୌଧୁରୀ ବଜାର ନିକଟରେ ଡ୍ରେନ ପୋତି ହୋଇଯିବା ଯୋଗୁ ରେଭେନ୍ସା ବଳିକା ଉଚ୍ଚ ବିଦ୍ୟାଳୟର ପ‌ାଚେରୀକୁ କଣା କରି ସ୍କୁଲ ମଧ୍ୟରେ ଥିବା ଦଳ ଗାଡିଆକୁ ଛାଡି ଦିଆଯାଇଛି। ଫଳରେ ନର୍ଦମା ପାଣି ଯୋଗୁ ସ୍କୁଲ ପରିସର ଅସ୍ବାସ୍ଥ୍ୟକରଣ ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ ସ୍କୁଲ ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଅଧିକ ପ୍ରଭାବିତ ହେଉଛନ୍ତି।

ଅନ୍ୟପକ୍ଷରେ ସ୍ଥାନୀୟ ବ୍ୟବସାୟୀ ଶେଖ୍‌ ଅମିର କହିଛନ୍ତି ଯେ ବାରମ୍ବାର ଅଭିଯୋଗ ପରେ ବି ଡ୍ରେନ୍‌ ସଫା କରାଯାଉନାହିଁ। ବର୍ଷା ହେଲେ ବାଧ୍ୟ ହୋଇ ଦୋକାନ ବନ୍ଦ ରଖିବାକୁ ପଡୁଛି। ସେହିପରି ବ୍ୟବସାୟୀ ୱାଇ ରାଜୁଙ୍କ କହିବା ମୁତାବକ ଡ୍ରେନ୍‌ ଜାମ୍ ଯୋଗୁ ବର୍ଷା ହେଲେ ଦୋକନରେ ପାଣି ପଶୁଛି।

ସମ୍ବନ୍ଧିତ ଖବର