ଡିଆରଡିଏ ପିଡିଙ୍କ ଜାଲ୍‌ ଦସ୍ତଖତରେ ଅର୍ଥ ହଡ଼ପ ଘଟଣା, କିରାଣିଙ୍କୁ ବାଧ୍ୟତାମୂଳକ ଅବସର

ଛତ୍ରପୁର: ଦସ୍ତଖତ ଜାଲ୍‌ କରି ଏକ ଲକ୍ଷ ୬୦ ହଜାର ଟଙ୍କା ହଡ଼ପ କରିଥିବା ବରିଷ୍ଠ କିରାଣି ତଥା ଅକାଉଣ୍ଟାଣ୍ଟ ବିକାଶ କୁମାର ସେଠୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି ଘଟଣାର ଦୀର୍ଘ ୫ ବର୍ଷ ପରେ ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨୦୧୪ ସେପ୍ଟେମ୍ବର ୨୭ରେ ଶ୍ରୀ ସେଠୀ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ ଆଶିଷ କୁମାର ଠାକରେଙ୍କ ଦସ୍ତଖତ ଜାଲ କରି ଏକ ଲକ୍ଷ ୬୦ ହଜାର ଟଙ୍କା ନିଜ ଜମାଖାତାକୁ ସ୍ଥାନାନ୍ତରଣ କରିଥିଲେ। ଶ୍ରୀ ଠାକରେ ଏହା ଜାଣିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ପୁଲିସକୁ ସୂଚନା ଦେଇଥିଲେ। ସେପ୍ଟେମ୍ବର ୨୮ ତାରିଖରେ ଏହି ମାମଲାରେ ପୁଲିସ ବିକାଶଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ପ୍ରାୟ ୨ରୁ ୩ ମାସ ଜେଲରେ ରହିବା ପରେ ସେ ଜାମିନ୍‌ରେ ଆସିଥିଲେ। ପରବର୍ତ୍ତୀ ସମୟରେ କବିସୂର୍ଯ୍ୟନଗର ତହସିଲରେ ବରିଷ୍ଠ କିରାଣି ଭାବେ ଅବସ୍ଥାପିତ ହୋଇଥିଲେ। ପ୍ରଶାସନ ପକ୍ଷରୁ ସମସ୍ତ ତଥ୍ୟ ପ୍ରମାଣ ହସ୍ତଗତ ହେବା ପରେ ଗତକାଲି ଶ୍ରୀ ସେଠୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସମ୍ବନ୍ଧିତ ଖବର