ସିବିଆଇ ଜାଲରେ ଡ୍ରେଜିଂ କର୍ପୋରେସନ୍‌ ଅଧିକାରୀ

ଜଗତସିଂହପୁର : ସିବିଆଇ ଜାଲରେ ଫସିଛନ୍ତି ପାରାଦୀପ ଟ୍ରେଡ୍‌ ସେଣ୍ଟରରେ ଥିବା ଡ୍ରେଜିଂ କର୍ପୋରେସନ ଅଫ୍‌ ଇଣ୍ଡିଆ(ଡିସିଆଇ)ର ପ୍ରୋଜେକ୍ଟ ମ୍ୟାନେଜର ବିଭିଏ ରବି ପ୍ରସାଦ। ପୁରୁଣା ବିଲ୍‌ ପାସ୍‌ କରାଇ ଦେବା ପାଇଁ ଜଣେ ଗାଡି ମାଲିକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପ୍ରକାଶ ଯେ ତାପସ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଗତ ଦୁଇବର୍ଷ ହେଲା ଡିସିଆଇ କାର୍ଯ୍ୟାଳୟରେ ଚାରିଚକିଆ ଗାଡ଼ି ଭଡ଼ା ସୂତ୍ରରେ ଲଗାଇଥିଲେ। କମ୍ପାନି ପକ୍ଷରୁ ବାହାରୁ ଟେଣ୍ଡର୍‌ରେ ନିଆଯାଉଥିବା ଗାଡ଼ିଗୁଡ଼ିକ ଭିତରେ ତାପସଙ୍କ ଗାଡ଼ି ଥିଲା। ଗତ ମାର୍ଚ୍ଚ ମାସରେ ଶ୍ରୀ ଚୌଧୁରୀଙ୍କ ବଦଳରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କମ୍ପାନିରେ ଗାଡ଼ି ଲଗାଇବାକୁ ସୁଯୋଗ ପାଇଥିଲେ। ତେବେ ଉକ୍ତ ବ୍ୟକ୍ତି କମ୍ପାନିକୁ ଠିକ୍‌ ସମୟରେ ଗାଡ଼ି ଯୋଗାଇ ନ ପାରିବାରୁ ଡ୍ରେଜିଂ କର୍ପୋରେସନ୍‌ ପକ୍ଷରୁ ପୁଣି ଥରେ ଶ୍ରୀ ଚୌଧୁରୀଙ୍କୁ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମୟରେ ଶ୍ରୀ ଚୌଧୁରୀ ପୂର୍ବରୁ ବାକି ଥିବା ବିଲ୍‌କୁ ପାସ୍‌ କରାଇଦେବା ପାଇଁ ପ୍ରୋଜେକ୍ଟ ମ୍ୟାନେଜର ରବି ପ୍ରସାଦଙ୍କୁ ଅନୁରୋଧ କରିଥିଲେ। ରବି ପ୍ରସାଦ ଏଥିପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ଶ୍ରୀ ଚୌଧୁରୀ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଗତକାଲି ଶନିବାର ପୂର୍ବାହ୍ନ ୧୧ଟା ୧୦ରେ ଶ୍ରୀ ଚୌଧୁରୀ ପ୍ରୋଜେକ୍ଟ ମ୍ୟାନେଜର ରବି ପ୍ରସାଦଙ୍କୁ ୫ହଜାର ଟଙ୍କା ଲାଞ୍ଚ ପ୍ରଦାନ କରିବା ବେଳେ ସେଠାରେ ଉପସ୍ଥିତ ଥିବା ସିବିଆଇ ଅଧିକାରୀମାନେ ରବି ପ୍ରସାଦଙ୍କୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର