ତଳପଡ଼ାରେ ଜଳ ସଂକଟ : ଦୂଷିତ ଝରଣା ପାଣି ହିଁ ଭରସା

ଭବାନୀପାଟଣା : ଗ୍ରୀଷ୍ମ ତାତି ‌ବୃଦ୍ଧି ପାଇବା‌ରେ ଲାଗିଛି। ଏଥିସହ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବଢ଼ିଛି ଜଳକଷ୍ଟ। ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ପଞ୍ଚାୟତର ତଳପଡା ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଅପହଞ୍ଚ ପାଲଟିଛି। ଝରଣାର ଦୂଷିତ ପାଣି ସେମାନଙ୍କ ତୃଷା ମେଣ୍ଟାଇବା ପାଇଁ ସାହାରା ହୋଇଛି। ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ସରକାରୀ ଯୋଜନା ଥିଲେ ମଧ୍ୟ ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ସେସବୁ ମରିଚିକା ପାଲଟିଛି।

ଦୁର୍ଗମ ଅଞ୍ଚଳରେ ସରକାରଙ୍କ ଏପରି ବହୁ ଯୋଜନା ଫେଲ ମାରିବା ଯୋଗୁଁ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ନାନା ରୋଗରେ ପଡି ମୃତ୍ୟୁ ମୁଖରେ ପଡୁଛନ୍ତି। ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ ପଞ୍ଚାୟତର ବଡଟିକ୍ରାଗୁଡା ଗାଁର ତଳପଡା ବାସୀ ଜଳକଷ୍ଟ ପାଇଁ ନାକେଦମ ହୋଇ ପଡିଛନ୍ତି। ଏହି ପଡାରେ ପ୍ରାୟ ୪୫ ପରିବାର ବସବାସ କରନ୍ତି। ପଡାରେ ଗୋଟିଏ ମଧ୍ୟ ନଳକୂପ ନଥିବା ଯୋଗୁଁ ଲୋକେ ନିକଟରେ ଥିବା ଏକ ଗଛମୂଳର ଦୂଷିତ ଝରଣା ପାଣି ପିଇ ତୃଷା ମେଣ୍ଟାଉଛନ୍ତି। ଗଛର ପତ୍ର ସଢା ପାଣି ପିଇ ଅନେକ ସମୟରେ ବିଭିନ୍ନ ରୋଗରେ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ସୁଫଳ ମିଳୁନାହିଁ। ପ୍ରଶାସନର ପାଦ ପଡିନଥିବା ଏହି ଗାଁରେ ଗମନାଗମନ ପାଇଁ ଭଲ ରାସ୍ତା ଖଣ୍ଡେ ମଧ୍ୟ ନାହିଁ। ନିର୍ବାଚନ ସମୟରେ ଭୋଟଭିକ୍ଷା କରି ବିଭିନ୍ନ ପ୍ରତିଶ୍ରୁତି ଦେଇ ନେତାମାନେ ନିର୍ବାଚିତ ହେଲା ପରେ ସେମାନଙ୍କ ଦେଖା ମିଳୁନଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଦୁର୍ମୁସି, ଉଷାମସ୍କା, ଭଟାଗୁଡା, ପୋଡାପଦର, ଅନିକନା, କେଲୁଆ ଭଳି ଥୁଆମୂଳ ରାମପୁର ବ୍ଲକର ବହୁ ଗ୍ରାମବାସୀ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ଭଲ ପାଣି ଟୋପାଏ ମିଳୁ ନଥିବାରୁ ଦୂଷିତ ଝରଣା ଜଳ ହିଁ ସେମାନଙ୍କ ପାଇଁ ଲାଇଫ ଲାଇନ ସାଜିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର