ବଣ୍ଡାଘାଟିରେ ପାନୀୟ ଜଳ ସମସ୍ୟା ଉତ୍କଟ : ବର୍ଷା ଦିନରେ ବି ଏଠାରେ ଚୁଆ ଓ ଝରଣା ପାଣି ହିଁ ଭରସା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ବସବାସ କରୁଛନ୍ତି। ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର ଫୁଟ ଘାଟି ଉପରେ ଦୁଇଟି ପଞ୍ଚାୟତ ରହିଛି। ଏହି ଦୁଇ ପଞ୍ଚାୟତରେ ବହୁ ସମସ୍ୟା ଲାଗି ରହିଥିବା ବେଳେ ସରକାରୀ ଯୋଜନା ଗୁଡିକ ଘାଟି ଚଢ଼ିପାରୁନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଏହି ଦୁଇ ପଞ୍ଚାୟତ ପଛରେ ରହିଥିବା ବେଳେ ପାନୀୟ ଜଳ ସମସ୍ୟା ଏଠାରେ ଉତ୍କଟ । ବର୍ଷା ଦିନରେ ବି ଏଠାରେ ଜଳକଷ୍ଟ ରହୁଥିବା ଯୋଗୁଁ ଚୁଆ ଓ ଝରଣା ପାଣି ହିଁ ଏମାନଙ୍କ ପାଇଁ ଭରସା ପାଲଟିଛି । ଘାଟି ଉପରେ ରାସ୍ତାଘାଟ ନଥିବା ସତ୍ବେ ବଣ୍ଡା ମହିଳା ଏଠାରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଜଳକଷ୍ଟ କେବଳ ଗୋଟିଏ କିମ୍ବା ଦୁଇଟି ଗ୍ରାମର ନୁହଁ ବରଂ ବଣ୍ଡାଘାଟିରେ ଥିବା ଅଧିକାଂଶ ଗ୍ରାମରେ ଏକାସ୍ଥିତି ।

ଅଣ୍ଡ୍ରାହାଲ ଏବଂ ମୁଦଲିପଡା ପଞ୍ଚାୟତରେ ରହିଥିବା ସମସ୍ତ ଦୁର୍ଗମ ଗ୍ରାମକୁ ଏବେ ମଧ୍ୟ ପକ୍କା ରାସ୍ତା ହୋଇନଥିବା ବେଳେ ସ୍ଥାନେ ସ୍ଥାନେ ବେଲି ବ୍ରିଜ ନିର୍ମାଣ କରି ସରକାର ନିଜର କାର୍ଯ୍ୟ ସାରି ଦେଇଛନ୍ତି। ବେଲି ବ୍ରିଜ ପରେ ଏହାକୁ ଯୋଡୁଥିବା ରାସ୍ତାର ଅବସ୍ଥା ସାଂଘାତିକ। ସଂପ୍ରତି ବେଲି ବ୍ରିଜ କାମରେ ଲାଗୁନଥିବା ଦେଖିବାକୁ ମିଳିଛି। ରାସ୍ତାଘାଟର ଅବସ୍ଥା ଠାରୁ ବଳିଯାଇଛି ଜଳକଷ୍ଟ । ଗ୍ରୀଷ୍ମ ଦିନରେ ବଣ୍ଡା ମହିଳା ମାଇଲ ମାଇଲ ରାସ୍ତା ଯାଇ ଜଳ ସଂଗ୍ରହ କରୁଥିବା ବେଳେ ବର୍ଷା ଦିନରେ ବି ସ୍ଥିତିରେ କିଛି ପରିବର୍ତ୍ତନ ନାହିଁ । ବଣ୍ଡା ଗ୍ରାମରେ ନଳକୂପ ରହିଥିବା ବିଭାଗ କହୁଥିବା ବେଳେ ଏଥିରେ କେତୋଟି ନଳକୂପ କାମରେ ଆସୁଛି ଏବଂ କେତୋଟି ଆସୁନାହିଁ ଏହାର ହିସାବ ବିଭାଗ ନିକଟରେ ନାହିଁ ।

ପାଣି ସମସ୍ୟା ଯୋଗୁଁ ଏବେ ବଣ୍ଡାଘାଟିରେ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ବଣ୍ଡାଘାଟିରେ ମ୍ୟାଲେରିଆ ଅଣାୟତ୍ତ ହେବାରେ ଲାଗିଛି । ପ୍ରତି ଘରେ ମ୍ୟାଲେରିଆ ରୋଗୀ ରହିଥିବା ସ୍ବାସ୍ଥ୍ୟ ବିଭାଗ ବି ସ୍ବୀକାର କରିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଅଂଚଳରେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର