ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାଧନୁଆ ଗ୍ରାମବାସୀ

୮ଟି ନଳକୂପରୁ ଦୀର୍ଘ ଦିନ ହେଲା ୫ଟି ଅଚଳ, ଅବଶିଷ୍ଟ ୩ଟି ନଳକୂପରୁ ବାହାରୁଛି ଗୋଳିଆ ପାଣି

କୋଷାଗୁମୁଡା : ଗାଁରେ ଥିବା ୮ଟି ନଳକୂପରୁ ଦୀର୍ଘ ଦିନ ହେଲା ୫ଟି ଅଚଳ ହୋଇପଡିଛି। ଅବଶିଷ୍ଟ ୩ଟି ନଳକୂପରୁ ଗୋଳିଆ ପାଣି ବାହାରୁଛି। କିନ୍ତୁ ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଏହି ଗୋଳିଆ ପାଣି ବ୍ୟବହାର କରୁଛନ୍ତି। ଅନ୍ୟପଟେ ନିତ୍ୟକର୍ମ ପାଇଁ ଗ୍ରାମବାସୀ ନିକଟସ୍ଥ ନାଳ ଉପରେ ନିର୍ଭର କରୁଛନ୍ତି। ଖରା ଦିନ ଆରମ୍ଭରୁ ହିଁ ପାନୀୟ ଜଳ ପାଇଁ ଏଭଳି ଡହଳବିକଳ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାଧନୁଆ ଗ୍ରାମବାସୀ।

ଛତିଶଗଡ଼ ସୀମାନ୍ତରେ ଥିବା ଘୋଡାଧନୁଆ ଗ୍ରାମରେ ପରଜା, ଭତରା, ବିନ୍ଧାଣି, ଲୋହରା, ମାଳି, ଗଉଡ, ହରିଜନ ଓ କୁମ୍ଭାର ଭଳି ଜାତିର ପ୍ରାୟ ୫ହଜାର ଲୋକ ବସବାସ କରୁଛନ୍ତି। ଏହି ଗ୍ରାମର ୫ଶହଟି ପରିବାର ପାଇଁ ୮ଟି ନଳକୂପ ଖନନ କରାଯାଇଛି। କିନ୍ତୁ ଦୀର୍ଘ ଦିନ ହେଲା ୫ଟି ନଳକୂପ ଅଚଳ ହୋଇ ପଡିଛି। ଅନ୍ୟପଟେ ଅବଶିଷ୍ଟ ୩ଟି ନଳକୂପରୁ ଗୋଳିଆ ପାଣି ବାହାରୁଛି। ଏଥିଯୋଗୁଁ ଗ୍ରାମବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ୫ହଜାର ଲୋକଙ୍କ ପାଇଁ ମାତ୍ର ୩ଟି ନଳକୂପ ଥିବାରୁ ସର୍ବଦା ନଳକୂପ ନିକଟରେ ମହିଳାଙ୍କ ଭିଡ଼ ଜମି ରହୁଛି। ମହିଳା ମାନେ ହାଣ୍ଡିଏ ପାଣି ପାଇଁ ଖରାତରାରେ ଦୀର୍ଘ ସମୟ ଲାଇନ୍‌ରେ ଠିଆ ହୋଇ ରହୁଛନ୍ତି। ଏଭଳି ପରିସ୍ଥିତିରେ କିଛି ପରିବାରକୁ ପାଣି ମଧ୍ୟ ମିଳୁନି। କିଛି ମହିଳା ନଳକୂପରୁ ପାଣି ନେଇ ୩ରୁ ୪ଦିନ ରଖି ବ୍ୟବହାର କରୁଛନ୍ତି। ଅନ୍ୟପଟେ ଗ୍ରାମବାସୀ ନିତ୍ୟ କର୍ମ ସହ ଗୋରୁଙ୍କୁ ଗାଧୋଇବା ଓ ଲୁଗା ସଫା କରିବା ପାଇଁ ଗାଁ ନିକଟ ନାଳ ଉପରେ ନିର୍ଭର କରୁଛନ୍ତି। ଦୀର୍ଘ ବର୍ଷ ହେଲା ଏହି ଉପାନ୍ତ ଗାଁରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିଲେ ହେଁ ସରକାରୀ ବାବୁଙ୍କ ପାଦ ପଡୁନଥିବାରୁ ସମସ୍ୟାର ସମାଧାନ ହୋଇପାରୁନଥିବା ଗ୍ରାମବାସୀ କହିଛନ୍ତି। ଏପରିକି ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଜନ ପ୍ରତିନିଧି ଓ ଆରଡବ୍ଲୁଏସଏସ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୀମାନ୍ତରେ ରହୁଥିବାରୁ ଏହି ଗାଁକୁ ପ୍ରଶାସନ ଅବହେଳା ପ୍ରଦର୍ଶନ କରୁଥିବା ଗ୍ରାମର ବଳଧର ମାଝୀ, ନବୀନ ପନକା, ହରି ମାଝୀ, ନବୀନ ପୂଜାରୀ, ନାରାୟଣ ଗଉଡ, ଲିମସାଇ ଭତରା, ବଲଧର ମାଳି, ମନ ଭତରା, ମଇତ୍ର ମିର୍ଗାନ, ଜଇଲାଲ ଜାନୀ, ଲଛମି ମାଝୀ, ଭଗବାନ ଭତରା, ସମାରୁ ଭତରା, ସିନ୍ଧୁ ମାଳି, ଦଶମନ୍ତ ପୂଜାରୀ, ମକତୁ ମାଝୀ, ଧରମି ମିର୍ଗାନ ପ୍ରମୁଖ ଅଭିଯୋଗ କରିଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏହି ଗାଁକୁ କାହିଁକି ଅଣଦେଖା କରାଯାଉଛି ବୋଲି ମଧ୍ୟ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ଆରଡବ୍ଲୁଏସଏସ ଯନ୍ତ୍ରୀଙ୍କୁ ପଚାରିବାରୁ ଆସନ୍ତାକାଲି କାରିଗରଙ୍କୁ ଗାଁକୁ ପଠାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର