ନବରଙ୍ଗପୁର ଜିଲ୍ଲାର ସାନଡାଇଭଟାରେ ସୋଲାର ଟାଙ୍କି ପାଣିରୁ ବାହାରୁଛି ପୋକ, ପାଣି ପାଇଁ ଲୋକେ ହଇରାଣ

ନବରଙ୍ଗପୁର : ନବରଙ୍ଗପୁର ସହର ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର ସାନଡାଇଭଟା ଗ୍ରାମରେ ଅଦ୍ୟାବଧି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇନି। ଗ୍ରାମର ୫୦ଟି ପରିବାର ପାଇଁ ଥିବା ସୋଲାର ଟାଙ୍କିର ପାଣିରେ ପୋକ ବାହାରୁଥିବାରୁ ପାଣି ପିଇବା ଯୋଗ୍ୟ ନୁହେଁ ବ‌ୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ହେଲା ପାଣି ପାଇଁ ହଇରାଣ ହେଉଥିଲେ ହେଁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତର ସାନଡାଇଭଟା ଗ୍ରାମରେ ପ୍ରାୟ ୨୫୦ଟି ପରିବାରର ୧ହଜାରରୁ ଊର୍ଧ୍ବ ଜଣ ବସବାସ କରୁଛନ୍ତି। ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ୪ଟି ନଳକୂପ ଖନନ କରାଯାଇଛି। ଏଥି ମଧ୍ୟରୁ ଗାଁ ମୁହଁରେ ଥିବା ଏକ ନଳକୂପର ପାଣି ନେଇ ସୋଲାର ଟାଙ୍କି ସ୍ଥାପନ କରାଯାଇଛି। ସେହି ସ‌ୋଲାର ଟାଙ୍କିର ପାଣି ଉପରେ ୫୫ଟି ପରିବାର ନିର୍ଭର କରୁଛନ୍ତି। କିନ୍ତୁ ଏହି ଟାଙ୍କିର ପାଣିରୁ ପୋକ ବାହାରୁଥିବାରୁ ଲୋକେ ପାଣି ବ୍ୟବହାର କରୁନାହାନ୍ତି। ଏହି ଟାଙ୍କିକୁ ସାହିର ଯୁବକ ମାନେ ବାରମ୍ବାର ସଫା କରୁଛନ୍ତି। କିନ୍ତୁ ‌ଟାଙ୍କିକୁ ସଂଯୋଗ ହୋଇଥିବା ନଳକୂପ ପାଣିରେ ପୋକ ବାହାରୁଥିବାରୁ ବ୍ୟବହାର ହୋଇପାରୁନଥିବା ଲୋକେ କହିଛନ୍ତି। ତେଣୁ ଲୋକଙ୍କୁ ଟାଙ୍କି ଯୋଗେ ପାଣି ଯୋଗାଇ ଦେବାକୁ ସେହି ସ୍ଥାନରେ ନୂତନ ନଳକୂପ ଖନନ କରିବାକୁ ଦାବି ହୋଇଛି। ସେହିପରି ଅନ୍ୟ ୨୦୦ଟି ପରିବାର ପାଇଁ ୩ ଗୋଟି ନଳକୂପ ରହିଛି। ଯଦି ନଳକୂପ ଅଚଳ ହୁଏ ତେବେ ସ୍ଥାନୀୟ ବାସିନ୍ଦା ପାଣି ପାଇଁ ହଇରାଣ ହେଉଛନ୍ତି।

ଗତବର୍ଷ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଦାବିରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ତଥାପି ଗ୍ରାମବାସୀଙ୍କ ପାଇଁ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଦିଗରେ ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଏହି ଗାଁ ଜାତୀୟ ରାଜପଥ ପାର୍ଶ୍ବ ଠାରୁ ମାତ୍ର ଅଳ୍ପ ଦୂରରେ ତତା ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଉପକଣ୍ଠରେ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନହେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଇନ୍ଦ୍ରାବତୀ ନଦୀରୁ ଏହି ଗ୍ରାମ ପାର୍ଶ୍ବ ଦେଇ ନବରଙ୍ଗପୁର ସହରକୁ ପାନୀୟ ଜଳ ଯୋଗାଣ ହେଉଛି। କିନ୍ତୁ ଏହି ଗ୍ରାମରେ କାହିଁକି ପାଇପ ଲାଇନ୍‌ ସଂଯୋଗ କରାଯାଉନି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏପରିକି ସହରକୁ ଯାଉଥିବା ପାଇପ୍‌ ପାଣିରୁ ମଧ୍ୟ ଏହି ଗ୍ରାମକୁ ସଂଯୋଗ ଦିଆଯାଉନଥିବାରୁ ଗ୍ରାମବାସୀ ପାଣି ପାଇଁ ହରରାଣ ହେଉଥିବା ଗ୍ରାମବାସୀ ସାହିବାସିନ୍ଦା କହିଛନ୍ତି। ଶୀଘ୍ର ଏହି ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରି ସ୍ବଚ୍ଛ ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର