ଜଳ ନା ଜହର!, ଇବ୍‌ ନଦୀ ଶୁଖିଲା; ସୁନ୍ଦରଗଡ଼ ସହରବାସୀଙ୍କୁ ଗୋଳିଆ ପାଣି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହରର ଜୀବନରେଖା ଇବ୍‌ ନଦୀ ଏବେ ମୃତବତ୍‌। ଆଖି ବୁଲାଇଲେ ଖାଲି ବାଲି ଆଉ ବାଲି। କେଉଁଠି ବି ପାଣି ଟୋପେ ନାହିଁ। ଡହ ଡହ ତାତି ସାଙ୍ଗକୁ ଜଳର ଉତ୍କଟ ଅଭାବରେ କଲବଲ ହେଉଛନ୍ତି ସହରବାସୀ। ଆଉ ଏଭଳି ସଙ୍ଗିନ ସ୍ଥିତିରେ ଜନସ୍ବାସ୍ଥ୍ୟ ବିଭାଗ ନଦୀପଠାରେ ଶୁଖିଲା ବାଲିରେ ଛୋଟିଆ କୃତ୍ରିମ ଗାଡ଼ିଆ ଖୋଳି ସହରକୁ ପାନୀୟ ଜଳ ଯୋଗାଇବାକୁ ଚେଷ୍ଟା ଚଳାଇଛି। ନଦୀର ରାଣୀବଗିଚା ନିକଟ ସଇତାନ ଦରହ ଓ ମହାଦେବ ପଡ଼ା ଘାଟରୁ ଉଠାଉଥିବା ଜଳ ଏବେ ଶିଉଳି, କାଦୁଅରେ ଘାଣ୍ଟି ହୋଇ ଜହର ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଆଗକୁ ଏହି ମାନର ପାଣି ବ୍ୟବହାର ଜାରି ରଖିଲେ ସହରବାସୀ କାମଳ ରୋଗର ଶିକାର ହେବା ଆଶଙ୍କା ରହିଛି। ଯଦିଓ ଜନସ୍ବାସ୍ଥ୍ୟ ବିଭାଗ ତାକୁ ବିଶେଷ ପ୍ରକ୍ରିୟାରେ ବିଶୋଧନ ପୂର୍ବକ ପାନୀୟ ଉପଯୋଗୀ କରି ସହରକୁ ଯୋଗାଉଥିବା ପ୍ରକାଶ କରିଛି, ତଥାପି ପାଣି ଗୋଳିଆ ଓ ଦୁର୍ଗନ୍ଧଯୁକ୍ତ ଥିବାରୁ ତାକୁ ପିଇବା ତ ଦୂରର କଥା ପାଟିରେ ପୂରାଇଲେ ବାନ୍ତି ଉଠୁଥିବା ଲୋକେ ଅଭି‌ଯୋଗ କରିଛନ୍ତି।

ଅନ୍ୟପଟେ ସଇତାନ ଦରହରେ ଗୋରୁ ମଇଁଷି ପଶି ଗୋଳିଆ କରୁଥିବା ବେଳେ ସେହି ପାଣି କେତେ ମାତ୍ରାରେ ବିଶୋଧିତ ହେଉଥିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଆଜି ଆମ ପ୍ରତିନିଧି ମହାଦେବପଡ଼ା ଘାଟରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ଜଳ ଉତ୍ତୋଳନ କେନ୍ଦ୍ରକୁ ଯାଇଥିବା ବେଳେ ସେଠାରେ ଆଦୌ ପାଣି ଉତ୍ତୋଳନ ହୋଇ ନଥିବା ଜଣାପଡ଼ିଥିଲା। ମଟରରେ ପଙ୍କ ପଶି ଯାଇଥିବାରୁ ମଟର ଚାଲୁ ନଥିବା ଓ ତା’କୁ ସଫା କରାଯାଇ ପାରି ନଥିବା ସେଠାରେ ଥିବା ଜଣେ କର୍ମଚାରୀ କହିଥିଲେ। ତେଣୁ ପୂର୍ବରୁ ସଂରକ୍ଷିତ ପାଣି ସହରକୁ ଯୋଗାଣ ହୋଇଥିବା ବେଳେ ବସ୍‌ଷ୍ଟାଣ୍ଡ, ଡେଙ୍ଗିଭାଡ଼ି, ମହେଶଡିହି ଅଞ୍ଚଳକୁ ପାଣି ଆଦୌ ଯୋଗାଇ ଦିଆଯାଇପାରି ନଥିବା ସୂଚନା ମିଳିଥିଲା।

ତେବେ କେବଳ ଆଜିର କଥା ନୁହେଁ, ପ୍ରତିଦିନ ପାଣି ଉତ୍ତୋଳନରେ ସମସ୍ୟା ଦେଖା ଦେଉଥିବା ସୂଚନା ମିଳିଛି। ବିଦ୍ୟୁତର ଲୁଚକାଳି ସହ କୃତ୍ରିମ ଗାଡ଼ିଆରେ ଅଳ୍ପ ପାଣି ଥିବାରୁ ମାତ୍ର କିଛି ସମୟ ମଟର ଚାଲିଲେ ତାହା ଶେଷ ହୋଇ ଯାଉଛି। ତେଣୁ ତଳେ ଥିବା ଝରନ୍‌ (କ୍ଷୀଣ ଜଳସ୍ରୋତ)ରୁ ଗାଡ଼ିଆରେ ପାଣି ଭରିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି।

ଇବ୍‌ ନଦୀର କ୍ଷୀଣ ଜଳଧାରକୁ ଗ୍ରୀଷ୍ମ ପୂର୍ବରୁ ସଂରକ୍ଷିତ କରି ରଖିବାକୁ ସୁନ୍ଦରଗଡ଼ ବ୍ଲକ ପକ୍ଷରୁ ଏକ ଅସ୍ଥାୟୀ ବାଲିବନ୍ଧ ତିଆରି କରାଯାଇଥିଲା। କିନ୍ତୁ ଲଘୁଚାପଜନିତ ସାମାନ୍ୟ ବର୍ଷାରେ ତାହା ଧୋଇଯାଇ ସବୁ ପାଣି ତଳକୁ ବୋହି ଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ଧର ପୁନଃ ନିର୍ମାଣ କରିବାକୁ ପ୍ରଶାସନ ଭୁଲିଗଲା। ଉଲ୍ଲେଖନୀୟ ଯେ ଦୀର୍ଘ ବର୍ଷ ଧରି ନଦୀରେ ସ୍ଥାୟୀ ବ୍ୟ‌ା‌ରେଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ବି ତାହା ଫାଇଲ ଭିତରେ ବନ୍ଦ ହୋଇପଡ଼ିଛି। ସରକାର ଓ ଜିଲ୍ଲା ପ୍ରଶାସନ ସୁନ୍ଦରଗଡ଼ବାସୀଙ୍କ ଜଳ ଯନ୍ତ୍ରଣା ପ୍ରତି ଯେ ଆଦୌ ସମ୍ବେଦନଶୀଳ ନୁହେଁ, ତାହା ଏସବୁ ଅବ୍ୟବସ୍ଥାରୁ ସ୍ପଷ୍ଟ ହୋଇଛି।

୧୯ଟି ୱାର୍ଡ ବିଶିଷ୍ଟ ସୁନ୍ଦରଗଡ଼ ପୌରାଞ୍ଚଳର ଜନସଂଖ୍ୟା ୫୫ ହଜାରରୁ ଅଧିକ। ସହର ପାଇଁ ଦୈନିକ ୮ ମ୍ୟାଟ୍ରିକ ଲିଟର ପାନୀୟ ଜଳ ଆବଶ୍ୟକ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଏଯାଏ ୫ ମ୍ୟାଟ୍ରିକ ଲିଟର ମାତ୍ର ଯୋଗାଇ ପାରୁଛି। ଇତିମଧ୍ୟ‌ରେ ସହର ମଧ୍ୟରୁ ଷ୍ଟାଣ୍ଡପୋଷ୍ଟ ଉଠାଇ ସିଧାସଳଖ ସବୁ ଘରକୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଜଳ ନଥିବା ବେଳେ ସେ ସବୁ ବ୍ୟବସ୍ଥା ମୁହଁମାଡ଼ି ପଡ଼ିଛି। ନଦୀର କୃତ୍ରିମ ଗାଡ଼ିଆ ଆଉ ମାତ୍ର ୭ ଦିନ ପାଇଁ କଷ୍ଟେମଷ୍ଟେ ଜଳ ଯୋଗାଇବାକୁ ସକ୍ଷମ ରହିବ। ତେଣୁ ଆଗାମୀ ସପ୍ତାହକ ମଧ୍ୟରେ ଯଦି ବର୍ଷା ନହୁଏ, ତାହେଲେ ସହରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର