ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଚଢ଼େୟାପଲ୍ଲୀ ପଞ୍ଚାୟତରେ ଅଚଳ ହୋଇପଡ଼ିଛି ପାନୀୟ ଜଳ ପ୍ରକଳ୍ପ, ନାଳ-ଚୂଆ ପାଣି ପିଉଛନ୍ତି ଆଦିବାସୀ

ଦଶପଲ୍ଲା : କାର୍ଯ୍ୟକ୍ଷମ ହୋଇପାରୁନି ପାନୀୟ ଜଳ ପ୍ରକଳ୍ପ। ଦୀର୍ଘ ୮ ମାସ ହେଲା ଅଚଳ ହୋଇ ପଡ଼ିରହିଥିବା ବେଳେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଚଢ଼େୟାପଲ୍ଲୀ ପଞ୍ଚାୟତରେ। କିଏ କୂଅ ତ ପୁଣି କିଏ ନଳକୂପର ପାଣି ବ୍ୟବହାର କରୁଥିବା ବେଳେ ଅଧିକାଂଶ ଆଦିବାସୀ ପରିବାର ନାଳ ଚୂଆ ଉପରେ ଭରସା କରୁଛନ୍ତି। ଏପଟେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏହି ପ୍ରକଳ୍ପ ଉପରେ ପ୍ରାୟ ୪ ଟି ୱାର୍ଡର ୩ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ନିର୍ଭର କରିଥାନ୍ତି। ମାତ୍ର ବିଦ୍ୟୁତ୍ ସମସ୍ୟା ହେତୁ ଏହା ଚାଲି ପାରୁନଥିବା ଜଣାଯାଇଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମଦନ ସିଂଙ୍କ କହିବା ଅନୁଯାୟୀ ଥ୍ରି-ଫେଜ୍ ବିଦ୍ୟୁତ୍ ସଂଯୋଗ ସମସ୍ୟା ହେତୁ ଏହା ଚାଲି ପାରୁନି। ଦୁଇ ଚାରି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବା ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଏହାକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର