ମିଛ ରିପୋର୍ଟ ଦେଇ ଫସିଲେ ୨୬ ଆର୍‌ଟିଓ : ଲାଇସେନ୍‌ସ ବାତିଲ୍‌ ଶୂନ, ରିପୋର୍ଟରେ ପାଞ୍ଚ ଶହ, ସତ କହିବାକୁ ସାତ ଦିନ ମହଲତ, ଜିଲ୍ଲାପାଳଙ୍କୁ ଚିଠି

କଟକ : ଡ୍ରାଇଭିଂ ଲାଇସେନ୍‌ସ ଗୋଟିଏ ବି ବାତିଲ୍‌ ହୋଇନି। କିନ୍ତୁ ରିପୋର୍ଟରେ କିଏ ସାଢ଼େ ଚାରି ଶହ ଦେଖାଛନ୍ତ ତ, କିଏ ତିନି ଶହ, ପୁଣି କିଏ ଦେଖାଇଛନ୍ତି ଶହେରୁ ଅଧିକ। ଯାଞ୍ଚରେ କିନ୍ତୁ ସବୁ ମିଛ ଧରା ପଡ଼ି ଯିବା ପରେ ରାଜ୍ୟର ୨୬ଜଣ ଆର୍‌ଟିଓ ଅଡ଼ୁଆରେ ପଡ଼ିଛନ୍ତି। ପରିବହନ ସଚିବ ମଧୁସୂଦନ ପାଢ଼ୀ ମିଛ ରିପୋର୍ଟକୁ ନେଇ ଭୀଷଣ ବିରକ୍ତି ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ଆଜି ସଂପୃକ୍ତ ଆରଟିଓଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ୭ଦିନ ଭିତରେ ପ୍ରକୃତରେ ଏପ୍ରିଲ ଓ ମେ’ ମାସରେ କେତେ ସଂଖ୍ୟକ ଲାଇସେନ୍‌ସ ବାତିଲ୍‌ ହୋଇଛି, ତାହା ଜଣାଇବାକୁ ନିର୍ଦେଶ ଦେଇଛନ୍ତି। ଅବଶ୍ୟ ଏଭଳି ଲାଇସେନ୍‌ସ ବାତିଲ୍‌ କ୍ଷେତ୍ରରେ କଟକ ଆଞ୍ଚଳିକ ପରିବହନ ବିଭାଗ ପ୍ରଥମ ସ୍ଥାନରେ ରହିଛି। ୨୦୧୮, ଏପ୍ରିଲ୍‌ ଓ ମେ’ରେ କଟକ ଆର୍‌ଟିଓ ଏନଫୋର୍ସମେଣ୍ଟ୍‌ ସ୍କ୍ଵାଡ୍‌ ସର୍ବାଧିକ ଲାଇସେନ୍‌ସ ବାତିଲ୍‌ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ବେପରଓ୍ଵା ଗାଡ଼ି ଚାଳନା ପାଇଁ ଦେଶରେ ଦୁର୍ଘଟଣା ବଢ଼ୁଥିବା ଜଣାପଡ଼ିବା ପରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲାରେ ଆଞ୍ଚଳିକ ପରିବହନ ବିଭାଗରେ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ଵାଡ୍‌ ଗଠନ ହେଲା। ତା’ସହିତ ପୁଲିସ ଇନସ୍ପେକ୍ଟର ପାହ୍ୟାର ଅଧିକାରୀଙ୍କୁ ଗାଡ଼ି ଜବତ୍‌ ଓ ଡ୍ରାଇଭିଂ ଲାଇସେନ୍‌ସ ବାତିଲ୍‌ ସୁପାରିସ କରିବାର କ୍ଷମତା ଦିଆଗଲା। ପୂର୍ବରୁ ଅବଶ୍ୟ ଏହି କ୍ଷମତା ମ୍ୟୁନିସିପାଲ୍‌ଟି ଅଂଚଳରେ ଥିବା ଥାନା ପୁଲିସକୁ ଦିଆଯାଇଥିଲା। ତେବେ ଏହି କ୍ରମରେ ପୁଲିସ ଓ ଆର୍‌ଟିଓ ସ୍କ୍ଵାଡ୍‌ ଯଥାକ୍ରମେ ଯାଞ୍ଚ କରି ପାଞ୍ଚଟି କାରଣ ଯଥା ଗାଡ଼ି ବେଗ ଦ୍ରୁତ ଥିଲେ, ଟ୍ରାଫିକ୍‌ ନାଲିଗାର ଅତିକ୍ରମ କଲେ, ମଦ ପିଇ ଚଳାଉଥିଲେ, ଗାଡ଼ି ଚଳାଇଥିବା ବେଳେ ମୋବାଇଲ୍‌ରେ କଥାବାର୍ତ୍ତା କଲେ, ଡାଲା ଗାଡ଼ିରେ ଲୋକ ବୋହୂଥିଲେ ଏବଂ ଆବଶ୍ୟକତାଠାରୁ ଲୋଡ୍‌ ଅଧିକ ଥିବା ଗାଡ଼ିକୁ ଧରି ଚାଳକଙ୍କ ଲାଇସେନ୍‌ସ ଛଅ ମାସ ପାଇଁ ବାତିଲ୍‌ କଲେ।

କିନ୍ତୁ ସାଂଘାତିକ କଥା ହେଉଛି, ରାଜ୍ୟର ୨୬ ଜଣ ଆର୍‌ଟିଓ ଗତ ଏପ୍ରିଲ୍‌ରେ ଯେତିକି ପରିମାଣର ଲାଇସେନ୍‌ସ ବାତିଲ୍‌ କରିଥିବା ସଚିବଙ୍କୁ ରିପୋର୍ଟ ଦେଲେ, ତାହା ଯାଞ୍ଚ କଲା ବେଳକୁ ଗୋଟିଏ ବି ହୋଇନଥିବା ଜଣାପଡ଼ିଥିଲା। ଅର୍ଥାତ୍‌ ରିପୋର୍ଟରେ ଆରଟିଓ ସଂଖ୍ୟା ଦର୍ଶାଇ ଦେଇ ବାସ୍ତବରେ କିନ୍ତୁ ଲାଇସେନ୍‌ସ ପ୍ରସ୍ତୁତ ହେଉଥିବା ସପ୍ଟଓୟାର୍‌ ‘ସାର୍ଥକ’ରୁ ଚାଳକଙ୍କ ନାଁ ଉଡ଼ାଇଲେ ନାହିଁ। ଅନୁରୂପ ଭାବେ ମେ’ ମାସରେ ୧୮ ଜଣ ଆର୍‌ଟିଓ ଗୋଟିଏ ବି ଲାଇସେନ୍‌ସ ବାତିଲ୍‌ ନକରି ରିପୋର୍ଟରେ ୫୦ରୁ ୫୦୦ଯାଏଁ ଲାଇସେନ୍‌ସ ବାତିଲ୍‌ କରିଥିବା ଦର୍ଶାଇଛନ୍ତି। ହେଲେ ‘ସାର୍ଥକ’ ସଫ୍ଟଓୟାର୍‌ ଯାଞ୍ଚ୍‌ ପରେ ସାରା ରାଜ୍ୟରୁ ଗତ ଏପ୍ରିଲ୍‌ରେ ରିପୋର୍ଟ ହୋଇଥିବା ସମୁଦାୟ ୩୩୪୨ରୁ ୯୧୨ ଏବଂ ମେ’ରେ ୩୬୨୨ରୁ ୧୮୧୫ ଲାଇସେନ୍‌ସ ପ୍ରକୃତରେ ବାତିଲ୍‌ ହୋଇଥିବା ଜଣାପଡ଼ିଥିଲା। ଆର୍‌ଟିଓ ମାନଙ୍କ ଏଭଳି ମିଛ ରିପୋର୍ଟ ଧରାପଡ଼ିବା ପରେ କେବଳ ପରିବହନ ସଚିବ କାହିଁକି, ସୁପ୍ରିମ କୋର୍ଟ କମିଟି ବି ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା, ଯାଜପୁରଠୁ ନେଇ ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ଭଂଜନଗର ଆଦି ଅନେକ ଜିଲ୍ଲାର ଆର୍‌ଟିଓ ମିଛ ରିପୋର୍ଟ ଦେଇଥିବା ଜଣାପଡ଼ିଛି। କଟକ ଆର୍‌ଟିଓ କାର୍ଯ୍ୟାଳୟ ଗତ ଏପ୍ରିଲ୍‌ରେ ରିପୋର୍ଟ କରିଥିବା ୩୬୯ରୁ ୨୯୧ ଏବଂ ମେ’ରେ ୬୦୫ରୁ ୫୩୮ଲାଇସେନ୍‌ସ ବାତିଲ୍‌ କରି ଶୀର୍ଷରେ ରହିଛି। ତେବେ ପରିବହନ ସଚିବ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି କରି ଆସନ୍ତା ସାତ ଦିନ ଭିତରେ ପ୍ରକୃତ ତଥ୍ୟ ଦେବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର