ଚନ୍ଦାହାଣ୍ତିରେ ମରୁଡ଼ି ସ୍ଥିତି : ଚାଷ ଜମିରେ ଗୋରୁ ଛାଡିଲେ

ଚନ୍ଦାହାଣ୍ତି : ସ୍ବଳ୍ପବୃଷ୍ଟି ଯୋଗୁଁ ଚନ୍ଦାହାଣ୍ତି ବ୍ଲକରେ ଚଳିତ ବର୍ଷ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇଛି। ବର୍ଷା‌େର ଅନିୟମିତତା ଓ ଲୁଚକାଳି ଖେଳ ଯୋଗୁଁ ମରୁଡିର ସମ୍ମୁଖୀନ ହେବାକୁ ଯାଉଛନ୍ତି ବ୍ଲକର ଚାଷୀ। ନଦୀ ତଥା ଝରଣା କୂଳରେ ଥିବା ଜମିରେ ଚାଷୀ ପାଣି ପମ୍ପ ସହାୟତାରେ ଗତ ପନ୍ଦର ଦିନ ହେବ ପାଣି ଉଠାଇ ଫସଲ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ‌ସେହିପରି ବ୍ଲକର ଏକମାତ୍ର ଫୁଲଝରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଜଳ ସେଚିତ ହେଉଥିବା ଚନ୍ଦାହାଣ୍ତି, ଶରଧାପୁର, ମହରା ଆଦି ଅଞ୍ଚଳର ଚାଷୀ ରାତି ଉଜାଗର ରହି ବହୁ କଷ୍ଟରେ ପର୍ଯ୍ୟାୟକ୍ରମେ କିଛି କିଛି ଜମିକୁ ପାଣି ମଡାଇବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଅନ୍ୟ ଦଶଟି ପ˚ଚାୟତ ଯାଥା ମାଲଗାଁ, ଗମ୍ଭାରିଗୁଡା, ଧୋଡିପାଣି, କୁହୁଡି, ଅନକାବେଡା, ଫଟିକି, ଜମାଦାରପଡା, କୋଇଲିମୁଣ୍ତା, ବେହେରାମୁଣ୍ତା, ପାଟଖଲିଆ ପ˚ଚାୟତରେ ଜଳସଚେନର ସୁବିଧା ନଥିବାରୁ ଏଠାରେ ଫସଲ ମରିବାକୁ ବସିଛି। ଯଦି କିଛି ଦିନ ମଧ୍ୟରେ ଜମିରେ ପାଣି ନ ମାଡ଼ିବ ତାହାହେଲେ ଚ‌ାଷୀ ମରୁଡିର ଶିକାର ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

ବ୍ଲକର ଅର୍ଦ୍ଧାଧିକ ଧାନ ଚାଷ ପାଣି ଅଭାବରୁ ଝାଉଁଳି ଯାଇ ପୋଡି ଯାଇଛି। ଏଭଳି ସ୍ଥିତିରେ ଅଧିକାଂଶ ଚାଷୀ ନିଜ ଗାଈଗୋରୁଙ୍କୁ ଜମିରେ ଛାଡ଼ି ଦେଇଛନ୍ତି। ଚନ୍ଦାହାଣ୍ତି ବ୍ଲକ ଭାଲୁଡଙ୍ଗରୀ ରାଜସ୍ବ ଗ୍ରାମରେ ଏଭଳି ଦୃଶ୍ୟ ସବୁ ଦେଖିବାକୁ ମିଳିଛି। ଗ୍ରାମର ଚାଷୀ ମନବୋଧ କଟା କହିଛନ୍ତି ଯେ, ଭାଲୁଡଙ୍ଗରୀ ମୌଜାରେ ଥିବା ଦୁଇ ଏକର ଧାନ ଚାଷ ସ˚ପୂର୍ଣ୍ଣ ଉଜୁଡି ଯାଇଥିବାରୁ ଆଜି ଉପାୟଶୂନ୍ୟ ହୋଇ ନିଜ ଗୋରୁଙ୍କୁ ଚରିବାକୁ ଜମିକୁ ଛାଡ଼ି ଦେଇଛନ୍ତି। ବର୍ଷକର କଷ୍ଟକୁ ପ୍ରକୃତି ଛଡ଼ାଇ ନେଇଥିବା ବେଳେ ପରିବାର କେମିତି ଚଳିତ ସେହି ଚିନ୍ତାରେ ସେ ଅଛନ୍ତି। କେବଳ ଭାଲୁଡଙ୍ଗରୀ ମୌଜାରେ ଏହି ସମସ୍ୟା ନାହିଁ, ବ୍ଲକର ଅଧିକାଂଶ ଅଞ୍ଚଳରେ ଏମିତି ସମସ୍ୟା। ଦୀର୍ଘ ବର୍ଷ ହେଲା ରାଜନୈତିକ ଦଳର ନେତା ୩୫ ପ୍ରତିଶତ ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା କରିବାକୁ ଘୋଷଣା କରୁଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରେ କିନ୍ତୁ ଏଭଳି କିଛି ହୋଇ ନଥିବା ଅଭିଯୋଗ ହୋଇଛି।

ବ୍ଲକରେ ପ୍ରସ୍ତାବିତ ତେଲ, ବରେହି, ଡୁରକାଠେଙ୍ଗା, ଛିତିକଘାଟ, କୋକଟିଖାଇ, ସୁନାରୀମାଲ, ବାଘଡେରନା ଆଦି ଜଳସେଚନ ପ୍ରକଳ୍ପ ସରକାରୀ ଫାଇଲର ନାଲି ଫିତା ତଳେ ଅଣନିଶ୍ବାସୀ ହୋଇ ପଡି ରହିଛି। ଯାହାର ପରିଣତି ସ୍ବରୂପ ମରୁଡିର ଶିକାର ହୋଇ ବହୁ ଚାଷୀ ନିଜ ଭିଟା ମାଟି ଛାଡି ବାହାର ରାଜ୍ୟର ଇଟା ଭାଟିରେ ଦାଦନ ଖଟିବା ସାର ହେଉଛି। ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତିକ ଦଳ ତରଫରୁ ନିର୍ବାଚନୀ ସଭାରେ ଚାଷୀଙ୍କୁ ଏସବୁ ଡ୍ୟାମ ନିର୍ମାଣ କରିବାର ଲଲିପପ୍‌ ଦେଖାଇ ନିର୍ବାଚନୀ ବୈତରଣୀ ପାରି ହୋଇ ଚାଲିଥିବା ବେଳେ ଏବେ ନିର୍ବାଚନ ଆସନ୍ନ ହୋଇଥିବାରୁ ଏହି ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି ା ତେବେ ଏସବୁ ପ୍ରାସ୍ତାବିତ ଡ୍ୟାମକୁ ନେଇ ରାଜନୀତିକୁ ସାଧାରଣ ଚାଷୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହି ସମସ୍ୟାର ମୁକାବିଲା କରିବା ପାଇଁ କେଉଁଭଳି ପଦକ୍ଷେପ ସବୁ ଗ୍ରହଣ କରିବ।

ସମ୍ବନ୍ଧିତ ଖବର