ବ୍ରହ୍ମପୁର ଜେଲ୍‌ ଉପରେ ଡ୍ରୋନ୍‌ ଉଡ଼ିବା ଘଟଣା

ତଦନ୍ତ ନିର୍ଦ୍ଦେଶ ଦେଲେ ଏଡିଜି

କଟକ: ବ୍ରହ୍ମପୁର ମଣ୍ଡଳ କାରାଗାରରେ ରାତିରେ ଡ୍ରୋନ୍‌ ଉଡ଼ିବା ଘଟଣାକୁ ଗୁରୁତର ସହିତ ନେଇଛି ଜେଲ୍‌ ବିଭାଗ । ଜେଲ୍‌ ଭିତରେ ସଜା କାଟୁଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବେଆଇନ ନିଶାଦ୍ରବ୍ୟ ଯୋଗାଇବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ୍‌ ବିଭାଗ । ଘଟଣାର ତଦନ୍ତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁର୍ବୃତ୍ତ ଏବଂ ଡ୍ରୋନ୍‌କୁ ଠାବ କରିବାକୁ କୁହାଯାଇଛି । ବ୍ରହ୍ମପୁର ଜେଲ୍‌ରେ ଏବେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସମେତ ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ସଜା କାଟୁଛନ୍ତି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ଜେଲ୍‌ ଚାରିପଟେ ଥିବା ଓ୍ଵାଚ୍‌ ଟାଓ୍ଵାର୍‌ରେ ବନ୍ଧୁକଧାରୀ ପୁଲିସ ଫୋର୍ସ ୨୪ ଘଣ୍ଟିଆ ପହରା ଦେଉଛନ୍ତି । କିନ୍ତୁ ଜେଲ୍‌ ଭିତରକୁ ଡ୍ରୋନ୍‌ ସହାୟତାରେ ଗଂଜେଇ, ସିଗାରେଟ୍‌, ମୋବାଇଲ୍‌ ସମେତ ଅନ୍ୟ ବେଆଇନ ସାମଗ୍ରୀ ଅବାଧରେ ଚାଲାଣ ହେଉଛି। ବିଳମ୍ବିତ ରାତିରେ ଜେଲ ବାହାରପଟ ପାଚେରି କଡ଼ରେ ଦୁର୍ବୃତ୍ତ ଶ୍ରେଣୀୟ ଲୋକେ ଡ୍ରୋନ୍‌ରେ ସୂତା ବାନ୍ଧି ସେଥିରେ ଏସବୁ ସାମଗ୍ରୀ ଜେଲ୍‌ ଭିତରକୁ ପଠାଉଥିବା ସମ୍ପର୍କରେ ଆଜି ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଖବର ପ୍ରକାଶ ପାଇବା ପରେ ଜେଲ୍‌ ବିଭାଗରେ ତନାଘନା ଆରମ୍ଭ ହୋଇଯାଇଛି। ଜେଲ୍‌ ପରିସରରେ ଥିବା କିଛି ଅସାଧୁ କର୍ମଚାରୀଙ୍କ ସହାୟତାରେ ଏଭଳି ବେଆଇନ କାର୍ଯ୍ୟକଳାପ ଚାଲୁଥିବା କୁହାଯାଉଛି । ନିକଟରେ ମଧ୍ୟ ଏଭଳି ବେଆଇନ ସାମଗ୍ରୀ ଚାଲାଣ ବେଳେ ଏକ ଡ୍ରୋନ୍‌କୁ ଜେଲ୍‌ କର୍ତ୍ତୃପକ୍ଷ ଜବତ କରିଥିଲେ। ପୁଣି ଉଡ଼ିବା ଘଟଣା ସମ୍ପର୍କରେ ଜେଲ୍‌ ଏଡିଜି ତଥା ନିର୍ଦ୍ଦେଶକ ବିନ୍ୟାନନ୍ଦ ଝା’ଙ୍କୁ ପଚାରିବାରୁ ଘଟଣାର ଅନୁଧ୍ୟାନ କରାଯାଉଥିବା କହିଛନ୍ତି । ବ୍ରହ୍ମପୁର ସର୍କଲର ସିନିୟର ସୁପରିଟେଣ୍ଡେଣ୍ଟ ବି.ବି. ପଟ୍ଟନାୟକଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କ ରିପୋର୍ଟ ଆଧାରରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଝା କହିଛନ୍ତି ।

ସମ୍ବନ୍ଧିତ ଖବର