ନିଶା ମାଫିଆ ରାଜାର ଆତଙ୍କବାଦୀ ଲିଙ୍କ୍‌!

ଭୁବନେଶ୍ବର : କୋଟିଏ ଟଙ୍କାର ବଙ୍ଗଳା, ୬୦ ଲକ୍ଷ ଟଙ୍କାର ୩ ମହଲା ବିଶିଷ୍ଟ କୋଠା, ୩୦ ଲକ୍ଷ ଟଙ୍କାର ୩ଟି କାର୍‌, ଲକ୍ଷେ ଟଙ୍କାର ବାଇକ୍, ୩୦ ଲକ୍ଷ ଟଙ୍କାର ଟ୍ରଲର୍‌ର ମାଲିକ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ମାଫିଆ ସେକ୍‌ ରାଜା। ନିଶା ବେପାର କରି ସେ ଏହି ବିଶାଳ ସାମ୍ରାଜ୍ୟ ଠିଆ କରିଛି। ୬ ଦିନ ଧରି ମାରାଥନ୍‌ ଜେରା କରିବା ସହ ତା’ର ବିଭିନ୍ନ ଆଡ଼ାରେ ଚଢ଼ଉ କରିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଏହି ତଥ୍ୟ ଲାଗିଛି। ଏହାବ୍ୟତୀତ ତା’ର ୨ଟି ପ୍ଲଟ୍‌କୁ ଏସ୍‌ଟିଏଫ ଠାବ କରିଛି। ତା’ର ଆଉ କୋତୋଟି ପ୍ଲଟ୍‌ ମଧ୍ୟ ରହିଛି। କିନ୍ତୁ ଚତୁରତାର ସହ ସେ ସେଗୁଡ଼ିକୁ ନିଜ ସଂପର୍କୀୟଙ୍କ ନାମରେ କରି ଦେଇଛି। କିନ୍ତୁ ଏସବୁର ତଦନ୍ତ ଚାଲିଛି।

ଏସ୍‌ଟିଏଫ ଏସ୍‌ପି-୨ ପ୍ରଶାନ୍ତ ଭୋଇଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏସ୍‌ଟିଏଫ ରାଜାର ୨ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିମଧ୍ୟରୁ ନିଶା କାରବାରରୁ ଅର୍ଜିତ ଟଙ୍କାରେ କରାଯାଇଥିବା ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଏସ୍‌ଟିଏଫ୍‌ ୪୮ଘଣ୍ଟା ମଧ୍ୟରେ ଜବତ କରିଥିବା ସାମଗ୍ରୀର ତାଲିକା କୋଲକାତାରେ କମ୍ପିଟାଣ୍ଟ ଅଥରିଟି (ସିଏ)ଙ୍କ ନିକଟରେ ଉପସ୍ଥାପନ କରି ସମ୍ପତ୍ତି ବ୍ୟାଜ୍ୟାପ୍ତ ପାଇଁ ପ୍ରାର୍ଥନା କରିବ।

ଅପରପକ୍ଷେ ଡ୍ରଗ୍ସ କାରବାର ବ୍ୟତୀତ ରାଜାର ଆତଙ୍କବାଦୀ ଲିଙ୍କ୍‌ ଥିବା ନେଇ ମଧ୍ୟ ସୂଚନା ମିଳିଛି। କିନ୍ତୁ ଏ ସଂପର୍କ‌ରେ ସଂପୂର୍ଣ୍ଣ ତଥ୍ୟ ହାସଲ କରିନଥିବାରୁ ଏସ୍‌ଟିଏଫ ଏସ୍‌ପି ଶ୍ରୀ ଭୋଇ ଅଧିକ ସୂଚନା ଦେବାକୁ ମନା କରିଦେଇଛନ୍ତି। କହିଛନ୍ତି, ରାଜାର ଯେଉଁ ବିଦେଶୀ ଲିଙ୍କ୍‌ ଆମ ହାତରେ ଲାଗିଛି, ତାହା ସାଂଘାତିକ। ତେବ‌େ ତା’ର ରିମାଣ୍ଡ ଅବଧି ସରିବାକୁ ଆଉ ଗୋଟିଏ ଦିନ ବାକିଥିବାରୁ ପଚରାଉଚରାରେ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ରାଜାକୁ ବେପାରରେ ସହଯୋଗ କରିବା ଅଭିଯୋଗରେ ଜଣେ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଆଉ କେତେକ କର୍ମଚାରୀଙ୍କ ମଧ୍ୟ ଏଥିରେ ସଂପୃକ୍ତି ଆଶଙ୍କା କରାଯାଉଛି। ଖୁବ୍‌ଶୀଘ୍ର ଏ ନେଇ ସ୍ପଷ୍ଟ କରାଯିବ ବୋଲି ଶ୍ରୀ ଭୋଇ କହିଛନ୍ତି। ଗତ ୧୫ ତାରିଖରେ ସେକ୍‌ ରାଜାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର