ସବୁ ପୌରାଞ୍ଚଳରେ ହେବ ବର୍ଜ୍ୟବସ୍ତୁ ପ୍ଲାଣ୍ଟ

ଏବେବି ରାଜ୍ୟର ୬୩୮ ଓ୍ଵାର୍ଡରେ ଘରୁ ଆବର୍ଜନା ସଂଗ୍ରହ ହେଉନି

ଆରମ୍ଭ ହେବ ସ୍ୱଚ୍ଛ ବଜାର

ଭୁବନେଶ୍ୱର : ରାଜ୍ୟର ୧୧୩ଟି ପୌରାଞ୍ଚଳରେ ୧୯୭୫ଟି ଓ୍ଵାର୍ଡ ଥିବାବେଳେ ଏଥିରୁ ୬୩୮ଟି ଓ୍ଵାର୍ଡରେ ଏବେବି ଘରୁ ଆବର୍ଜନା ସଂଗ୍ରହ ହେଉନି। ଏହି ଓ୍ଵାର୍ଡରେ କାଁ ଭାଁ ରାସ୍ତା ସଫେଇ ହେଉଛି। ଆବର୍ଜନା ବିଶୋଧନ କରିବା ତ ଦୂରର କଥା ଯେତିକି ଆବର୍ଜନା ଉଠୁଛି ତାହାକୁ ରାସ୍ତା କଡ଼ରେ ଗଦାଇ ଦିଆଯାଉଛି। ଏହିଭଳି ସ୍ଥିତିରେ ତୁରନ୍ତ ସୁଧାର ଆଣିବାକୁ ସମସ୍ତ ପୌରସଂସ୍ଥା ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମାର୍ଚ୍ଚ ୩୧ସୁଦ୍ଧା ସମସ୍ତ ସହରାଞ୍ଚଳର ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ସହ ବିଶୋଧନ ପାଇଁ କଠିନ ବର୍ଜ୍ୟବସ୍ତୁ ବିଶୋଧନାଗାର ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଛି।

ବଡ଼ ବଡ଼ କଠିନ ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ବଦଳରେ ଏକାଧିକ କମ୍‌ କ୍ଷମତା ସଂପନ୍ନ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ହେବ। କମ୍‌ ଜମିରେ କମ୍‌ ଖର୍ଚ୍ଚରେ ଏହା ନିର୍ମାଣ ହେବ। ଦୈନିକ ୧.୫ଟନ୍‌, ୩ଟନ୍‌ ଏବଂ ୫ଟନ୍‌ ଆବର୍ଜନା ବିଶୋଧନ ହେବା ଭଳି ପ୍ଲାଣ୍ଟ ନିର୍ମାଣ ହେବ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଦେବେ ବୋଲି ନିଷ୍ପତ୍ତି ହୋଇଛି।

କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଇନ୍‌-୨୦୧୬ ଅନୁଯାୟୀ, କଠିନ ବର୍ଜ୍ୟବସ୍ତୁ ସଂଗ୍ରହ, ଏହାର ପରିଚାଳନା ଓ ବିଶୋଧନକୁ ଗୁରୁତ୍ୱ ଦିଆଯାଉଥିବାବେଳେ ପ୍ରତ୍ୟେକ ସହରାଞ୍ଚଳରେ ଲୋକସଂଖ୍ୟା ଅନୁଯାୟୀ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପ୍ରଥମ ପର୍ଯ୍ୟାୟରେ ୧୧୦.୪୦ କୋଟି ଦେଇଥିବାବେଳେ ରାଜ୍ୟ ସରକାର ଓୟୁଆଇଡିଏଫ୍‌ ପାଣ୍ଠିରୁ ଅର୍ଥ ଦେବେ ବା ସଂପୃକ୍ତ ପୌରସଂସ୍ଥା ଅର୍ଥ ଦେବେ।

ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ଉପଦେଷ୍ଟା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପୌରସଂସ୍ଥା କର୍ତ୍ତୃପକ୍ଷ ପ୍ରତ୍ୟେକ ଘରୁ ଯେପରି ଆବର୍ଜନା ସଂଗ୍ରହ ହେବ ସେନେଇ ନିଶ୍ଚିତ କରିବେ। ଆବର୍ଜନା ସଂଗ୍ରହ କରିବା ସମୟରେ ଜୈବିକ ଓ ଅଜୈବିକ ଆବର୍ଜନାକୁ ପୃଥକ୍‌ କରି ସଂଗ୍ରହ କରିବେ। ପ୍ରତ୍ୟେକ ସହରାଞ୍ଚଳରେ ଯେପରି କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ହେବ ସେଥିପାଇଁ ପୌରସଂସ୍ଥା କର୍ତ୍ତୃପକ୍ଷ ସେମାନଙ୍କ ଅଞ୍ଚଳରେ ଆବଶ୍ୟକୀୟ ଜମି ଯୋଗାଇଦେବେ। ଏହି ପ୍ଲାଣ୍ଟର ରକ୍ଷଣାବେକ୍ଷଣ ପାଇଁ କେତେ ଅର୍ଥ ଖର୍ଚ୍ଚ କରିବେ କିପରି ଏହା ଆଦାୟ କରିବେ ତାହାର ବିବରଣୀ ଦେବେ। ଏହି ପ୍ଲାଣ୍ଟ ପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ପଡ଼ିବନି। କେବଳ ଆର୍‌ଏଫ୍‌ପି ଡକାଯିବ। ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡିପିଆର୍‌ ଅନୁଯାୟୀ ଏହି ପ୍ଲାଣ୍ଟ୍‌ ନିର୍ମାଣ ହେବ।

ସେହିପରି ସହରାଞ୍ଚଳର ସମସ୍ତ ହାଟ ଓ ବଜାର ଅଞ୍ଚଳ ଯେପରି ସ୍ୱଚ୍ଛ ରହିବ ସେଥିପାଇଁ ସ୍ୱଚ୍ଛ ବଜାର ଅଭିଯାନ ଆରମ୍ଭ ହେବ। ଏଥିରେ ପ୍ରତ୍ୟେକ ଓ ହାଟକୁ ଯାଇ ବ୍ୟବସାୟୀମାନଙ୍କୁ ସଚେତନ କରାଯିବ। ଅଧିକରୁ ଅଧିକ ଆବର୍ଜନା ଯେପରି ସଂଗ୍ରହ ହେବ ସେନେଇ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏବେ ପ୍ରଥମ ପର୍ଯ୍ୟାୟରେ ୨୦ହଜାରରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ପୌରାଞ୍ଚଳରେ ଦୈନିକ ୧.୫ଟନ୍‌ ଆବର୍ଜନା ବିଶୋଧନ ହେବା ଭଳି ପ୍ଲାଣ୍ଟ୍‌ ନିର୍ମାଣ ହେବ। ଏଥିପାଇଁ ଉକ୍ତ ପୌରସଂସ୍ଥା କର୍ତ୍ତୃପକ୍ଷ ୩୦୦ବର୍ଗମିଟର ଜମି ଯୋଗାଇବେ। ଏନେଇ ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ସ୍ୱଚ୍ଛ ଭାରତ ମିସନ ପାଣ୍ଠିରୁ ୩୦ଲକ୍ଷ ଏବଂ ପୌରସଂସ୍ଥାର ନିଜସ୍ୱ ପାଣ୍ଠି କିମ୍ବା ଓୟୁଆଇଡିଏଫ୍‌ ପାଣ୍ଠିରୁ ବାକି ୨୦ଲକ୍ଷ ଯେଗାାଇ ଦିଆଯିବ।

ସମ୍ବନ୍ଧିତ ଖବର