କାକଟପୁର ବିଡିଓଙ୍କୁ ଗୋବର ମାଡ଼

ପ୍ରତିବାଦରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଜିଲ୍ଲାପାଳଙ୍କୁ ଭେଟିଲା ଓଏଏସ୍‌ ସଂଘ

କାକଟପୁର/ପୁରୀ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିିକେୟନ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ ଗୋବର ପାଣି ପକାଇବା ଘଟଣାକୁ ୪୮ ଘଣ୍ଟା ପୂରିନି; ଏଣେ ଜଣେ ବିଡିଓଙ୍କ ଉପରେ ପୁଣି ଗୋବରମାଡ଼ ହେଲାଣିି। କାକଟପୁର ବିଡିଓ ସନ୍ତୋଷ କୁମାର ସାହୁ ଆଜି ପୂର୍ବାହ୍ଣରେ ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଜଣେ ଯୁବକ ତାଙ୍କ ଉପରେ ଗୋବର ଫୋପାଡ଼ି ଫେରାର୍‌ ହୋଇଯାଇଛି। ଏହି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ବ୍ଲକ୍‌ କର୍ମଚାରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତ ଯୁବକଙ୍କ ଗିରଫ ଦାବିରେ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ଓଏଏସ୍‌ ଅଫିସର ସଂଘ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ସଂଧ୍ୟାରେ ସଂଘ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ବିଡିଓ ଶ୍ରୀ ସାହୁ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ବ୍ଲକ୍‌ କାର୍ଯ୍ୟାଳୟରେ ସଦ୍ୟ ନିଯୁକ୍ତପ୍ରାପ୍ତ ଗ୍ରାମରୋଜଗାର ସେବକମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରୁଥିଲେ। ଏହି ସମୟରେ ହଠାତ୍‌ ଜଣେ ଯୁବକ ସେଠାରେ ପହଂଚି ଇନ୍ଦିରା ଆବାସ ଗୃହ ମିଳି ନଥିବା ନେଇ ପାଟିତୁଣ୍ଡ କରିଥିଲେ। ଏଥିସହ ପଲିଥିନ୍‌ରେ ଲୁଚାଇ ରଖିଥିବା ଗୋବରକୁ ସେ ହଠାତ ଶ୍ରୀ ସାହୁଙ୍କ ଉପରକୁ ଫିଙ୍ଗି ପଳାଇଥିଲେ। ପରେ ବିଡିଓ ଶ୍ରୀ ସାହୁ କାକଟପୁର ଥାନାରେ ଏଥିନେଇ ଏତଲା ଦେଇଥିଲେ। ଗୋବର ଫିଙ୍ଗିଥିବା ଯୁବକ ସହିତ ସ୍ଥାନୀୟ କିଛି ନେତା ଉକ୍ତ ଘଟଣାରେ ସଂପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି। ବିଡିଓଙ୍କୁ ଗୋବର ମାଡ଼ ଘଟଣାର ତୀବ୍ର ନିନ୍ଦା କରି ଓଏଏସ୍‌ ଅଫିସର୍‌ ସଂଘର ଜିଲ୍ଲା ସଭାପତି ତଥା ଡିଆରଡିଏ ପିଡି ଡ. ଉଦ୍ଧବ ଚନ୍ଦ୍ର ମାଝୀଙ୍କ ନେତୃତ୍ଵରେ ଓଏଏସ୍‌ ଅଫିସରମାନେ ଜିଲ୍ଲାପାଳଙ୍କୁ ଫେରାଦ ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଧିକାରୀମାନଙ୍କୁ ଏଭଳି ଆକ୍ରମଣ ହେଲେ କାମ କରିବା ଅସମ୍ଭବ ହେବ ବୋଲି ସେମାନେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର