ଲକଡାଉନ ପାଇଁ ଜମୁଛି ଚୋରା ମଦ କାରବାର, ସୀମାନ୍ତ ଝାଡ଼ଖଣ୍ଡରୁ ଆସୁଛି ନକଲି ମଦ

ରାଉରକେଲା/ଖୋର୍ଦ୍ଧା: ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ଥିବାବେଳେ ଏବେ ଚୋରା ମଦ କାରବାର ବଢ଼ିଥିବାର ଦେଖିବାକୁ ମିଳିଛି | କିଛି ବେପାରୀ ମଦର କଳାବଜାରୀ କରୁଥିବାବେଳେ ଆଉ କିଛି ନକଲି ମଦକୁ ଅସଲି ମୂଲ୍ୟରେ ବିକ୍ରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି | ସ୍ଥିତି ଏମିତି ହୋଇଛି ଯେ ଝାଡ଼ଖଣ୍ଡ ସୀମାନ୍ତରୁ ଓଡିଶାକୁ ମଦ ଆସୁଛି | ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ସୀମାନ୍ତ ଅଙ୍କୁରପାଲି କାରିଛପାଲରୁ ବିପୁଳ ଦେଶୀ ମଦ ଆସୁଥିବାର ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା |

ଏହାପରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଉଦିତନଗର ମୁନିସିପାଲଟି ଛକରେ ଏକ ଇଣ୍ଡିଗୋ କାରରୁ ୬୪୦ ଲିଟର ନକଲି ମଦ ଜବତ କରାଯାଇଥିଲା | ତେବେ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା |

ସେହିପରି ଖୋର୍ଦ୍ଧା ପୁଲିସକୁ ମଧ୍ୟ ବଡ଼ ସଫଳତା । ଟାଙ୍ଗୀ ଓ ଜଙ୍କିଆରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ଜଙ୍କିଆ ନିକଟରୁ ୧ ହଜାର ୧୨୭ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ୨ ଟି ଗାଡ଼ି ସହ ୪ ଜଣଙ୍କୁ ଗିରଫ କରିଛି | ସେହିପରି ଟାଙ୍ଗୀରୁ ୧୩୫ ଲିଟର ଚୋରାମଦ ଜବତ ହୋଇଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର