ଭସାଣିକୁ ନେଇ ପୁଣି ଗଣ୍ଡଗୋଳ

ସର୍ବୋଦୟପୁର-କୁସୁନପୁର ମଧ୍ୟରେ ଉତ୍ତେଜନା, ଢେଲା ମାଡ଼ରେ ୩ ବର୍ଷର ବାଳକ ସମେତ ୨ ଆହତ

କଟକ : ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ ଭସାଣି ଉତ୍ସବ ଆଜି ଜାକଜମକରେ ଶେଷ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ କିନ୍ତୁ ଗଣ୍ଡଗୋଳକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। କଟକରେ ଆଜି ସଂଧ୍ୟା ସୁଦ୍ଧା ମୋଟ ୧୨୯ଟି ମେଢ କାଠଯୋଡ଼ିର ଦେବୀ ଗଡ଼ା ଗଡ଼ିଛନ୍ତି। କିନ୍ତୁ ଭସାଣି ଶେଷ କରି ଫେରୁଥିବା ସମୟରେ କୁସନପୁର ଓ ସର୍ବୋଦୟପୁରର ଦୁଇ ଗୋଷ୍ଠୀ ଯୁବକ ମୁହାଁମୁହିଁ ହେବା ସହ ପରସ୍ପରକୁ ଆକ୍ରମଣ କରିଛନ୍ତି। ବାଦାମବାଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ଘଉଡାଇ ଦେଇଥିବା ବେଳେ ସର୍ବୋଦୟପୁର ଅଞ୍ଚଳର ଗୋଟିଏ ଗୋଷ୍ଠୀର ଯୁବକଙ୍କ ଢେଲା ମାଡ଼ରେ କୁସୁନପୁର ଅଞ୍ଚଳର ଜଣେ ୩ ବର୍ଷର ବାଳକ ଗୁରୁତର ଆହତ ହୋଇଛନ୍ତି।

କୁସୁନପୁର ଅଞ୍ଚଳରେ ରହୁଥିବା ରେଭିନ୍ୟୁ ଇନ୍ସପେକ୍ଟର ସିନି ବେହେରାଙ୍କ ଘର ଭିତରେ ଢେଲା ପଡ଼ି ଆସବାବପତ୍ର ମଧ୍ୟ ନଷ୍ଟ ହୋଇଛି। ଘଟଣାରେ ସିନି ବେହେରାଙ୍କ ଘର ଆଜବେଷ୍ଟସ ଭାଙ୍ଗିବା ସହ ତାଙ୍କ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ୍‌ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ ଗତକାଲିଠାରୁ ଦୁଇ ସାହି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିଲା। ଦେବୀଗଡ଼ା ନିକଟରେ ଦୁଇ ସାହିର ଦୁଇ ଗୋଷ୍ଠୀ ଯୁବକ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ସର୍ବୋଦୟପୁରର ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ।

ଅନ୍ୟପଟେ ବାମ୍ଫିସାହି ତଳତେଲେଙ୍ଗା ବଜାର ମଧ୍ୟରେ ଗତକାଲି ସୃଷ୍ଟି ହୋଇଥିବା ବିବାଦକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ଅଭିଯୋଗ ଆଧାରରେ ପୁଲିସ ଏଯାଏ ଅଭିଯୁକ୍ତ ମାନଙ୍କୁ ଗିରଫ କରି ନଥିବାରୁ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଗତକାଲି ଦେବୀଗଡ଼ା ନିକଟରେ ମେଢ ଆଗରେ ନାଚିବାକୁ ନେଇ ଖଟବିନ୍‌ ସାହି ଓ ମଠସାହିର ଯୁବକଙ୍କ ଭିତରେ ଠେଲାପେଲା ହେବା ସହ ଢେଲା ମାଡ଼ ହୋଇଥିଲା। ଘଟଣାରେ ଜଣେ ପୁଲିସ ଇନ୍ସପେକ୍ଟର ଆହତ ହୋଇଥିବା ସୂଚନା ମିଳିଛି।

ଭସାଣି ସମୟରେ ଛିନତାଇ ଓ ଲୁଟେରାଙ୍କ ଉତ୍ପାତରେ ସାଧାରଣ ଲୋକ ଅତିଷ୍ଠ ହୋଇଛନ୍ତି। ମୋବାଇଲ୍‌ ଫୋନ୍‌ ଚୋରି କରିବା ସହ ଦେବୀଗଡ଼ା ନିକଟରେ ଅନେକ ବ୍ୟକ୍ତିଙ୍କ ପକେଟ କାଟି ଲୁଟେରା ଟଙ୍କା ଲୁଟିଛନ୍ତି। ମୋବାଇଲ୍‌ ଫୋନ୍‌ ଓ ଟଙ୍କା ଲୁଟ୍‌ପାଟକୁ ନେଇ ଏକାଧିକ ଅଭିଯୋଗ ଆସିଥିବା ବେଳେ ଅନେକ ବ୍ୟକ୍ତି କୌଣସି ଲାଭ ମିଳିବା ଆଶା ନଦେଖି ଥାନାରେ ଅଭିଯୋଗ କରି ନଥିବାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର