ଭୁବନେଶ୍ୱର : ରାଜ୍ୟରେ ସ୍ୱଚ୍ଛ ଶାସନ ଚାଲିଛି ବୋଲି କୁହାଯାଉଛି। କିନ୍ତୁ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଅବଲମ୍ବନ ହେଉନି। ସରକାରଙ୍କ ତଥ୍ୟ ଯେପରି ଲୋକଙ୍କ ପାଖରେ ନ ପହଞ୍ଚିବ ସେଥିପାଇଁ ସୁଚିନ୍ତିତ ଷଡଯନ୍ତ୍ର କରାଯାଇଛି। ଅଧିକାଂଶ ବିଭାଗ ଇ-ଡେସପ୍ୟାଚ୍ରେ ଚିଠି ମାସ ମାସ ଧରି ଦେଉନାହାନ୍ତି କି ଅନ୍ୟ ବିଭାଗ ସହ ଯୋଗାଯୋଗ ରଖୁନାହାନ୍ତି। ନିଜ ଇଚ୍ଛାରେ ଇ-ଡେସପ୍ୟାଚ୍ରେ ଚିଠି ଖଣ୍ଡେ ଛାଡ଼ି ଦେଉଛନ୍ତି। ଏପରିକି ୨୦୧୭ ମସିହା ପରଠାରୁ ୮ରୁ ଅଧିକ ବିଭାଗ ଇ-ଡେସପ୍ୟାଚ୍ରେ ଅପ୍ ଟୁ ଡେଟ୍ ତଥ୍ୟ ଦେଉନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେଉଁ ବିଭାଗରେ କ’ଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଗଲା, କେଉଁ ବିଭାଗର କେଉଁ ଅଧିକାରୀଙ୍କ ନିକଟକୁ କେଉଁ ଫାଇଲ୍ ଗଲା, କିଏ କେଉଁ ଫାଇଲ୍ କାହା ପାଖକୁ ପଠାଇଲେ ତା’ର ସବିଶେଷ ସୂଚନା ଦେବା ପାଇଁ ଓଡ଼ିଶା ସେକ୍ରେଟେରିଏଟ୍ ଓ୍ଵାର୍କ ଫ୍ଲୋ ଅଟୋମେସନ ସିଷ୍ଟମ (ଓସ୍ୱାସ୍) ବ୍ୟବସ୍ଥା କରାଯାଇଛି। ଏଥିରେ ଇ-ଡେସପ୍ୟାଚ୍ରେ ସମସ୍ତ ବୈଠକର ସୂଚନା, ବିଜ୍ଞପ୍ତି, ପ୍ରତିଦିନ ଦେଣନେଣ ହେଉଥିବା ଫାଇଲ୍ର ତଥ୍ୟ, ଦେବାକୁ କୁହାଯାଇଛି। ସରକାରଙ୍କ ବିଭିନ୍ନ କାର୍ଯ୍ୟ, ଯୋଜନାରେ ଯେପରି ସ୍ୱଚ୍ଛତା ଆସିବ, ସରକାରୀ ନିଷ୍ପତ୍ତି ଯେ କେହି ବି ଯେଉଁଠି ଥାଇ ସହଜରେ ଜାଣିପାରିବେ ଏବଂ ସରକାରୀ ବିଭାଗଗୁଡ଼ିକ ସେମାନଙ୍କର ସୂଚନା, ଚିଠିକୁ ଅନ୍ୟ ବିଭାଗକୁ ଅନଲାଇନ୍ରେ ପଠାଇପାରିବେ ସେନେଇ ଇ-ଡେସପାଚ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। କିନ୍ତୁ ଏହାକୁ ଏବେ ରାଜ୍ୟ ସରକାରଙ୍କ କେତେକ ଅଧିକାରୀ ଦୁରୁପଯୋଗ କରୁଛନ୍ତି। ସବୁ ସୂଚନା ଓ ଚିଠି ଇ-ଡେସପ୍ୟାଚ୍ରେ ଦେବାକୁ କୁହାଯାଇଥିଲେ ହେଁ ଅନେକ ବିଭାଗ ଏହାକୁ ମାନୁନାହାନ୍ତି। ଏଥିପାଇଁ ବି ବିଭାଗୀୟ ମୁଖ୍ୟ କି ପ୍ରଶାସନ ମୁଖ୍ୟ ମୁଖ୍ୟ ଶାସନ ସଚିବଙ୍କର ତାଗିଦ୍ ନଥିବାରୁ ଅଧିକାରୀମାନେ ଲଗାମଛଡ଼ା ହୋଇଯାଇଛନ୍ତି।
ଅଧିକାଂଶ ସମୟରେ ଇ-ଡେସପ୍ୟାଚ୍ ଖୋଲୁ ନଥିବାବେଳେ ଗତ ସପ୍ତାହରେ ଚାରି ଦିନ ଇ-ଡେସପ୍ୟାଚ୍ ଖୋଲି ନଥିଲା। ଏପରିକି ଅଧିକାଂଶ ସମୟରେ କେବଳ କେଉଁ ବିଭାଗର କେତେ ଚିଠି ଆସିଛି, କେତେ ଚିଠି ଯାଇଛି, କେଉଁ ଦିନ କେଉଁ ବିଭାଗକୁ କ’ଣ ପଠାଯାଇଛି (ସମସ୍ତ ବିଭାଗକୁ ନୁହେଁ) ତାହାର ବିଷୟବସ୍ତୁ ଓ ସଂଖ୍ୟା ଆସୁଛି। କିନ୍ତୁ ଏହାକୁ ଖୋଲି ପଢ଼ିବା ପାଇଁ ତାହା ଉପରେ କ୍ଲିକ୍ କଲେ ଯେଉଁ କୋଡ୍ ଆସୁଛି ତାହାକୁ ଟାଇପ୍ କଲେ ତାହା ନେଉନି। କୋଡ୍ ପୁଣି ବଦଳିଯାଉଛି। ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ବି ଇ-ଡେସପ୍ୟାଚ୍ରୁ ଚିଠି ଡାଉନଲୋଡ୍ କରିହେଉନି। ଏନେଇ କେତୋଟି ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେମାନେ ଉତ୍ତର ଦେଉଛନ୍ତି ଆମେ ଜାଣିନୁ।
ରାଜ୍ୟ ସରକାରଙ୍କର ସମସ୍ତ ତଥ୍ୟ ଇ-ଡେସପ୍ୟାଚ୍ରେ ଅପଡେଟ୍ କରିବା ନେଇ ତାଗିଦ୍ ନଥିବାରୁ ବହୁ ବିଭାଗ ଏହାର ଫାଇଦା ଉଠାଉଛନ୍ତି। ଯେମିତି ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଏମ୍ସି ଓ ବିଡିଏ। ଏହି ଦୁଇଟି ସଂସ୍ଥା ଗତ ଦୁଇ ବର୍ଷ ହେଲା ଇ-ଡେସପ୍ୟାଚ୍ରୁ ଉଭାନ୍ ହୋଇଯାଇଛନ୍ତି। କେଉଁ ଚିଠି ଆସୁଛି, ଯାଉଛି ତାହା ଅପଡେଟ୍ ହେଉନି। ୨୦୧୫ ସେପ୍ଟେମ୍ବରରୁ ବିଡିଏ କି ବିଏମ୍ସି କର୍ତ୍ତର୍ୃପକ୍ଷ କୌଣସି ବିଭାଗକୁ ଚିଠି ଦେଇନାହାନ୍ତି ବୋଲି ଇ-ଡେସପ୍ୟାଚ୍ରେ ପ୍ରଥମେ ଦେଖାଇଲା। ଯଦି ବିଏମ୍ସି କି ବିଡିଏ କୌଣସି ବିଭାଗକୁ ଚିଠି ଦେଉନାହାନ୍ତି ତେବେ ବିଭାଗୀୟ ଅଧିକାରୀମାନେ କିପରି କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶ୍ନ ଉଠିଲାଣି? ଏହାପରେ ଇ-ଡେସପାଚ୍ େଓ୍ଵବସାଇଟ୍ରୁ ବିଏମ୍ସି ଓ ବିଡିଏର ନାମ କାଟି ଦିଆଗଲା। ସଂସ୍ଥାର ନାମ ସିନା ଥିଲେ କିଏ କ୍ଲିକ କରିବ। ଆଉ କେଉଁ ବିଭାଗରୁ ଚିଠି ଆସିଛି, ଚିଠି ଯାଇଛି ସେ ବିଷୟରେ ଜାଣିବ। ନାମ ଉଡ଼ାଇ ଦେଲେ କେହି ଜାଣିିବାର ନାହିଁ। କେବଳ ଏତିକିରେ କର୍ତ୍ତୃପକ୍ଷଙ୍କ କାରସାଦି ସରିନି। ବିଏମ୍ସି ଓ ବିଡିଏ େଓ୍ଵବସାଇଟରେ ଇ-ଡେସପାଚ୍ ଲେଖାଯାଇଛି। କେତେ ଚିଠି ପାଇଲେ, କେତେ ଚିଠି ଦେଲେ ତାହାର ସଂଖ୍ୟା ଅଛି। ହେଲେ ଏହା ଉପରେ କ୍ଲିକ୍ କଲେ ଏହା ଖୋଲୁନି। ଇ-ଡେସପ୍ୟାଚ୍ ସିନା ଖୋଲିଲେ କିଏ କିଛି ଜାଣିବ। ନ ଖୋଲିଲେ କିଛି ତଥ୍ୟ ପ୍ରଘଟ ହେବାର ନାହିଁ।
ସେହିପରି ଏକ ବିଭାଗ ହେଲା ଗୃହ ବିଭାଗ। ଏଥିରେ ବିଭାଗର ସୂଚନା ଜମା ନାହିଁ କହିଲେ ଚଳେ। କେବଳ ନୂଆଦିଲ୍ଲୀ, ମୁମ୍ବାଇ, କୋଲକତାର ଓଡ଼ିଶା ନିବାସ, ଓଡ଼ିଶା ଭବନ, ଉତ୍କଳ ଭବନ ଓ ଓଡ଼ିଶା ସଦନରେ କାହା ନାମରେ କେତେ ଦିନ ପାଇଁ ରୁମ୍ ବୁକିଂ ହୋଇଛି ତାହାର ସୂଚନା ଦିଆଯାଉଛି।
ଜଙ୍ଗଲ ଓ ପରିବେଶ ବିଭାଗ ସ୍ଥିତି ବି ସମାନ। ଏହି ବିଭାଗ ୧ମାର୍ଚ୍ଚ, ୨୦୧୬ରୁ କୌଣସି ବିଭାଗକୁ କିଛି ତଥ୍ୟ କି ଚିଠି ଦେଇନି। ଯାହା ମଝିରେ ମଝିରେ ପାଉଛି। ଶକ୍ତି ବିଭାଗ ୨୦୧୭ ଅଗଷ୍ଟରେ ଓପିଟିସିଏଲ୍କୁ ଶେଷ ଚିଠି ଲେଖି ରହିଯାଇଛି। ଅର୍ଥ ବିଭାଗ ବି ମଝିରେ ମଝିରେ ଇଚ୍ଛା ହେଲେ ଚିଠି ଖଣ୍ଡେ ପଠାଇ ଦେଉଛି ନହେଲେ ନାହିଁ। ଯେମିତି ଜାନୁଆରିରୁ ଏପ୍ରିଲ୍ ଭିତରେ ପ୍ରତି ମାସରେ ଗୋଟିଏ ଲେଖାଏଁ ଚିଠି ପଠାଇଛି। ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗ ଗତ ବର୍ଷ ୩୦ ଅକ୍ଟୋବରରୁ ଆଉ ଚିଠି ପଠାଉନି। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ତ ୨୦୧୮ ମସିହାରେ ଦୁଇଟି ଚିଠି ଇ-ଡେସପ୍ୟାଚ୍ରେ ଛାଡ଼ିଛି। ଅନସୂଚିତ ଜାତି ଓ ଜନଜାତି ବିଭାଗ ୨୦୧୬ ଓ ୨୦୧୭ରେ ଦୁଇଟି ଲେଖାଏଁ ଚିଠି ଦେଇଥିବାବେଳେ ୨୦୧୮ରେ ଏପର୍ଯ୍ୟନ୍ତ ଚିଠି ଦେବା ଆରମ୍ଭ କରିନି। କୃଷି ବିଭାଗର ଏପ୍ରିଲ ମାସରୁ ଚିଠି ଦେବା ବନ୍ଦ ହୋଇଯାଇଛି। ଜଳସମ୍ପଦ ବିଭାଗ ଚଳିତବର୍ଷ ଗୋଟିଏ ଚିଠି ପଠାଇ ରହିଯାଇଛି। ଯେପରି ଅନ୍ୟ କୌଣସି ବିଭାଗ ସହ ଏହି ବିଭାଗର ସଂପୃକ୍ତି ନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ବି ମାର୍ଚ୍ଚ, ୨୦୧୮ରୁ ଚିଠି ଦେବା ବନ୍ଦ କରିଦେଇଛି। ଏହିପରି ରାଜ୍ୟ ସରକାରଙ୍କ ୧୦ରୁ ଅଧିକ ବିଭାଗ ଏବେ ଇ-ଡେସପ୍ୟାଚ୍ ବ୍ୟବସ୍ଥାରୁ ପୂରା ଦୂରେଇ ରହିଛନ୍ତି।