ଆଜି ପାଳନ ହେବ ଆର୍ଥ ଆଓ୍ଵାର

ଭୁବନେଶ୍ୱର : ଶନିବାର ସନ୍ଧ୍ୟାରେ ପାଳିତ ହେବ ଆର୍ଥ ଆଓ୍ଵାର। ଓ୍ଵାର୍ଲଡ ଓ୍ଵାଇଡ୍‌ ଫର୍‌ ନେଚର ବା ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି। ଆସନ୍ତାକାଲି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଅନାବଶ୍ୟକ ବିଦ୍ୟୁତ୍‌ ପ୍ରବାହ ବନ୍ଦ ରଖିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି।

୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡ୍‌ନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍‌ ବନ୍ଦ ରଖି ଏହାକୁ ପାଳନ କରିଥିଲେ। ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି। ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ। ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା। ଗତବର୍ଷ ଦିଲ୍ଲୀରେ ଆର୍ଥ ଆଓ୍ଵାର ସମୟରେ ୪ଶହରୁ ଅଧିକ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଜନସାଧାରଣ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଘଣ୍ଟାଏ ଲାଇଟ୍‌ ବନ୍ଦ ରଖିଥିଲେ। ଏଥିରେ ୨୯୦ ମେଗାଓ୍ଵାଟର ବିଦ୍ୟୁତ ବଞ୍ଚିଥିବା ଜଣାପଡ଼ିଥିଲା।

୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି। ଚଳିତବର୍ଷ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ସାମିଲ ହେବାକୁ ନିବେଦନ କରିଛି ରାଜ୍ୟ ଉପଭୋକ୍ତା ମହାସଂଘ। ଆଜି ମହାସଂଘ ପକ୍ଷରୁ ହୋଟେଲ କେଶରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ରମେଶ ଚନ୍ଦ୍ର ଶତପଥୀ କହିଲେ, ଆର୍ଥ ଆଓ୍ଵାର ପାଇଁ ଶନିବାର ପାଓ୍ଵାର ହାଉସ ଛକରୁ ଏକ ମହମବତି ଶୋଭାଯାତ୍ରା ବାହାର ରାଜଭବନ ନିକଟରେ ପହଞ୍ଚିବ। ସେଠାରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ସମୟରେ କିଭଳି ଅଧିକରୁ ଅଧିକ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ସେଥିପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବ ବୋଲି ଶ୍ରୀ ଶତପଥୀ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଦ୍ୟୁତ ବୋର୍ଡ କର୍ମଚାରୀ ଫେଡେରେସନ୍‌ର ଜିତେନ୍ଦ୍ର ରାଏ, ଭ୍ରମରବର ରାଉତ, ସତ୍ୟବାଦୀ ବାଗ ଓ ପ୍ରିୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର