‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌’ : ଖସିଗଲା ଓଡ଼ିଶା ର‍୍ୟାଙ୍କ୍‌, ଘେରିଲେ ବିରୋଧୀ

ଭୁବନେଶ୍ୱର : ସ୍ୱଚ୍ଛତା ର‍୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ସବୁ ସହର ତଳକୁ ଖସିଯାଇଥିଲେ। ଏବେ ଶିଳ୍ପ ପାଇଁ ଅନୁକୂଳ ପରିବେଶ ସୃଷ୍ଟିରେ ମଧ୍ୟ ରାଜ୍ୟ ପଛକୁ ଠେଲି ହୋଇଗଲା। ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌’ରେ ଓଡ଼ିଶା ର‍୍ୟାଙ୍କିଙ୍ଗ୍‌ ୧୪ତମ ସ୍ଥାନକୁ ଖସିଯାଇଛି। ଲଗାତର ତିନି ବର୍ଷ ଧରି ଓଡ଼ିଶା ପଛକୁ ପଛକୁ ଚାଲିଛି। ନଭେମ୍ବରରେ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ ପାଇଁ ପୂରା ଦମ୍‌ରେ ପ୍ରସ୍ତୁତି ଚଳାଇଥିବା ଶିଳ୍ପ ବିଭାଗକୁ ଏହି ର‍୍ୟାଙ୍କିଙ୍ଗ୍‌ ଅଡ଼ୁଆରେ ପକାଇ ଦେଇଛି। ଠିକ୍‌ ଏହି ସମୟରେ ବିରୋଧୀ ଦଳ ସରକାରଙ୍କୁ ଘେରିବାର ସୁଯୋଗ ହାତଛଡ଼ା କରି ନାହାନ୍ତି। ବିଜେଡି ବି ମାପିଚୁପି ପ୍ରତିକ୍ରିୟା ଦେଇ ବିରୋଧୀଙ୍କୁ ସାମ୍ନା କରିଛି।

ର‍୍ୟାଙ୍କିଙ୍ଗ୍‌ ଖସିବା ନେଇ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, ୨୦୧୬ରେ ର‍୍ୟାଙ୍କିଙ୍ଗ୍‌ ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ନିୟମ ପାଳନ ଓଡ଼ିଶା ୯୨ ପ୍ରତିଶତ କରିଥିଲା। ଆମେ ଏ ବର୍ଷ ବି ନିୟମ ପାଳନରେ ଭଲ ପ୍ରଦର୍ଶନ କରିଛୁ। ର‍୍ୟାଙ୍କିଙ୍ଗ୍‌ ପ୍ରସ୍ତୁତ କଲା ବେଳେ ବିଭିନ୍ନ ଶିଳ୍ପସଂସ୍ଥା ଠାରୁ ମତାମତ ନିଆଯିବାର ଏକ ମାନଦଣ୍ଡ ଏଥର ରଖାଯାଇଥିଲା। ତେଣୁ ଶିଳ୍ପସଂସ୍ଥା ଠାରୁ ନିଆଯାଇଥିବା ମତାମତ ସନ୍ତୋଷଜନକ ନ ଥିବା ଜଣାପଡ଼ୁଛି। ଯାହା ଫଳରେ ଓଡ଼ିଶାର ର‍୍ୟାଙ୍କ୍‌ ୧୪ତମ ସ୍ଥାନରେ ରହିଛି।

ଶିଳ୍ପ ସଚିବ ଆହୁରି ଯୁକ୍ତି ବାଢ଼ିଛନ୍ତି, ଆମେ ନିଶ୍ଚିତ ଭାବେ ଅନେକ ସଂସ୍କାର ଆଣିଛୁ। କିନ୍ତୁ ଶିଳ୍ପ ସଂସ୍ଥାର ମତାମତ ସେହି ଅନୁଯାୟୀ ହୋଇପାରୁନି। ଆମକୁ ଏ କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ର‍୍ୟାଙ୍କିଙ୍ଗ୍‌ରେ ସର୍ବାଧିକ ସ୍କୋର୍‌ ୯୮ ପ୍ରତିଶତ ଥିଲା ବେଳେ ଆମର ୯୨ ପ୍ରତିଶତ ରହିଛି। ଏହି ୬ ପ୍ରତିଶତ ବ୍ୟବଧାନ ଭିତରେ ୧୫ ରାଜ୍ୟ ଅଛନ୍ତି। ତେଣୁ ଆମେ ର‍୍ୟାଙ୍କିଙ୍ଗ୍‌ରେ ବହୁତ ତଳେ ଅଛୁ ବୋଲି କୁହାଯିବା ଠିକ୍‌ ହେବ ନାହିଁ। ରାଜ୍ୟ ଭିତରେ ଏ ନେଇ ପ୍ରତିଯୋଗିତା ଚାଲୁଥିବା ସ୍ପଷ୍ଟ ହୋଇଛି। ଆମକୁ ତଳ ସ୍ତରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ରିପୋର୍ଟ ଆସିଲା ପରେ ଏ ନେଇ ସମୀକ୍ଷା କରାଯିବ। ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା କରାଯାଇ ସଂସ୍କାରମୂଳକ ପଦକ୍ଷେପର ପ୍ରଭାବ କାହିଁକି ତଳ ସ୍ତରରେ ପଡ଼ୁନି, ସେ ନେଇ ସେମାନଙ୍କ ମତାମତ ନିଆଯିବ। ସରକାରଙ୍କ ବିଭିନ୍ନ ବିଭାଗ ମିଳିତ ପଦକ୍ଷେପ ନେଲେ ଓଡ଼ିଶାର ର‍୍ୟାଙ୍କିଙ୍ଗ୍‌ ନିଶ୍ଚିତ ବଢ଼ିବ ବୋଲି ଶ୍ରୀ ଚୋପ୍ରା କହିଛନ୍ତି।

ସରକାରଙ୍କ ପକ୍ଷରୁ ଶିଳ୍ପ ସଚିବ ଏହି ଯୁକ୍ତି ରଖିଥିଲା ବେଳେ ରାଜନୈତିକ ଆକ୍ଷେପ, ପ୍ରତି ଆକ୍ଷେପ ଜୋର୍‌ଦାର୍‌ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି, ଏହା ମୁଖ୍ୟମନ୍ତ୍ରୀଙ୍କ ମୁକୁଟରେ ଆଉ ଏକ ମଣି। ବିଜେଡି ଶାସନରେ ଓଡ଼ିଶାରେ ବିକାଶ ସମ୍ଭବ ନୁହେଁ ବୋଲି ପ୍ରମାଣିତ ହୋଇଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ପ୍ରତିକୂଳ ପରିସ୍ଥିତି ଯୋଗୁଁ ବହୁ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଦୂରଦୃଷ୍ଟିର ଅଭାବ ରହିଛି। ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌’ ର‍୍ୟାଙ୍କିଙ୍ଗ୍‌ ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ୨୦୧୫ରେ ସପ୍ତମ ସ୍ଥାନରେ ଥିବା ଓଡ଼ିଶା ଦୁଇ ବର୍ଷରେ ୭ଟି ସ୍ଥାନ ତଳକୁ ଖସିଯାଇଛି। ଶିଳ୍ପ କ୍ଷେତ୍ରରେ ସଂସ୍କାର ଆଣିଥିବା ନେଇ ରାଜ୍ୟ ସରକାର କରୁଥିବା ଦାବି ଭୁଲ୍‌ ପ୍ରମାଣିତ ହୋଇଛି। ଏହି ସଂସ୍କାର ପୁଞ୍ଜିନିବେଶକାରୀଙ୍କ ବିଶ୍ୱାସଭାଜନ ହୋଇପାରି ନାହିଁ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଓ ଷ୍ଟାର୍ଟ ଅଫ୍‌ ଓଡ଼ିଶା କନ୍‌କ୍ଲେଭ୍‌ କେବଳ ଲୋକଦେଖାଣିଆ ଓ ପ୍ରଚାର ସର୍ବସ୍ୱ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଦୀର୍ଘ ୧୮ ବର୍ଷ ଭିତରେ ପର୍ଯ୍ୟାପ୍ତ ସମୟ ପାଇଥିଲେ ବି ରାଜ୍ୟର ବିକାଶ ପାଇଁ ଇଚ୍ଛାଶକ୍ତିର ଅଭାବରୁ ରାଜ୍ୟକୁ ପଛରେ ପକାଇଦେଇଛନ୍ତି ବୋଲି ସେ କହିଛନ୍ତି।

ବିରୋଧୀଙ୍କ ଶାଣିତ ସମାଲୋଚନାରେ ଜବାବ ବି ଦେଇଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌’ର ର‍୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶାର ପ୍ରଗତି ପ୍ରତିଫଳିତ ହୋଇଛି। ଶିଳ୍ପ ସଂସ୍କାର କ୍ଷେତ୍ରରେ ୨୦୧୫ରେ ଓଡ଼ିଶା ୫୩ ପ୍ରତିଶତ ଥିଲା ବେଳେ ୨୦୧୭ରେ ୯୨ ପ୍ରତିଶତରେ ପହଞ୍ଚିଛି। ର‍୍ୟାଙ୍କିଙ୍ଗ୍‌ରେ ଆନ୍ଧ୍ରପ୍ରଦେଶ ୯୮ ପ୍ରତିଶତ ରଖି ପ୍ରଥମ ସ୍ଥାନରେ ଅଛି। ଓଡ଼ିଶା ୯୨ ପ୍ରତିଶତ ରଖିଛି। ଏହି ୬ ପ୍ରତିଶତ ବ୍ୟବଧାନ ଭବିଷ୍ୟତରେ ପୂରଣ ହୋଇଯିବ ଓ ଓଡ଼ିଶା ଏକ ନମ୍ବର ସ୍ଥାନକୁ ଯିବ।

ସମ୍ବନ୍ଧିତ ଖବର